ଭୁବନେଶ୍ବର ୨୪/୦୧:ଦେଖିବାକୁ ବାଛୁରୀ ଭଳି କିନ୍ତୁ ଏହା ଏକ ଗାଈ । ଏହି ଗାଈ ବିଶ୍ୱର ସବୁଠୁ ଛୋଟ ଗାଈ । ନା ହେଉଛି ‘ପୁଙ୍ଗାନୁର’ । ଏହି ଗାଈର ଉଚ୍ଚତା ସର୍ବାଧିକ ଅଢେଇ ଫୁଟ୍ । ଏହାର କ୍ଷୀରରେ ରହିଛି ଔଷଧୀୟ ଗୁଣ । ସେଥିପାଇଁ ଏହି ଗାଈର କ୍ଷୀରକୁ ସ୍ୱର୍ଣ୍ଣିମ କ୍ଷୀର (ଗୋଲ୍ଡେନ ମିଲ୍କ) ବୋଲି କୁହାଯାଏ । କ୍ଷୀରର ସ୍ୱାଦ କ୍ରିମ୍ ଠାରୁ ବି ଅଧିକ ମିଠା । ଜନତା ମଇଦାନରେ ଅନୁଷ୍ଠିତ ମତ୍ସ୍ୟ-ପ୍ରାଣୀ ସମାବେଶରେ ଏହି ପୁଙ୍ଗାନୁର ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।
ପୁଙ୍ଗାନୁର ଗାଈ ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ପୁଙ୍ଗାନୁର ସହରରେ ଦେଖାଯାଆନ୍ତି । ଓଡ଼ିଶାରେ ପୁଙ୍ଗାନୁର ଗାଈର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଉଚ୍ଚତା ୭୦-୯୦ ସେଣ୍ଟିମିଟର ହୋଇଥିବା ବେଳେ ଓଜନ ୧୧୫-୨୦୦ କିଲୋଗ୍ରାମ । ଏହା ଦୈନିକ ୫ କିଲୋଗ୍ରାମ ଗୋଖାଦ୍ୟ ଖାଏ । ଶାନ୍ତ ସ୍ୱଭାବର ଏହି ଗାଈ ଉଭୟ ଶୁଷ୍କ ଓ ଗରମ ଜଳବାୟୁରେ ରହିପାରନ୍ତି । ଦୈନିକ ହାରାହାରି ୩.୫ ଲିଟର କ୍ଷୀର ଦେଉଥିବାବେଳେ ଦୁଗ୍ଧ ଉତ୍ପାଦନ ଅବଧି ମଧ୍ୟରେ ପ୍ରାୟ ୫୪୦ ଲିଟର କ୍ଷୀର ଦେଇଥାନ୍ତି । ପୁଙ୍ଗାନୁର ଦୁଗ୍ଧରେ ୮ ପ୍ରତିଶତ ଘିଅ ଅଂଶ ରହିଛି । ଗାଈ ମୂତରେ ମଧ୍ୟ ବ୍ୟାକ୍ଟେରିଆ ବିରୋଧୀ କ୍ଷମତା ରହିଛି ଯାହାକୁ ଚାଷୀ କ୍ଷେତରେ ବ୍ୟବହାର କରନ୍ତି । ଏହି ଗାଈର ମୂଲ୍ୟ ୫୦ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଗତ ବର୍ଷ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୁଙ୍ଗାନୁର ଗାଈ କିଣିଥିଲେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ହି ଏହି ପୁଙ୍ଗାନୁର ଗାଈ କିଣିହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।