ପୁରୀ,୦୮।୦୨: ଝାଉଁ କାଠ ଅଭାବରୁ ଶ୍ରୀମନ୍ଦିର ଓ ସ୍ୱର୍ଗଦ୍ୱାରରେ ସଙ୍କଟଜନକ ସ୍ଥିତି ଉପୁଜିଛି । ଜାଳେଣି ପାଇଁ ଉଭୟ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ଝାଉଁ କାଠ ପହଞ୍ଚିପାରୁନି । ଶ୍ରୀମନ୍ଦିରକୁ ଯେତିକି କାଠ ଆସୁଛି ତାହା କେବଳ ୩୦ରୁ୪୦ ଭାଗ ଚାହିଦା ପୂରଣ କରୁଛି । ବାହାରୁ କାଠ କିଣା ହୋଇ ଆସିଲେ ବଡ଼ଦେଉଳ ରୋଷରେ ମହାପ୍ରଭୁଙ୍କ ଭୋଗ ରନ୍ଧା ହେଉଛି । ଏଭଳି ସ୍ଥିତି ବର୍ଷ ବର୍ଷ ହେଲା ସୃଷ୍ଟି ହୋଇଥିଲେ ସୁଦ୍ଧା ଏହାର ସମାଧାନ ହୋଇପାରିନି । ପୁଣି ସ୍ୱର୍ଗଦ୍ୱାରରେ ନିୟମିତ ଝାଉଁ କାଠ ନପହଞ୍ଚିବାରେ ବହୁ ସମୟରେ ସେଠାରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି ହେଉଛି । ଦାହ ପାଇଁ ଅପେକ୍ଷା କରି ମୃତକଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରୁଛନ୍ତି । ହେଲେ ଉଭୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବଢ଼ିଥିବା ଚାହିଦାକୁ ଚାହିଁ ଯୋଗାଣ ହେଉନାହିଁ ।
ବରିଷ୍ଠ ମହାସୁଆର ସେବକ ଗଣେଶ୍ୱର ମହାସୁଆର କୁହନ୍ତି, ଶହେ କ୍ୱିଣ୍ଟାଲରୁ ଅଧିକ କାଠ ଦିନକୁ ଶ୍ରୀମନ୍ଦିରରେ ଆବଶ୍ୟକ ହୁଏ । ପରମିଟ୍ରେ ମନ୍ଦିର ଅଡ଼ାକୁ ଯେଉଁ କାଠ ଆସୁଛି ତାହା କେବଳ ୩୦ରୁ ୪୦ ଭାଗ ଚାହିଦା ପୂରଣ କରୁଛି । ବାକି କାଠ ବାହାର ଦୋକାନରୁ ଶ୍ରୀମନ୍ଦିରକୁ ଆଣାଯାଉଛି । କେବଳ କାର୍ତ୍ତିକ ମାସ କି ପର୍ବପର୍ବାଣି କାହିଁକି ଛୁଟି ଦିନରେ ମଧ୍ୟ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହୁଛି । ଦର୍ଶନ ସମେତ ମହାପ୍ରସାଦ ପାଇବାରେ ସଭିଙ୍କ ଇଛା । ଏଣୁ ଶ୍ରଦ୍ଧାଳୁଙ୍କୁ ଚାହିଁ ଭୋଗ ରନ୍ଧା ହେବାକୁ ଅଛି । ବାହାରୁ ଅଧିକ ଦରରେ କାଠ ଆଣିଲେ ସେହି ଟଙ୍କାର ଭାର ଶ୍ରଦ୍ଧାଳୁଙ୍କ ଉପରେ ପଡ଼ୁଛି । ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତା ବହୁବାର ସରକାରଙ୍କୁ ଜଣାଇଛନ୍ତି । ମନ୍ତ୍ରୀ ଓ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମସ୍ତେ ହଁ ହାଁ କରୁଥିଲେ ସୁଦ୍ଧା ସ୍ଥିତିରେ ସୁଧାର ଆସୁ ନାହିଁ । ସ୍ୱର୍ଗଦ୍ୱାରକୁ ଦେଶୀ କାଠ ଗଲେ ଶ୍ରୀମନ୍ଦିର ଚାହିଦା କିଛିଟା ପୂରଣ ହୋଇପାରନ୍ତା । ଶ୍ରୀମନ୍ଦିରକୁ ଖୋଦ୍ ସରକାର ପରିଚାଳନା କରୁଥିଲେ ମଧ୍ୟ ବଡ଼ଦେଉଳକୁ ଜାଳେଣି କାଠ ଯୋଗାଣ ସମସ୍ୟା ବହୁ ବର୍ଷ ହେଲା ସମାଧାନ ହୋଇପାରିନି । ଶ୍ରୀମନ୍ଦିର ଅଡ଼ାକୁ ଝାଉଁ କାଠ ଯୋଗାଣ ପରମିଟ୍ ବଢ଼ାଇବାକୁ ଦାବି ହୋଇଛି ।
ସେହିଭଳି ସ୍ୱର୍ଗଦ୍ୱାରକୁ ମଧ୍ୟ ନିୟମିତ ଜାଳେଣି କାଠ ଯୋଗା ନହେବାରେ ଶହ ଶହ ଲୋକେ ସମସ୍ୟା ଭୋଗୁଛନ୍ତି । ଏବେ ସ୍ୱର୍ଗଦ୍ୱାରକୁ ଦିନକୁ ଶହେରୁ ଊଦ୍ଧ୍ୱର୍ ଶବ ଦାହ ପାଇଁ ଆସୁଛି । ଗୋଟିଏ ଶବ ଦାହ ପାଇଁ ୧ କ୍ୱିଣ୍ଟାଲ ୮୦ କିଲୋରୁ ୨ କ୍ୱିଣ୍ଟାଲ ଭଳି କାଠ ଆବଶ୍ୟକ ହୁଏ । ଦୈନିକ ୨ ଶହ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ଭଳି କାଠ ହେଲେ ସ୍ୱର୍ଗଦ୍ୱାର ଶବ ଦାହରେ ସମସ୍ୟା ରହି ନଥାଏ । ହେଲେ ସ୍ୱର୍ଗଦ୍ୱାରରେ କାଠ ଗଛିତ ରହୁ ନଥିବାରୁ ଅନେକ ସମୟରେ ସମସ୍ୟା ଉପୁଜୁଛି । ଭୁବନେଶ୍ୱରରୁ ଆସିଥିବା ପ୍ରସାଦ ମିଶ୍ର କୁହନ୍ତି, ସ୍ୱର୍ଗଦ୍ୱାରରେ କାଠ ଅଭାବ ସରକାରଙ୍କ ଅବହେଳାକୁ ଦର୍ଶାଉଛି । ହଜାର ହଜାର ବ୍ୟକ୍ତି ଏଠାକୁ ଆତ୍ମୀୟଙ୍କ ଶବ ଦାହ ପାଇଁ ଆସୁଛନ୍ତି । ଲୋକଙ୍କ ବ୍ୟସ୍ତତା ରହିଥିଲେ ସରକାର ଏଠାରେ ଇଲେକ୍ଟ୍ରି ଚୁଲା ରଖିପାରନ୍ତି । କିନ୍ତୁ କାଠ ଅଭାବ ହେଉ କିମ୍ବା ଇଲେକ୍ଟ୍ରି ଚୁଲା ନଥିବାରୁ ଲୋକେ ହଇରାଣ ହେବା ଅନୁଚିତ । ସୂଚନା ରହିଛି କି ବାଲୁଗାଁ ପଟୁ କାଠ ଆସି ବାଲିଗୁଆଳି ଡିପୋରେ ପହଞ୍ଚିଲେ କାଠ ଯୋଗାଯାଉଛି । ହେଲେ ସେଠାରେ ଅଧିକ କାଠ ମହଜୁଦ୍ ନରହିବାରେ ଶ୍ରୀମନ୍ଦିର ତଥା ସ୍ୱର୍ଗଦ୍ୱାରକୁ ଯଥେଷ୍ଟ କାଠ ଯୋଗାଣ ସମ୍ଭବ ହେଉନାହିଁ ।
ଅଧିକ ପଢନ୍ତୁ-'ମୋ ବୋଉକୁ ଭଲରେ ରଖ, ଦୁଃଖ ଦେବୁନି',ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ସହ ମିଳିଲା କୁନି ଭକ୍ତର ଖଣ୍ଡିଏ ହାତ ଲେଖା ଚିଠି
ସ୍ୱର୍ଗଦ୍ୱାର ସେବା ସମିତି ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ କୁହନ୍ତି, ସ୍ୱର୍ଗଦ୍ୱାରକୁ ସର୍ବନିମ୍ନ ଦିନକୁ ୧୮୦ କ୍ୱିଣ୍ଟାଲ କାଠ ଆବଶ୍ୟକ । ଶବ ସଂଖ୍ୟା ବଢ଼ିବା ସାଙ୍ଗକୁ କାଠ ଅଧିକ ଦରକାର ହେଉଛି । ସ୍ୱର୍ଗଦ୍ୱାରକୁ ନିୟମିତ କାଠ ଯୋଗାଣ ନହେଲେ ଲୋକେ ସମସ୍ୟା ଭୋଗିବେ । କାଠ ଯୋଗାଣରେ କ’ଣ ସମସ୍ୟା ହେଉଛି ବନବିଭାଗ ହିଁ କହିପାରିବେ । ଏନେଇ ପୁରୀ ଡିଏଫ୍ଓ ମଗରଧନଜୀ ରାଓସୋ କୁହନ୍ତି, ବନବିଭାଗ ପକ୍ଷରୁ ଶ୍ରୀମନ୍ଦିର ଓ ସ୍ୱର୍ଗଦ୍ୱାରକୁ କାଠ ଯୋଗାଣ ହେଉଛି । ଏବେ କିଛି ଦିନ ହେଲା ଜାଳେଣି ଝାଉଁ କାଠର ଚାହିଦା ବହୁତ୍ ବଢ଼ିଛି । ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା ଆଶାତୀତ ବଢ଼ିବା ସହ ସ୍ୱର୍ଗଦ୍ୱାରରେ ଶବ ଦାହ ସଂଖ୍ୟା ଦିନକୁ ପ୍ରାୟତଃ ୧୩୦ ଛୁଇଁଛି । ଏଣୁ ପୂର୍ବ ତୁଳନାରେ ଉଭୟ ସ୍ଥାନକୁ ଯେତିକି କାଠ ଆବଶ୍ୟକ ହେଉଥିଲା ତାହାର ଢେର ଅଧିକ କାଠ ଦରକାର ହେଉଛି । ହେଲେ ଯୋଗାଣ ସେହି ପରିମାଣର ନାହିଁ । ଏଣୁ ଚାହିଦା ଓ ଯୋଗାଣରେ କିଛିଟା ଫରକ ଆସିଥିବା ସେ କହିଛନ୍ତି ।