ଭୁବନେଶ୍ୱର,୦୨/୦୬; ବର୍ଷ ୨୦୨୩ ଜୁନ୍ ୨ ତାରିଖ । ଏ ଦିନକୁ କେହି କେବେ ଭୁଲିବେ ନାହିଁ । ଏ ଦିନ ଏମିତି ଏକ କ୍ଷତ  ଦେଇଥିଲା ଯାହାର ଚିହ୍ନ କେବେ ଲିଭିବନି । ଏ ଦିନ ରେଳଧାରଣାରେ ରକ୍ତର କାହାଣୀ ଲେଖା ହୋଇଥିଲା । ଅନେକ ଜୀବନ ଯାଇଥିଲା । ଜୀବନରେ ଏମିତି ଏକ ଯନ୍ତ୍ରଣା ଦେଇଗଲା ଯେ, ତାକୁ ନା ଓଡ଼ିଶାବାସୀ ଭୁଲିବେ ନା ଭାରତ କେବେ ଭୁଲିପାରିବ । ସେଦିନ ଥିଲା ଶୁକ୍ରବାର । ସନ୍ଧ୍ୟା ପ୍ରାୟ ୭ଟା । ସ୍ଥାନ ବାଲେଶ୍ୱର ବାହାନଗା ବଜାର ରେଳ ଷ୍ଟ୍ରେସନ । ଅନ୍ଧାରକୁ ଚିରି ଟ୍ରାକ୍‌ରେ ଗଡୁଥିଲା ଟ୍ରେନ । ସମସ୍ତେ ଅପେକ୍ଷା କରିଥିଲେ ନିଜ ନିଜ ଠିକଣାକୁ । ଅଚାନକ ଶୁଭିଥିଲା ଭୟଙ୍କର ଶଦ୍ଦ । ଥରି ଉଠିଥିଲା ଅଞ୍ଚଳ । ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର । ଚାରିଆଡେ ପଡିଯାଇଥିଲା ଚହଳ । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହି ସମୟରେ ବାହାନଗା ରେଳ ଷ୍ଟେସନର ଲୁପ୍ ଲାଇନ୍‌ରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ।

କରମଣ୍ଡଳର ୧୯ ବଗି ଲାଇନ ବାହାରି ଛିଟକି ପଡିଥିଲା । ଦୁର୍ଭାଗ୍ୟବସତଃ ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧାରଣାରେ ଯାଉଥିବା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ତା ପରର ଦୃଶ୍ୟଥିଲା ଭୟଙ୍କର । ରକ୍ତରେ ଭିଜିଥିଲା ଟ୍ରାକ୍ । ନବନିର୍ମିତ ବାହାନଗା ଉଚ୍ଚ ବିଦ୍ୟାଳୟରେ ମୃତଦେହ ରଖା ଯାଇଥିଲା । ଶବର ପାହାଡରୁ ଖୋଜା ପଡିଥିଲେ ସମ୍ପର୍କୀୟ । ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୨୪ ଜଣଙ୍କର ପରିଚୟ ମିଳି ପାରିନଥିଲା । ଆଜି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୩ ବର୍ଷ ପୂରିଛି । ଆଜି ବି ସେ କାଳ ରାତି ମନରୁ ଲିଭିନାହିଁ । ଲୌହ ଦାନବର ସେ ରକ୍ତଭୋଜି କଥା ମନେ ପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ ।

ଏହା ବି ପଢନ୍ତୁ...Global demand for Indian weapons: ବିଶ୍ୱରେ ବଢ଼ୁଛି ଭାରତୀୟ ଯୁଦ୍ଧାସ୍ତ୍ରର ଚାହିଦା, ୨୦୨୫-୨୬ରେ ୩୮,୪୨୪ କୋଟିର ଡିଲ୍  

ଉଦାହରଣ ସୃଷ୍ଟି କରିଥିଲେ ବାଲେଶ୍ୱରବାସୀ- ଟ୍ରେନ୍ ଦୁର୍ଘଟଣା ଦିନ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ସ୍ଥାନୀୟ ଲୋକ । ପରେ ଜିଲ୍ଲାର କୋଣ ଅନୁକୋଣରୁ ଛୁଟି ଆସିଲେ ସ୍ୱେଚ୍ଛାସେବୀ । ଯିଏ ଯେଉଁ ପ୍ରକାର ପାଇଥିଲେ ସାହାଯ୍ୟ କରିଥିଲେ । ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବ୍ୟବସ୍ଥା କରିଥିଲେ । ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରାତି ତମାମ ଶହ ଶହ ବାଲେଶ୍ୱରବାସୀଙ୍କ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଦେଶର ପ୍ରଶଂସା ସାଉଁଟିଥିଲେ । ବିପତ୍ତି ସମୟରେ ବାଲେଶ୍ୱରବାସୀଙ୍କ ଏହି କାର୍ଯ୍ୟକୁ ସମସ୍ତେ ତାରିଫ କରିଥିଲେ ।

