ବ୍ରହ୍ମପୁର,୦୧/୧୨: ସୋମବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ  କୁମାର ମିଶ୍ର । ଗସ୍ତ ସମୟରେ ପ୍ରଥମେ  ସେ ବ୍ରହ୍ମପୁର ଆଇଟିଆଇ ବୁଲି ଦେଖିବେ । ଅଦରକାରୀ ସାମଗ୍ରୀରୁ ଶ୍ରେଷ୍ଠ ସାମଗ୍ରୀ (ୱେଷ୍ଟ୍‌  ଟୁ ୱେଲ୍‌ଥ୍‌) ପ୍ରସ୍ତୁତ କରିବାରେ ବ୍ରହ୍ମପୁର  ଆଇଟିଆଇ ଦେଶରେ ସୁନାମ ଅର୍ଜନ କରିଛି । ପ୍ରମୁଖ ସଚିବ ମିଶ୍ର ଆଇଟିଆଇ  ବିଦ୍ୟାର୍ଥୀଙ୍କ ସାଙ୍ଗରେ ମଧ୍ୟ ଆଲୋଚନା  କରିବେ ।

 ଏହାପରେ ସେ ଗଞ୍ଜାମର  ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠକୁ ଗସ୍ତ କରିବେ । ଦେବୀଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା  କାର୍ଯ୍ୟକ୍ରମ ରହିଛି । ଅପରାହ୍ଣରେ ସେ  ଭୁବନେଶ୍ୱର ଫେରିଯିବେ ବୋଲି ବିଶ୍ୱସ୍ତ  ସୂତ୍ରରୁ ସୂଚନା ମିଳିଛି । ତେବେ ଏନେଇ  ପ୍ରଶାସନିକସ୍ତରରେ କୌଣସି ତଥ୍ୟ  ଦିଆଯାଇନାହିଁ । ଜିଲ୍ଲାପାଳ ଦିବ୍ୟଜ୍ୟୋତି  ପରିଡ଼ା ସରକାରୀ ଭାବେ କୌଣସି ସୂଚନା  ଆସି ନ ଥିବା କହିଛନ୍ତି । ଅପରପକ୍ଷରେ ଦ  ନ୍ୟୁଜ୍‌ ଇନ୍‌ସାଇଟ୍‌ (ଟିଏନ୍‌ଆଇ) ପକ୍ଷରୁ  ଟ୍ୱିଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି ।