ଭୁବନେଶ୍ୱର,୧୭/୦୨ : ମଧ୍ୟବିତ୍ ପରିବାରର ନବ ବିବାହିତ ସ୍ୱାମୀ-ସ୍ତ୍ରୀଙ୍କ ଜୀବନକୁ ନେଇ ନିର୍ମିତ ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର "ବର ବଧୂ' । ଯାହା ରୂପେଲି ପରଦାରେ ପ୍ରେମ, ପରମ୍ପରା ଓ ପାରିବାରିକ ସମ୍ପର୍କର ଅନୁଭୂତିକୁ ଜୀବନ୍ତ କରିଛି । ପାରିବାରିକ ସମ୍ବନ୍ଧର ସୂକ୍ଷ୍ମ ଭାବନା ଏବଂ ସମ୍ପର୍କର ସେତୁକୁ ସୁଦୃଢ଼ କରିବାର ଅନବରତ ପ୍ରୟାସକୁ ଆଧାର କରି ପ୍ରସ୍ତୁତ "ବର ବଧୂ' ଦର୍ଶକଙ୍କ ହୃଦୟକୁ ଛୁଇଁଛି । ସେଥିପାଇଁ ସମସ୍ତଙ୍କ ମୁହଁରେ କେବଳ ଦୁଇଟି ଶବ୍ଦ "ବର ବଧୂ' । ସାମାଜିକ ଗଣମାଧ୍ୟମରେ ମେଞ୍ଚା ମେଞ୍ଚା ଶୁଭେଚ୍ଛା ଓ ଅଭିନନ୍ଦନ । ଓଃ! କି ସିନେମା ହୋଇଛି... । ୟାକୁ ହିଁ କୁହନ୍ତି ଓଡ଼ିଆ ସିନେମା । ଏତେଦିନ ପରେ ଲାଗିଲା କି ଗୋଟିଏ ଓଡ଼ିଆ ସିନେମା ହଲ୍କୁ ଆସିଛି । ଚମତ୍କାର... ଚିତ୍ତାକର୍ଷକ । ଦର୍ଶକଙ୍କ ପାଖରେ ଭାଷା ନାହିଁ ।

ବର୍ତ୍ତମାନ "ବର ବଧୂ' ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସହ ପ୍ରଶଂସାର ଝଡ଼ ସୃଷ୍ଟି କରିଛି । ପ୍ରେମ ସପ୍ତାହରେ ବରଣମାଳା ପିନ୍ଧି ଫେବ୍ରୁଆରୀ ୧୩ରେ ପ୍ରେକ୍ଷାଳୟକୁ ଆସିଥିଲା "ବର ବଧୂ' । ଜାଣିନଥିଲା ଏତେ ଚର୍ଚ୍ଚା ହେବ । ହେଲେ ପ୍ରିମିୟର୍ ପରଠୁ ପୂରା ଟିମ୍କୁ ଯେଉଁ ପ୍ରଶଂସା ସାଉଁଟି ଚାଲିଛି ସେଥିରେ ଆଉ କୌଣସି ପ୍ରମାଣର ଆବଶ୍ୟକତା ନାହିଁ । ସମସ୍ତେ ବାଃ ବାଃ କହୁଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ବଳିଷ୍ଠ ଏହି ସିନେମାରେ ଶିବାନୀ ଓ ଶୈଳେନ୍ଦ୍ରଙ୍କ ସ୍କ୍ରିନ୍ କେମିଷ୍ଟ୍ରି ଦର୍ଶକଙ୍କୁ କିମିଆ କରିଛି । ଶୁଭାଶିଷ ଶର୍ମା, ସୂର୍ଯ୍ୟମୟୀ ମହାପାତ୍ର, ହର ରଥ ଓ ଭାସ୍ୱତୀ ବସୁଙ୍କ ନିଖୁଣ ଅଭିନୟ ସିନେମାକୁ ଅଧିକ ପ୍ରଭାବଶାଳୀ କରିଛି । ଓଡ଼ିଆ ପାରିବାରିକ ଜୀବନ, ପ୍ରେମ, ବେରୋଜଗାର ସମସ୍ୟା ଏବଂ ଆଚାର-ବିଚାର ଭରା ହୃଦୟସ୍ପର୍ଶୀ କାହାଣୀ ଦର୍ଶକଙ୍କୁ ନିଜ ପରିସ୍ଥିତି ସ୍ମରଣ କରାଇ ଭାବପ୍ରବଣ କରିଛି ।

