ରାୟଗଡା ୧୦/୦୫: ଗତକାଲି ରାତିରେ ରାୟଗଡା ସହର ଇନ୍ଦିରା ନଗର ତୃତୀୟ ଲେନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ସହର ସ୍ଥିତ ରେଲି ସାହିର ଯୁବକ ନିଖିଲ ହାଡ଼ିପାକୁ ଅପହରଣ କରି ହତ୍ୟା କରିଥିବା ଜଣାପଡିଛି। ନିଖିଲର ମୃତଦେହ ତୁମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ କୂଳରେ ଠାବ ହୋଇଛି। ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାରେ ଆଜି ସକାଳୁ ପୁଲିସର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସକୁ ଏକ ବ୍ୟବହୃତ ଖୋକା ମିଳିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନା ଦେଖାଦେଇଛି।
ସୂଚନାଯୋଗ୍ୟ ଯେ ଗତକାଲି ପାଖାପାଖି ରାତି ୧୦ଟା ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲକୁ ପିଛା କରିଥିଲେ। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡି ପଳାଇବା ସମୟରେ ଫାୟାରିଂ ହୋଇଥିଲା। ଏପରିକି ଯୁବକ ଜଣକ ପ୍ରାଣ ଭୟରେ ଏକ ଘରକୁ ପଶିଯିବା ସମୟରେ ଦୁର୍ବୁତ୍ତ ମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ଚାଲିଯାଇଥିଲେ। ନିଖିଲକୁ ହତ୍ୟା ପରେ ତୁମ୍ବିଗୁଡା ନିକଟରେ ନାଗାବଳୀ ନଦୀ କୂଳରେ ଫିଙ୍ଗି ଚାଲିଯାଇଥିଲେ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏସପି ସ୍ୱାତୀ ଏସ୍ କୁମାର, ଏସଡିପିଓ ଗୌରହରି ସାହୁ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ...ବାଲିଅନ୍ତା ବର୍ବରକାଣ୍ଡ : କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