• କିଏ କହେ ମୁଁ ‘ଜୀବନରେଖା’, ଆଉ କିଏ ‘ସୁରକ୍ଷା କବଚ’ ।
  • ଗୁଜୁରାଟରୁ ଦିଲ୍ଲୀ ଭାୟା ରାଜସ୍ଥାନ ଓ ହରିୟାନା ।
  • ଉତ୍ତରଭାରତ ସହ ମୋ ସଂପର୍କ ଯୁଗ ଯୁଗର ।
  • ସାମାଜିକ ଓ ଆର୍ଥିକ ପ୍ରଗତିରେ ମୋ ଭୂମିକା ହେଉଛି ଅମୂଲ ମୂଲ ।
  • ସମୟ ବଦଳିଛି, ମୁଁ ‘ଆରାବଳୀ’ ଏବେ ବିପଦରେ...​​​​​​​

ଦହଗଞ୍ଜ, ହିନିମାନିଆ ହୋଇ କଟୁଛି ଦିନ । କେତେ ଆଉ ଖୋଳିବ? କେତେ କଲବଲ କରିବ । ମୋ କୋଳରୁ କେତେ ଗଛ କାଟିଲେ ପୂରିବ ମନ ଆଉ ପେଟ । ଜୀବନର ଦୋଛକିରେ ମୁଁ । ତୁମ ବିକାଶର ଲୋଭିଲା ଆଖିରେ ମୁଁ ଦେଖୁଛି ବିନାଶର ତାଣ୍ଡବ । ଆଉ କେତେ ଲୁହ ଝରାଇବି? ମୁଁ କେବଳ ପଥରର ଏକ ପାହାଡ଼ ନୁହେଁ, ପ୍ରକୃତିର ଏକ ପ୍ରାଚୀର । ମୁଁ ‘ଆରାବଳୀ’ । କାହାଣୀ ମୋ କହୁଥିଲେ ସରିବନି । ପ୍ରକୃତିର ସନ୍ତାନ ମଣିଷ ସାଜିଛି ଦାନବ । ପାଲଟିଛି ପ୍ରକୃତିର ହତ୍ୟାକାରୀ । ନିଜ ଗୋଡ଼ରେ ନିଜେ ମାରୁଛି କୁରାଢ଼ି । କିଛି ଲୋଭିଲା ଲୋକଙ୍କ ସିନ୍ଦୁକ ଭରିବାକୁ ବାଜିରେ ଲାଗିଛି କୋଟି କୋଟି ଲୋକଙ୍କ ଜୀବନ । କିଛି ମାଫିଆ ଏବେ ଧରାକୁ ସରା ମଣୁଛନ୍ତି । ଟଙ୍କା ଓ କ୍ଷମତା ବଳରେ ବ୍ୟବସ୍ଥାକୁ ହରଣଚାଳ କରୁଛନ୍ତି । ଆଇନକୁ ମୋଡ଼ି ମକଚି ନିଜ ପରପିଢ଼ି ଯାଏଁ ସମ୍ପତ୍ତି ସାଇତିବାକୁ ସାଜିଛନ୍ତି ଲୁଟେରା । ମୋତେ ଖିନଭିନ୍‌ କରି ମାରିଦେବାକୁ ଚାଲିଛି ଭୟଙ୍କର ଷଡ଼ଯନ୍ତ୍ର । ଖଣି ମାଫିଆ, ରାଜନେତା, ଅଫିସର ଓ ଗଣମାଧ୍ୟମ ପଣ୍ଡିତଙ୍କ ଚକ୍ରବ୍ୟୂହରେ ହେଉଛି ଛଟପଟ । ବ୍ରେକିଂ ନ୍ୟୁଜ୍‌ରେ ମୁଁ ‘ଆରାବଳୀ’ ।

