ନୂଆଦିଲ୍ଲୀ - ବିଶ୍ୱ ରାଜନୀତିରେ ଆମେରିକାକୁ ପଛରେ ପକାଇ କ୍ଷମତା ହାସଲ କରିବାକୁ ଚାହୁଁଥିବା ଚୀନ୍ ,ବର୍ତ୍ତମାନ ଘରୋଇ ସମସ୍ୟାକୁ ନେଇ ଖୁବ୍ ଚିନ୍ତାରେ। ଗୋଟେ ସମୟରେ ବିଶ୍ୱର ସର୍ବବୃହତ ଜନସଂଖ୍ୟା ଥିବା ଚୀନ୍ ଏବେ ତାର ବୟସ୍କ ଜନସଂଖ୍ୟାର ସମାଧାନ ଉପାୟ ଖୋଜିବାରେ ଲାଗିଛି। ଅନେକ ପ୍ରୟାସ ସତ୍ତ୍ୱେ, ଚୀନ୍ ମହିଳାମାନେ ବିବାହ କରିବାକୁ କି ସନ୍ତାନ ଜନ୍ମ କରିବାକୁ ଚାହୁଁ ନାହାନ୍ତି।
ସରକାରୀ ତଥ୍ୟ ଅନୁସାରେ, ୨୦୨୩ ସୁଦ୍ଧା, ୩୦ବର୍ଷ ବୟସରେ ପହଞ୍ଚି ଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ଅବିବାହିତ, ଯାହାକି ୨୦୧୫ ରେ ଏହି ସଂଖ୍ୟା କେବଳ ୧୪.୫ ପ୍ରତିଶତ ଥିଲା। ଯୁବପିଢ଼ିଙ୍କ ଏହି ନିଷ୍ପତ୍ତିର ସବୁଠାରୁ ବଡ଼ ପ୍ରଭାବ ନିକଟରେ ଜନ୍ମହାରରେ ଆସିଥିବା ହ୍ରାସର ସଂଖ୍ୟାରୁ ବୁଝି ହୁଏ।
ଚାଇନା ସରକାରଙ୍କ ୨୦୧୫ର ରିପୋର୍ଟ ମୁତାବିକ , ଚୀନରେ ସେହି ବର୍ଷ ପ୍ରାୟ ୧.୬୫ କୋଟି ଶିଶୁ ଜନ୍ମ ହୋଇ ଥିଲେ। ୨୦୨୫ ସୁଦ୍ଧା ସଂଖ୍ୟାକୁ ଦେଖିବା ତ ଏହି ସଂଖ୍ୟା ହ୍ରାସ ପାଇଁ ୮୦ ଲକ୍ଷରୁ ମଧ୍ୟ କମ୍ ହୋଇ ଯାଇଛି। ଏହା ଜନସଂଖ୍ୟା ବିଶେଷଜ୍ଞଙ୍କ ପାଇଁ ମଧ୍ୟ ଆଶ୍ଚର୍ଯ୍ୟଜନକ, କାରଣ ଅନ୍ୟ କୌଣସି ବଡ଼ ଦେଶରେ ଏପରି ଜନସଂଖ୍ୟାଗତ ପରିବର୍ତ୍ତନ ଦେଖାଯାଇ ନାହିଁ।
ଫାଇନେନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଚୀନର ଜିନପିଙ୍ଗ ସରକାର ଜନସଂଖ୍ୟାକୁ ସ୍ଥାୟିତ୍ୱ ଦେବା ପାଇଁ ଗତ ଅନେକ ବର୍ଷରୁ ଲଗାତାର ପ୍ରୟାସ କରୁଛନ୍ତି, କିନ୍ତୁ ଯୁବତୀମାନେ ସନ୍ତାନ ଜନ୍ମ କରିବାକୁ ଅନିଚ୍ଛୁକ। ଏହି ମାମଲା କେବଳ କମ୍ ସନ୍ତାନ ଜନ୍ମ ହେବାର କଥା ନୁହେଁ; ବରଂ ରିପୋର୍ଟ ମୁତାବିକ, ଲୋକେ ପରିବାର ଆରମ୍ଭ କରିବାକୁ ମଧ୍ଯ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ଯାଉଛନ୍ତି। ସ୍ଥାନୀୟ ମିଡ଼ିଆ ରିପୋର୍ଟରେ ମହିଳାଙ୍କ ପରିବାର କରିବାକୁ ଏଡ଼ାଇବା ପଛରେ ଅନେକ କାରଣ ଉଲ୍ଲେଖ କରାଯାଇଛି।
ଶିକ୍ଷିତ ମହିଳାମାନେ ପୁରୁଷଙ୍କୁ ପସନ୍ଦ କର ନାହାନ୍ତି –
ଚୀନ୍ ସରକାରୀ ରିପୋର୍ଟ ଅନୁସାରେ, ଚୀନରେ ଶିକ୍ଷିତ ମହିଳାଙ୍କ ସଂଖ୍ୟା ଗତ କିଥି ବର୍ଷରେ ଲଗାତାର ବୃଦ୍ଧି ପାଇଛି। ୨୦୦୯ ପରେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ କରିଥିବା ମହିଳାଙ୍କ ସଂଖ୍ୟା ପୁରୁଷମାନଙ୍କ ତୁଳନାରେ ଅଧିକ ରହିଛି। ଏଥିପାଇଁ ଚୀନ୍ର ଡେଟିଂ ବଜାରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ଅନେକ ମହିଳାମାନେ ବଡ଼ ବଡ଼ ସହରରେ ଭଲ ସ୍ଥିତିରେ କାମ କରୁଛନ୍ତି। ଏହି କ୍ରମରେ ସେ ବିବାହ କରି ତାଙ୍କର ସ୍ବାଧୀନତାକୁ ହରାଇବାକୁ ଚାହାଁନ୍ତି ନାହିଁ।
ସୋସିଆଲ ମିଡ଼ିଆ ବଢାଇଛି ସଂପର୍କରେ ଦୂରତା –
ଚାଇନା ସୋସିଆଲ ମିଡ଼ିଆରେ ମହିଳା ଓ ପୁରୁଷ ମଧ୍ୟରେ ଲଗାତାକର ଏକ ଦୂରତା ବଢାଉଛି। ପୁରୁଷଙ୍କ ଅଭିଯୋଗ ରହିଥାଏ ଯେ, ମହିଳାମାନେ ବିବାହ ପୂର୍ବରୁ ଉପହାର ଓ ଆର୍ଥିକ ସୁରକ୍ଷା ଆଶା କରିଥାନ୍ତି। ଏଥିରେ ସେ ଲଗାତାର ମହିଳାଙ୍କ ପ୍ରତି ହେଟ୍ କମେଣ୍ଟ କରି ସେମାନଙ୍କୁ ଗୋଲ୍ଡ ଡିଗରର ସଂଜ୍ଞା ଦେଉଛନ୍ତି। ଏଥିରେ ମହିଳାମାନେ ମଧ୍ୟ ପାଲଟା ଆକ୍ରମଣ କରି ବିବାହକୁ ଏକ ବିନା ଟଙ୍କାର ଚାକିରି ଭାବେ ଦର୍ଶାଉଛନ୍ତି।