ଭୁବନେଶ୍ୱର,୧୮/୧୨: ପୁସ୍ତକ ମହୋତ୍ସବ କେବଳ ଏକ ମହୋତ୍ସବ ନୁହେଁ, ଏହା ଲେଖକ, ପାଠକ ଓ ପ୍ରକାଶକଙ୍କର ତ୍ରିବେଣୀ ସଙ୍ଗମ । ପୁସ୍ତକର ମୃତ୍ୟୁ ନାହିଁ, ସେ ସବୁବେଳେ ଅମର ଓ ଅଜୟ । ଏଭଳି କହିଛନ୍ତି ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ।

ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ସପ୍ତମ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ବାଚସ୍ପତି ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାର ଏହି ଅଭିନବ ପ୍ରୟାସ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ସାଧୁବାଦ ଜଣାଇଥିଲେ । ଦୀର୍ଘ ୧୨ଦିନ ଚାଲିଆସୁଥିବା ଏହି ପୁସ୍ତକ ମହାକୁମ୍ଭ ବୁଧବାର ସଂଧ୍ୟାରେ ଶେଷ ହୋଇଛି । ଚଳିତ ପୁସ୍ତକ ମହୋତ୍ସବ ଅବସରରେ ୧୦୦ରୁ ଊଦ୍ଧ୍ୱର୍ ପୁସ୍ତକ ଉନ୍ମୋଚନ ହୋଇଥିବା ବେଳେ ସାଢେ ୬କୋଟି ଟଙ୍କାର ବେପାର ହୋଇପାରିଛି ।

ଉଦଯାପନୀ ସଂଧ୍ୟାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକା ଯଶୋଧରା ମିଶ୍ର କହିଥିଲେ, ପୁସ୍ତକ ହେଉଛି ମାନବ ସଭ୍ୟତାର ଅମୂଲ୍ୟ ସମ୍ପଦ । ପୁସ୍ତକ ସମାଜର ଦର୍ପଣ । ପୁସ୍ତକ ବିନା ବିକଶିତ ସମାଜର କଳ୍ପନା ମଧ୍ୟ କରିହେବ ନାହିଁ । ଆଜିର ଜଗତୀକରଣ ଓ ଇଣ୍ଟରନେଟ୍ ଯୁଗରେ ପୁସ୍ତକ ନିଜ ପାଇଁ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି ଏବଂ ଯୁବପିଢ଼ି ମଧ୍ୟ ପୁସ୍ତକ କିଣିବା ଓ ପଢ଼ିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାମନ୍ତ ଚନ୍ଦ୍ର ଶେଖର ପତ୍ରାବଳୀ’, "ବଳରାମ ଦାସ’ "ଶିଶୁ ଅନନ୍ତ ଦାସ’, "ଯଶୋବନ୍ତ ଦାସ’, ଅନୁବାଦ ସାହିତ୍ୟ ପରିଷଦ ତରଫରୁ ସାନ୍ତାଳୀ ଭାଷାରେ ଅନୁଦିତ ପୁସ୍ତକ "ପିଲାଙ୍କ ଚିଠି ଓ ଆଇନ ଷ୍ଟାଇନଙ୍କ ଉତ୍ତର’, "ଲେଡ଼ି ଡ୍ରାଇଭର’, ଶ୍ରୀ ଗୋବିନ୍ଦଙ୍କ ଲିଖିତ ପୁସ୍ତକ "ସ୍ୱାସ୍ଥ୍ୟ ମନ୍ତ୍ର’, ବିଜୟ କୁମାର ଛାଟୋଇଙ୍କ ଲିଖିତ "କବିତାମାଳା’, ପ୍ରଭାତୀ ମିଶ୍ରଙ୍କ ରଚିତ "ଦ ଡ଼ାଇମଣ୍ଡ ଟ୍ରାଇଆଙ୍ଗେଲ’, କନକବାଳା ଦାସଙ୍କ ଲିଖିତ "ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ନାରୀ ଚରିତ୍ର’ ଆଦି ପୁସ୍ତକ ଉନ୍ମୋଚିତ ହାଇଥିଲା । ଏଥିସହ ୨୦୦ରୁ ଊଦ୍ଧ୍ୱର୍ ପ୍ରକାଶକମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା ଉପସ୍ଥିତ ଥିଲେ । ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଚଳିତ ଥର ପୁସ୍ତକ ମହୋତ୍ସବର ଶୀର୍ଷକ ରହିଥିଲା "ପୃଷ୍ଠା ଖୋଲନ୍ତୁ, ସ୍ୱପ୍ନକୁ ଜାଗ୍ରତ କରନ୍ତୁ' । ପୁସ୍ତକ ମହୋତ୍ସବରେ ୫୫୦ଟି ଷ୍ଟଲ ନିର୍ମାଣ ହେବା ସହ ୨୦୦ରୁ ଊଦ୍ଧ୍ୱର୍ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଅଂଶଗ୍ରହଣ କରିଥିଲେ । ୬ଟି ଅନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ମଧ୍ୟ ଅଂଶଗ୍ରହଣ କରିଥିଲେ । ବରପୁତ୍ର ଓ ସାରସ୍ୱତ ସାଧକଙ୍କୁ ସମ୍ମାନ, ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ୱନ୍ଧୀୟ ପାଭିଲିୟନ, ସାହିତ୍ୟଧର୍ମୀ ଆଲୋଚନା ଚକ୍ର, କୋରାପୁଟ କଫି ଓ ସେଲ୍ଫି ପଏଣ୍ଟ,ଏଆଇ ଯୁଗରେ ପେନସିଲ ଚିତ୍ର, ସଚେତନତା ଷ୍ଟଲ, ରୋବୋଟିକ୍ ଡଗ୍ ଓ କ୍ରିକେଟ କ୍ରେଜ ଆଦି ଆକର୍ଷଣ ପାଲଟିଥିଲା ।