ଭୁବନେଶ୍ୱର, ୧୦/୧୧ : ଜିଲ୍ଲାପାଳ ଇଭିଏମ୍ ଲୁଚାଇବା ଘଟଣା ମିଛ। ବିଜେଡିର ଅଭିଯୋଗ ଖଣ୍ଡନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ। କହିଲେ ନୂଆପଡ଼ାକୁ ଗଞ୍ଜାମରୁ ଗୋଟେ ଟ୍ରକ୍ ଇଭିଏମ୍ ଆସିବା ଅସମ୍ଭବ। ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଅଛି ଇଭିଏମ୍। ମିଛ ଅଭିଯୋଗ ଆଣିଥିଲା ବିଜେଡି। ସିସିଟିଭି ଯାଞ୍ଚ ପରେ ସାମ୍ନାକୁ ଆସିଲା ସତ। 

ସିଇଓ ପ୍ରେସ୍‌ମିଟ୍ କରି କହିଛନ୍ତି ଯେ, ଜିଲ୍ଲାପାଳ ଗଞ୍ଜାମରୁ ଗୋଟେ ଟ୍ରକ୍ ଇଭିଏମ୍ ଆଣି ନୂଆପଡ଼ାରେ ଲୁଚାଇ ଦେବା ନେଇ ବିଜେଡି ଅଭିଯୋଗ ଆଣିଥିଲା। ଏହାକୁ ଏକ ଚ୍ୟାନେଲ ମାଧ୍ୟମରେ ଲଗାତର ଖବର ପ୍ରସାରଣ କରାଯାଇଥିଲା। ଯେଉଁଥି ପାଇଁ ଆମେ ଆଜି ସ୍ପଷ୍ଟୀକରଣ ଦେଉଛୁ। ରାଜ୍ୟର ୩୦ ଜିଲ୍ଲାରେ ଇଭିଏମ୍ ୱେୟାରହାଉସ୍ ଅଛି। ନୂଆପଡ଼ା ଜିଲ୍ଲାରେ ବି ୱେୟାରହାଉସ୍ ଅଛି। ତାହା ବ୍ୟବହାର ହେଉଛି ।  କୌଣସି ଇଭିଏମ୍ ବାହାରୁ ଆସିନାହିଁ।  ଗଞ୍ଜାମ ଜିଲ୍ଲାରେ ୨ଟି ୱେୟାରହାଉସ୍ ଅଛି। ତାହା ଚଳିତ ମାସରେ ଆଦୌ ଖୋଲାଯାଇ ନାହିଁ। ଯେଉଁ ଅଭିଯୋଗ ଆସିଛି ତାହା ଆଦୌ ସମ୍ଭବ ନୁହେଁ। ଜିଲ୍ଲାପାଳ ଗୋଟେ ଟ୍ରକ୍ ଇଭିଏମ୍ ନୂଆପଡ଼ା ଆଣିବା ସମ୍ଭବ ପର ନୁହେଁ। ସେଥିପାଇଁ ବିଭିନ୍ନ ପ୍ରକ୍ରିୟା ରହିଛି। ନିର୍ବାଚନ କମିଶନ କଠୋର ଅଛନ୍ତି। ୭୫ ବର୍ଷ ଧରି ECI ଭରସାଯୋଗ୍ୟ ହୋଇଆସିଛି। ଆଜି ଯାଏ ଇଭିଏମ୍ ବିରୋଧରେ କୌଣସି ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇନାହିଁ। ସ୍ଵଚ୍ଛତା ବଜାୟ ରହିଛି। ତେଣୁ ଏଭଳି ଅଭିଯୋଗକୁ ନୂଆପଡ଼ା ଭୋଟର ବିଶ୍ବାସ କରନ୍ତୁ ନାହିଁ। 

ସେହିପରି ସିଇଓ କହିଛନ୍ତି ଯେ, ସାଇଲେଣ୍ଟ ଆୱାରରେ ଟଙ୍କା ବଣ୍ଟା ଯାଉଥିବାର କୌଣସି ଅଭିଯୋଗ ଆସିନାହିଁ। ଆମେ କଡ଼ା ନଜର ରଖିଛୁ। ତେବେ କୌଣସି ଅଭିଯୋଗ ଥିଲେ ସି-ଭିଜିଲ ଆପ୍ କିମ୍ବା ୧୯୫୦ ନମ୍ବରରେ ଅଭିଯୋଗ କରିପାରିବେ। ବର୍ତ୍ତମାନ ସୁଦ୍ଧା ୫୦ ପୋଲିଂ ପାର୍ଟି ଯାଇ ସାରିଲେଣି ବୋଲି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ କହିଛନ୍ତି।