ଗଳାବାଟ ଖୋଜୁଛନ୍ତି କଳାପାହାଡ଼

କଳେ ବଳେ କୌଶଳେ ମୋ ଗର୍ଭକୁ ଲୁଟିବେ, ବିଦାରିବେ । ମାଲାମାଲ ହେବେ । ଏମିତି ଷଡ଼ଯନ୍ତ୍ର ରଚିଛନ୍ତି ଖଣି ମାଫିଆ । ବିଶ୍ୱର ସର୍ବପୁରାତନ ପର୍ବତମାଳା ମଧ୍ୟରୁ ଅନ୍ୟତମ ମୁଁ ଆରାବଳୀ । ଲମ୍ବ ପ୍ରାୟ ୬୫୦ରୁ ୮୦୦ କିଲୋମିଟର । ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଦେଇ ଗୁଜରାଟ ପର୍ଯ୍ୟନ୍ତ ମୁଁ ଲମ୍ବିଛି । କେବଳ ପର୍ବତମାଳା ନୁହେଁ ଏକ ପ୍ରାକୃତିକ ପ୍ରାଚୀର ସାଜି ଢାଲ ଭଳି ଛିଡ଼ା ହୋଇଛି । ଉତ୍ତର ଭାରତର ମୁଁ କାଳେ ‘ନିଃଶ୍ୱାସ’ । ପ୍ରତିରକ୍ଷା ଢାଲ । ମୋ ଉପରେ ତ ଏବେ କାହିଁ କେତେ ଲୋଭିଲା ଆଖି । ମୋତେ ଖିନଭିନ୍‌ କରିବାକୁ ପରିଭାଷା ବଦଳିଯାଉଛି । ଯୋଜନା ନାଁରେ ଆଇନକୁ ପାଦରେ ଦଳିଦେବାକୁ ଚାଲିଛି ଷଡ଼ଯନ୍ତ୍ର । ମୁଁ ମର୍ମାହତ । ଆଶ୍ୱାସନା ମୋ ସୁରକ୍ଷା ପାଇଁ ଉଠିଛି ପ୍ରତିବାଦର ସ୍ୱର । ମୋର ବହୁ ସନ୍ତାନ ହାତରେ ହାତ ମିଳାଇଛନ୍ତି । ‘ସେଭ ଆରାବଳୀ’ର ସ୍ୱର ତଗଡ଼ା ଧରିଛି । ସୁପ୍ରିମକୋର୍ଟ ନିଜ ରାୟକୁ ସ୍ଥଗିତ ରଖିଛନ୍ତି । ଅନିଶ୍ଚିତତାର କଳା ବାଦଲ କିନ୍ତୁ ଢାଙ୍କି ରହିଛି । ମୋ ତଣ୍ଟି ଚିପିବାକୁ ଚାଲିଛି କେତେ ଫନ୍ଦି ଫିକର । କ’ଣ ମୋର ଭବିଷ୍ୟତ? କ’ଣ ହେବ ମୋ ପିଲାମାନଙ୍କ ଭବିଷ୍ୟତ? ମୁଁ ନରହିଲେ ସେମାନେ ରହିବେ ତ? ଏ ଯନ୍ତ୍ରଣା ମୋତେ କରୁଛି କଲକଲ ।

ସକାଳୁ ସଂଜ ଆଖିରୁ ନିଗୁଡ଼ୁଛି ଲୁହ । ଗତ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶ ବଢ଼ାଇଛି ମୁଣ୍ଡବ୍ୟଥା । ମୋତେ ନେଇ କୋର୍ଟ ଦେଇଥିବା ନିର୍ଦ୍ଦେଶ ଆଣିଛି ବିବାଦ ଓ ବିତର୍କ । କେବଳ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ଉଚ୍ଚରେ ଥିବା ପାହାଡ଼ଗୁଡ଼ିକୁ ଏବେ ‘ଆରାବଳୀ’ପର୍ବତ ଶୃଙ୍ଖଳ ଭାବରେ ବିବେଚନା କରାଯିବ । ୧୦୦ ମିଟରରୁ କମ୍‌ ଉଚ୍ଚତା ଥିବା ପାହାଡ଼ଗୁଡ଼ିକୁ ଜଙ୍ଗଲ ଭାବରେ ଗଣା ହେବନି । ଏ ନିର୍ଦ୍ଦେଶ ଲଗାଇଛି ନିଆଁ । ପରିବେଶବିତ୍‌ ଏହାକୁ କରୁଛନ୍ତି ଜୋରଦାର ବିରୋଧ । ଆଇନର ଗଣ୍ଡିରୁ ମୋତେ ବାହାର କରି ଲୁଟିବାକୁଏହା ଉଚ୍ଚତା ମାପିବାର ନୂଆ ଫର୍ମୁଲା । ଖଣି ଖନନ ପାଇଁ ବାଟ ବାହାର କରିବାକୁ ଏହା ସଂଘବଦ୍ଧ ଷଡ଼ଯନ୍ତ୍ର ନୁହେଁ କି? ଏ ନିୟମ ଯଦି କାର୍ଯ୍ୟକାରୀ ହୁଏ ମୋର ୯୦ ପ୍ରତିଶତ ଅଞ୍ଚଳରେ ଆରମ୍ଭ ହେବ ଖଣି ଖନନ ଓ ନିର୍ମାଣ । ଦିଲ୍ଲୀ-ଏନ୍‌ସିଆରର ଫୁସ୍‌ଫୁସ୍‌ ଭାବେ କାର୍ଯ୍ୟ କରୁଥିବା ମୁଁ ‘ଆରାବଳୀ’ ଏବେ ବିପଦରେ । ଏବେ ମୋତେ ଖୋଳତାଡ଼ି ଯେତିକି ଲୁଟ୍‌ ଚାଲୁଛି ନୂଆ ନିୟମରେ ତାହା ବୈଧ ହୋଇଯିବ । ଶହେ ଗୁଣ ଅଧିକ ଲୁଟପାଟ୍‌ ଚାଲିବ । ଅସଂଖ୍ୟ ଜୀବଜନ୍ତୁ ନିଶ୍ଚିହ୍ନ ହୋଇଯିବେ । ଖଣିର ମୋହ ଅଗଣିତ ବୃକ୍ଷଲତାଙ୍କୁ ବିଲୁପ୍ତ କରିଦେବ । ଦିଲ୍ଲୀ ସମେତ ଉତ୍ତର ଭାରତ ମରୁଭୂମି ପାଲଟିଯିବ । ଅନୁମାନ କରିପାରୁଛନ୍ତି ଆଗକୁ କେତେ କ୍ଷତି ସହିବ ମଣିଷ ସମାଜ?

ମୁଁ ବଞ୍ଚିଲେ..ତୁମେ ବଞ୍ଚିବ

ମୋ ବୟସ ଜାଣିଛନ୍ତି କେତେ? କାହିଁ କେଉଁ ଅନାଦି କାଳରୁ ମୁଁ ଏମିତି ମଥାଟେକି ଛିଡ଼ା ହୋଇଛି । ସାଜିଛି ସୁରକ୍ଷା କବଚ । ଦିଲ୍ଲୀ ନିକଟରେ ନାହିଁ ଜଙ୍ଗଲ  । ସ୍ୱଚ୍ଛ ବାୟୁ ପାଇଁ ରାଜଧାନୀ ମୋ ଉପରେ ନିର୍ଭର କରେ । ଦିଲ୍ଲୀର ଫୁସଫୁସ ଭଳି କାମ କରେ ମୁଁ । ସାରା ଦିଲ୍ଲୀକୁ ନିଃଶ୍ୱାସ ନେବା ପାଇଁ ସ୍ୱଚ୍ଛ ବାୟୁ ପ୍ରଦାନ କରେ । ରାଜସ୍ଥାନରୁ ଆସୁଥିବା ଗରମ ଏବଂ ଧୂଳିପୂର୍ଣ୍ଣ ପବନକୁ ଦିଲ୍ଲୀରେ ପହଞ୍ଚିବାରେ ମୁଁ ହିଁ ବାଧକ । ଯଦି ମୋର ପାହାଡ଼ଗୁଡ଼ିକ ଦୁର୍ବଳ ହୋଇଯାଏ ଦିଲ୍ଲୀ ଦେଖିବ ପ୍ରବଳ ଧୂଳିଝଡ଼ । ଲାଗି ରହିବ ଗରମ ପବନ । ବିଶେଷଜ୍ଞ କହନ୍ତି, ମୋ ପର୍ବତଶ୍ରେଣୀର ପାହାଡ଼ଗୁଡ଼ିକ ଜୈବ ବିବିଧତାର ସୁରକ୍ଷା ସହ ପ୍ରଦୂଷଣ ନିୟନ୍ତ୍ରଣରେ ସାହାଯ୍ୟ କରୁଛି । ଗଛ, ମାଟି ଏବଂ ଉଦ୍ଭିଦ କ୍ଷତିକାରକ କଣିକାଗୁଡ଼ିକୁ ଶୋଷଣ କରେ ।

ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଲା ମାତ୍ରେ ଦିଲ୍ଲୀ-ଏନସିଆରରେ ବାୟୁ ଦ୍ରୁତ ଗତିରେ ପ୍ରଦୂଷିତ ହେବ । ଜଳ ସଂକଟରେ ଲୋକ ଡାକିବେ ତ୍ରାହି ତ୍ରାହି । ପାହାଡ଼ରୁ ପାଣି ତଳକୁ ଦ୍ରୁତ ଖସିବ । ଦିଲ୍ଲୀରେ ବନ୍ୟାର ଆଶଙ୍କା ମଧ୍ୟ ବଢିବ । ଶହ ଶହ ପ୍ରଜାତିର ଉଭିଦ, ପକ୍ଷୀ, ସ୍ତନ୍ୟପାୟୀ ପ୍ରାଣୀ ଓ କୀଟପତଙ୍ଗ ବିଲୁପ୍ତ ହୋଇଯିବେ । ବିଗିଡ଼ିଯିବ ଖାଦ୍ୟ ଶୃଙ୍ଖଳ । ମଣିଷ ବଞ୍ଚିବ ତ? ସବୁ ଜାଣି ବି ସରକାର କିନ୍ତୁ ମୋ ଦେହରୁ ଖଣି ଖୋଳିବାକୁ ଏବେ ବ୍ୟାକୁଳ କାହିଁକି? କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହେଲେ ୪ ରାଜ୍ୟ ଦିଲ୍ଲୀ, ରାଜସ୍ଥାନ, ହରିୟାନା, ଗୁଜରାଟ ପରିବେଶ ଦୃଷ୍ଟିରୁ ବହୁଳ ଭାବେ ପ୍ରଭାବିତ ହେବ । ଜୀବନ ହୋଇଯିବ ଦୁର୍ବିସହ । ୪ ରାଜ୍ୟର ୩୯ ଜିଲ୍ଲାରେ ମୋର କାୟା ଥିଲା ବେଳେ ୧୯୮୫ରୁ ମୋତେ ନେଇ କୋର୍ଟରେ ଚାଲିଛି ଟଣାଓଟରା । ବହୁ ଅଞ୍ଚଳରେ ଖଣି ଖନନ ଚାଲିଛି । ନିର୍ମାଣ କାମ ବି ହେଉଛି । ଏବେ ଫୁଲଦମରେ ଲୁଟପାଟ ପାଇଁ ଚାଲିଛି ଷଡ଼ଯନ୍ତ୍ର । ମୋ ଜୈବ ବିବିଧତାର ଭଣ୍ଡାର ଥରେ ବିକଳାଙ୍ଗ ହୋଇଗଲେ ମାଡ଼ି ଆସିବ ସଂକଟ । କିଏ ଦାୟୀ ରହିବ? କିଏ ଜବାବ ମାଗିବ..କିଏ ଦେବ ଉତ୍ତର?

