ନୂଆଦିଲ୍ଲୀ, ୨୨।୨: ଆମେରିକାରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଏବେ କିଛି କଟ୍ଟରପନ୍ଥୀ ଗୋଷ୍ଠୀର ଟାର୍ଗେଟରେ ଅଛନ୍ତି । ଟେକ୍ସାସର ସୁଗାର ଲ୍ୟାଣ୍ଡରେ ରହିଛି ଭଗବାନ ହନୁମାନଙ୍କ ୯୦ ଫୁଟ୍ ଉଚ୍ଚର ପ୍ରତିମା । ଯାହାକୁ ନେଇ ଜଣେ କଞ୍ଜରଭେଟିଭ୍ ରାଜନୈତିକ କର୍ମୀଙ୍କ ଆପତ୍ତିଜନକ ମନ୍ତବ୍ୟ ଏବେ ଏକ ବଡ଼ ବିବାଦ ସୃଷ୍ଟି କରିଛି । ଟେକ୍ସାସର କଞ୍ଜରଭେଟିଭ୍ ଆକ୍ଟିଭିଷ୍ଟ କାର୍ଲୋସ୍ ଟର୍ସିଓସ୍ ସୋସିଆଲ ମିଡିଆ ଏକ୍ସରେ ଏହି ବିଶାଳ ହନୁମାନ ପ୍ରତିମାକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି । ସେ ଏହାକୁ ‘ଥାର୍ଡ ୱାର୍ଲ୍ଡ ଏଲିୟନ୍ସ’ଙ୍କ ଦ୍ୱାରା ଆମେରିକା ଦଖଲ କରିବାର ଏକ ସଙ୍କେତ ବୋଲି କହିଛନ୍ତି ।
ଟର୍ସିଓସ୍ଙ୍କ ବିବାଦୀୟ ବୟାନ:
କାର୍ଲୋସ୍ ଟର୍ସିଓସ୍ କହିଛନ୍ତି "ଏହା ପାକିସ୍ତାନର ଇସଲାମାବାଦ କିମ୍ବା ଭାରତର ନୂଆଦିଲ୍ଲୀ ନୁହେଁ । ଏହା ଟେକ୍ସାସର ସୁଗାର ଲ୍ୟାଣ୍ଡ । ତୃତୀୟ ବିଶ୍ୱର ଲୋକମାନେ ଧୀରେ ଧୀରେ ଆମେରିକାକୁ କବଜା କରୁଛନ୍ତି । ଅନୁପ୍ରବେଶ ବନ୍ଦ କରନ୍ତୁ ।" ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଟର୍ସିଓସଙ୍କ ମନ୍ତବ୍ୟକୁ ବିଦେଶୀ ବିରୋଧୀ ଏବଂ ଜାତିଭେଦୀ ବୋଲି କହିଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ଏହି ପ୍ରତିମା ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ଜମିରେ ଏବଂ ହିନ୍ଦୁ ସମ୍ପ୍ରଦାୟର ନିଜସ୍ୱ ଅର୍ଥରେ ନିର୍ମିତ । ଏହା ଆମେରିକାର ସାମ୍ବିଧାନିକ ଧାର୍ମିକ ସ୍ୱାଧୀନତାର ଏକ ଅଂଶ । ଆମେରିକାର ଅର୍ଥନୀତି ଓ ପ୍ରଗତିରେ ଭାରତୀୟଙ୍କ ଯୋଗଦାନ ଅତୁଳନୀୟ, ତେଣୁ ସେମାନଙ୍କୁ ବାହାର ଲୋକ କହିବା ଅନୁଚିତ୍ ।
ଏହା ବି ପଢ଼ନ୍ତୁ... ଦୁଇ ପଟୁ ଯୁଦ୍ଧ ପ୍ରସ୍ତୁତିରେ ଇରାନ ! ଲେବାନନ୍ରେ ହିଜବୋଲା ଉପରେ ଆଇଆରଜିସିର ନିୟନ୍ତ୍ରଣ,ଇସ୍ରାଏଲ ପାଇଁ ଆଗକୁ ବଡ଼ ବିପଦ
କାହିଁକି ଖାସ୍ ଏହି ପ୍ରତିମା ?
ଏହି ୯୦ ଫୁଟ୍ ଉଚ୍ଚର ପ୍ରତିମାକୁ ‘ଷ୍ଟାଚ୍ୟୁ ଅଫ୍ ୟୁନିୟନ’ କୁହାଯାଏ, ଯାହା ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିର ପରିସରରେ ଅବସ୍ଥିତ । ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଏବଂ ପେଗାସସ୍ ପରେ ଆମେରିକାରେ ଏହା ତୃତୀୟ ସର୍ବୋଚ୍ଚ ପ୍ରତିମା । ଏହାର ନିର୍ମାଣ ପାଇଁ ପ୍ରାୟ ୮ ମିଲିୟନ ଡଲାର ଖର୍ଚ୍ଚ ହୋଇଛି । ୨୦୨୪ରେ ଏହାର ଉଦ୍ଘାଟନ ସମୟରେ ‘ବନ୍ଦେ ମାତରମ୍’ ସହ ଆମେରିକାର ଜାତୀୟ ସଙ୍ଗୀତ ମଧ୍ୟ ବଜାଯାଇଥିଲା, ଯାହା ଭାରତ-ଆମେରିକା ସଂସ୍କୃତିର ମିଳନକୁ ଦର୍ଶାଉଥିଲା ।
ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ କିଛି ରିପବ୍ଲିକାନ୍ ନେତା ଏହାକୁ ‘ଅସଲି ଭଗବାନ ନୁହନ୍ତି’ କହି ବିବାଦ ସୃଷ୍ଟି କରିଥିଲେ । ବିଶେଷଜ୍ଞଙ୍କ ମତରେ, ଆମେରିକାରେ MAGA (ମେକ୍ ଆମେରିକା ଗ୍ରେଟ୍ ଏଗେନ୍) ବିଚାରଧାରାର ପ୍ରଭାବ ବଢ଼ିବା ସହ ଅଣ-ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟ ଏବଂ ପ୍ରବାସୀଙ୍କ ପ୍ରତି କଠୋରତା ପ୍ରଦର୍ଶନ କରାଯାଉଛି । ଟେକ୍ସାସର ଏହି ଘଟଣା ଏବେ ଆମେରିକାରେ ବହୁ-ସାଂସ୍କୃତିକ ପରିଚୟ ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।