ଛୁଟିଥିଲା ନେତାମନ୍ତ୍ରୀଙ୍କ ସୁଅ- ଦୁର୍ଘଟଣା ପରେ ବାଲେଶ୍ୱରକୁ ନେତାମନ୍ତ୍ରୀଙ୍କ ସୁଅ ଛୁଟିଥିଲା । ଅନେକ ରାଜନେତା ବାଲେଶ୍ୱର ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳକୁ ଆସିଥିଲେ । ଡାକ୍ତରଖାନାରେ ଆହତଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।

ଦୁର୍ଘଟଣାର ତଦନ୍ତ- ଭାର ସିବିଆଇକୁ ଦିଆଯାଇଥିଲା । ସିଗନାଲ ଇଞ୍ଜିନିୟର, ସିନିୟର ସିଗନାଲ ଅଫିସର ଓ ଟେକ୍ନିସିଆନଙ୍କୁ ପଚରାଉଚରା କରାଯାଇଥିଲା । ବାହାନଗା ଦୁର୍ଘଟଣା ପାଇଁ ରେଳ କର୍ତ୍ତୃପକ୍ଷଙ୍କ ମିଳିତ ଅବହେଳାକୁ ଦାୟୀ କରିଥିଲେ ଓଡ଼ିଶା ହାଇକୋର୍ଟ । ସିଗନାଲ ସିଷ୍ଟମର ରକ୍ଷଣାବେକ୍ଷଣ, ସଠିକ୍ କାର୍ଯ୍ୟକାରିତାରେ ବିଫଳ ହୋଇଥିବା କହିଥିଲେ କୋର୍ଟ । ସିଗନାଲିଂ-ସର୍କିଟ୍ ପରିବର୍ତ୍ତନରେ ତ୍ରୁଟି ପାଇଁ ଟ୍ରିପଲ୍-ଟ୍ରେନ୍ ଧକ୍କା ହୋଇଥିବା ରେଳ ସୁରକ୍ଷା କମିଶନ ପକ୍ଷରୁ ରେଳ ମନ୍ତ୍ରଣାଳକୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ବାହାନଗା ଦୁର୍ଘଟଣା ପାଇଁ ରେଳ କର୍ତ୍ତୃପକ୍ଷଙ୍କ ମିଳିତ ଅବହେଳା ଦାୟୀ କରିଥିରେ ଓଡ଼ିଶା ହାଇକୋର୍ଟ ।

ସେଦିନ ଅଶୁଭ ଶୁକ୍ରବାର ଆଉ ଆଜି ଭିତରେ ବହୁତ କିଛି ବଦଳିଛି । ବାହାନଗା ଷ୍ଟେସନ ନୂଆ ରୂପ ନେଇଛି । ଅସଜଡା ଟ୍ରାକ୍ ସଜାଡ଼ି ହୋଇଛି । ଟ୍ରାକରେ ପୁଣି କରମଣ୍ଡଳ ଗଡୁଛି । ହେଲେ ସେଦିନ ସ୍ୱପ୍ନ ନେଇ ଘରୁ କାଢିଥିବା ପାଦ ଆଉ ଫେରିନାହିଁ । ଆଜି ବି କାନ୍ଦୁଛନ୍ତି ସମ୍ପର୍କୀୟ  । ବାହାନଗା ଟ୍ରାକରେ ଏବେ ବି ଟ୍ରେନ୍ ଗଡିଲେ ଯାତ୍ରୀଙ୍କ ମନରେ ଛନକା ପଶିଯାଏ । ଲୌହ ଦାନବର ରକ୍ତ ଭୋଜି କଥା ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠେ । ଏ ଟ୍ରେନ୍ ଦୁର୍ଘଟଣା ଖାଲି ଭାରତ ନୁହେଁ ବିଶ୍ୱବାସୀଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏହା ବିଶ୍ୱରେ ସବୁଠୁ ବଡ଼ ଟ୍ରେନ୍ ଦୁର୍ଘାଟଣା ଥିଲା ବୋଲି କୁହାଯାଏ । ଏତିକି କାମନା କରିବା କି, ଏପରି ଦୁର୍ଘଟଣା ଆଉ କେବେ ବି ନଘଟୁ ।

ଏହା ବି ପଢନ୍ତୁ...CM Vijay: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଳା-ଧଳା କୋଟ୍ କାହିଁକି ପିନ୍ଧନ୍ତି ? ସୁଟ୍ ପଛରେ ଲୁଚିଛି ବଡ଼ ସଙ୍କେତ