ମାଲକାନଗିରି/ମାଥିଲି,୨୬।୮ (ଆପ୍ର): ବର୍ଷାରେ ସାବେରୀ ନଦୀ ଉଛୁଳି କାଳିଆଗୁଡା ଗ୍ରାମସ୍ଥ ବାରୁଣୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ବେଢାରେ ପାଣି ପସି ମନ୍ଦିରରଟି ଜଳ ଘେରରେ ଥିବାରୁ ଭକ୍ତମାନେ ମନ୍ଦିରକୁ ଯିବାରେ ଅସୁବିଧା ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କାଳିଆଗୁଡାଠାରେ ଲଗାଣ ବର୍ଷା ଯୋଗୁଁ ନିକଟରେ ଥିବା ସାବେରୀ ଓ ପାଙ୍ଗାମା ନଦୀର ମିଶ୍ରଣ ସ୍ଥାନ ତଥା ତ୍ରିବେଣୀ ସଂଗମ କୁହାଯାଉଥିବା ନଦୀରୁ ଜଳ ଆସି ବିଭିନ୍ନ ଘର ଓ ଦେବାଳୟ ନିକଟରେ ଜଳପୂର୍ଣ୍ଣ ହୋଇଛି।
ସୂଚନା ଅନୁଯାୟୀ ଜିଲାରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ହେତୁ ବିଭିନ୍ନ ନଦୀର ଜଳ ସ୍ତର ବଢିବାରେ ଲାଗିଛି। କିଛି ସ୍ଥାନରେ ଜଳସ୍ତର ବଢି ରାସ୍ତା ଉପରକୁ ମଧ୍ୟ ଚାଲି ଆସିଥିବା ବେଳେ ମାଥିଲି ବ୍ଲକ ଅଧୀନରେ ଥିବା କାଳିଆଗୁଡା ଗ୍ରାମରେ ଥିବା ତ୍ରିବେଣୀ ସଂଗମ ନଦୀରୁ ପାଣି ଆସି ଗ୍ରାମ ମଧ୍ୟରେ ଥିବା କିଛି ଘର ଓ ଜଗନ୍ନାଥ ମନ୍ଦିରଟି ଜଳ ଘେର ମଧ୍ୟରେ ଥିବା ଜଣା ପଡିଛି। ଯାହାକୁ ନେଇ ଲୋକେ ମଧ୍ୟ ଭୟବିତ ହୋଇ ପଡିଛନ୍ତି। କାରଣ ଜଳସ୍ତର ବଢିଲେ ବିଭିନ୍ନ ଘର ମଧ୍ୟରେ ଜଳ ପସିବାର ଭୟ ରହିଛି।