ସିନେମା ଏମିତି ହୋଇଛି ଦର୍ଶକ କ୍ଷଣିକ ପାଇଁ ସିଟ୍ ଛାଡ଼ି ପାରୁନାହାନ୍ତି । ମଧ୍ୟାନ୍ତର କାହିଁକି ଆସୁଛି ବୋଲି ବିରକ୍ତି ହେଉଛନ୍ତି । ହଲ୍ରୁ ବାହାରିଲା ବେଳକୁ କାହାକୁ ପ୍ରଶଂସା କରିବେ କାହାକୁ ଛାଡ଼ିବେ ଭାବି ପାରୁନାହାନ୍ତି । ସିନେମା ସହ ଜଡ଼ିତ ପ୍ରତିଟି ସଦସ୍ୟଙ୍କ କାର୍ଯ୍ୟ ଉଚ୍ଚକୋଟୀର ହୋଇଛି । ପ୍ରଯୋଜକ ବି ସାଲିସ କରିନାହାନ୍ତି । ପୂରା ଟଙ୍କା ଉଠିଲା ଭଳି ସମ୍ପୂର୍ଣ୍ଣ ଓଡ଼ିଆ ପାରିବାରିକ ମନୋରଞ୍ଜନଧର୍ମୀ ସିନେମା ଭେଟି ଦେଇଛନ୍ତି । ଦ ୟୁଜ୍ଫୁଲ୍ ଗାର୍ବେଜ କ୍ରିଏସନ୍ସ ବ୍ୟାନରରେ ଚନ୍ଦ୍ରମଣିଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶକ ବିଶ୍ୱରଞ୍ଜନଙ୍କ ସୁଚିନ୍ତିତ ନିର୍ଦ୍ଦେଶନା ସିନେମାକୁ ସମ୍ବେଦନଶୀଳ ରୂପ ଦେଇଛି ।

ଆହୁରି ପଢନ୍ତୁ- ଚେକ୍ ବାଉନ୍ସ ମାମଲାରେ ମୁହଁ ଖୋଲିଲେ ଅମିଷା, କହିଲେ- ‘ସେଟେଲମେଣ୍ଟ ପରେ ବି ମିଛ ଅଭିଯୋଗ…’

କଣ୍ଟ୍ରି ବଏଜ୍ ଷ୍ଟୁଡିଓଜ୍ ଓ ସାର୍ପଲାଇନ୍ ଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍ ସହାୟତା କରିଥିଲା ବେଳେ ସହ ପ୍ରଯୋଜକ ରହିଛନ୍ତି ବିଶ୍ୱରଞ୍ଜନ ଓ ସୁଶୀଲ କୁମାର ମିଶ୍ର । ସିନେମାଟି ମୋଟ୍ ୬୦ ସ୍କ୍ରିନ୍ରୁ ଓଡ଼ିଶାରେ ୫୦ ଏବଂ ବାହାରେ ୧୦ଟି ସ୍କ୍ରିନ୍ରେ ସଫଳତାର ସହ ସୋ’ କରିଚାଲିଛି । ଗତ ୩ ଦିନ ମଧ୍ୟରେ ୨୫ ହଜାରରୁ ଅଧିକ ଦର୍ଶକ ସିନେମାକୁ ଦେଖିସାରିଲେଣି । ଏହା ସିନେମା ନୁହେଁ, ବରଂ ଓଡ଼ିଆ ପାରିବାରିକ ଜୀବନର ଜୀବନ୍ତ ପ୍ରତିଛବି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ବୋଲି ପ୍ରଯୋଜନା ସଂସ୍ଥା କହିଛି । ଦର୍ଶକଙ୍କ ଆଗ୍ରହ ଓ ଅନୁରୋଧରେ ରାଜ୍ୟ ଭିତରେ ଏବଂ ବାହାରେ ବିଭିନ୍ନ ସ୍ଥାନରେ ରିଲିଜ୍ ସାଙ୍ଗକୁ ବ୍ରହ୍ମପୁରରେ ସ୍ୱତନ୍ତ୍ର ମିଡ୍ନାଇଟ୍ ସୋ’ ହୋଇଛି । ରିଭ୍ୟୁ ଭଲ ରହିବା ସହ ଆଇଏମ୍ଡିବି ରେଟିଂ ୯.୪ ରହିଛି ।