ଲୋଭରେ ଲାଗୁ ଲଗାମ

ମୁଁ ଏବେ ଟିକେ ଆଶ୍ୱସ୍ତ । ମୋତେ ନେଇ ସୁପ୍ରିମକୋର୍ଟ ନଭେମ୍ବର ୨୦ରେ ଦେଇଥିବା ନିଜର ପୂର୍ବ ରାୟକୁ ସ୍ଥଗିତ ରଖିଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ନୋଟିସ୍‌ ଜାରି ହୋଇଛ । ଖଣି ଖନନ ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଜାନୁଆରୀ ୨୧ରେ ହେବ ପରବର୍ତ୍ତୀ ଶୁଣାଣି । ପରିବେଶବିତ୍‌ଙ୍କ ଅଭିଯୋଗ, ନଦୀନାଳ ପରେ ମଣିଷର ଆଖି ଏବେ ପାହାଡ଼ ଉପରେ । ଅଟ୍ଟାଳିକା, ହୋଟେଲ, ରେସ୍ତୋରାଁରୁ ଶିଳ୍ପ ପ୍ରକଳ୍ପ ମଧ୍ୟ ପାହାଡ଼ ତାଡ଼ି ନିର୍ମାଣ କରୁଛି । ପାହାଡ଼ର ସବୁଜିମା ଉପରେ ଜବରଦଖଲ କରି ନିଜର ଲୋଭ ପୂରଣ କରୁଛି । ମଣିଷ ସମାଜକୁ ପ୍ରକୃତି ଦେଇଛି ଅନେକ କିଛି । ବିସ୍ତୀର୍ଣ୍ଣ ବେଳାଭୂମି, ବହୁ ନଦୀ, ଝରଣା, ଘଞ୍ଚ ଜଙ୍ଗଲ ସହ ପାହାଡ଼ ପର୍ବତ ଆମ ଦେଶର ବଡ଼ ସମ୍ପଦ । ମାତ୍ର ମଣିଷର ଲୋଭ ପାଇଁ ଜୈବ ସନ୍ତୁଳନ ଏବେ ବିଗିଡ଼ିବାକୁ ବସିଛି ।

ମାଡ଼ି ଆସିଲାଣି ଭୟଙ୍କର ବିପଦ । ନିଜ ଲୋଭରୁ ଏବେ ବିପଦର ଯନ୍ତାରେ । ଏ ବୁଢ଼ିଆଣି ଜାଲରୁ କେମିତି ମିଳିବ ମୁକ୍ତି? ଗଣମାଧ୍ୟମରେ ମୁଁ ‘ଆରାବଳୀ’ ଏବେ ବଡ଼ ଖବର । ସକାଳେ ଖବରକାଗଜରେ, ସନ୍ଧ୍ୟାରେ ଟିଭି ଷ୍ଟୁଡିଓରେ ମୋତେ ନେଇ କେତେ ଚର୍ଚ୍ଚା କେତେ ବିତର୍କ । ଭାରତବର୍ଷର ବହୁ ଘଟଣା, ଦୁର୍ଘଟଣାର ମୁଁ ହେଉଛି ମୂକସାକ୍ଷୀ । ସ୍ୱାଧୀନତାର ମହାର୍ଘ୍ୟ ମୁହୂର୍ତ୍ତରୁ ଯୁଦ୍ଧର ଘନଘଟା ସବୁ ବେଲାଳସେନ ଭଳି ମୁଁ ଦେଖିଛି । ମୁଁ ଅମୂଲମୂଲ ପ୍ରାକୃତିକ ସମ୍ପଦ ସାଇତି ରଖିଛି । ବିରଳ ଜୈବ ବିବିଧତାର ସୁରକ୍ଷା କବଚ ପାଲଟିଛି । ମଣିଷ ସମାଜ ସହ ବନ୍ୟପ୍ରାଣୀଙ୍କ ପାଇଁ ମୁଁ ହେଉଛି ପ୍ରକୃତି ମାଆ । ହେଲେ ମୋ ଦୁର୍ଦ୍ଦଶାର ଅନ୍ତ ବା କାହିଁ? ବେଆଇନ୍‌ ଖଣି ଖନନ ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ମୋ ଜୀବନ ସଙ୍କଟରେ । ‘ବେଡ଼ି ଉପରେ କୋରଡ଼ା ମାଡ଼’ ଭଳି ସୁପ୍ରିମକୋର୍ଟଙ୍କ ନୂଆ ନିୟମ ଯଦି ଲାଗୁ ହେବ ସବୁ ଉଜୁଡ଼ି ଯିବ । ଅନାହାର, ଦୁର୍ଭିକ୍ଷରୁ ଭଳିକି ଭଳି ରୋଗ ମାଡ଼ି ଆସିବ । ଜୀବନ ହୋଇଯିବ ହାହାକାର । ଏହା ହିଁ ‘ଆରାବଳୀ’ର ଦୁଃଖ, ଲୁହ ଓ ମର୍ମବେଦନା । ଟିକେ କାନ ଡେରି ଶୁଣ... ।

ମୁଁ ବଞ୍ଚିଲେ..ତୁମେ ବଞ୍ଚିବ