ନୂଆଦିଲ୍ଲୀ ୨୭/୧୨: ପର୍ତ୍ତୁଗାଲ ପ୍ରତ୍ନତତ୍ତ୍ୱବିତ୍‌ ଆଲେକ୍‌ଜାଣ୍ଡର ମଣ୍ଟିରୋ ଦାବି କରିଛନ୍ତି, ପର୍ତ୍ତୁଗାଲର ଆଖପାଖ ସମୁଦ୍ରରେ ୨୫୦ ଜାହାଜ ବୁଡ଼ି ରହିଛି । ଏଥିରେ ପ୍ରଚୁର ପରିମାଣର ସୁନା-ରୁପା ଭଣ୍ଡାର ରହିଛି । ଗୋଟିଏ ଜାହାଜରେ ଅତିକମ୍‌ରେ ୨୨ ଟନ୍‌ ସୁନା ଓ ରୁପା ଥିବ । ଏହି ଭଣ୍ଡାର ଯାହାକୁ ମିଳିବ, ସେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଯିବ । 

ସେ କହିଛନ୍ତି, ୧୫୮୯ ମସିହାରେ ଲିସ୍‌ବନର ଦକ୍ଷିଣରେ ସ୍ପାନିଶ୍‌ ଗାଲିଓନ ଜାହାଜ ଟ୍ରୋଜନ୍‌ ଉପଦ୍ୱୀପ ନିକଟରେ ବୁଡ଼ିଥିଲା, ଖାସ୍‌କରି ନୋସା ସେନହୋରା ଡୋ ରୋଜାରିୟା ସାମୁଦ୍ରିକ ଅଞ୍ଚଳରେ । ଏଥିରେ ୨୨ ଟନ୍‌ ସୁନା ଓ ରୁପା ଥିବା ଆଶା କରାଯାଉଛି । ଏ ନେଇ ଏକ ସ୍ୱତନ୍ତ୍ର ଡାଟାବେସ୍‌ ପ୍ରସ୍ତୁତ କରିଥିବା ମଣ୍ଟେରୀ କହିଛନ୍ତି । ଏହି ଡାଟାବେସ୍‌ରେ ମଦୀରା, ଅଜୋର୍ସ ଓ ଦେଶର ଅନ୍ୟ ସ୍ଥାନରେ କେଉଁଠି କେଉଁଠି ଭଣ୍ଡାରପୂର୍ଣ୍ଣ ଜାହାଜ ବୁଡ଼ିଛି, ତାହା ରହିଛି । ଷୋଡ଼ଶ ଶତାବ୍ଦୀରୁ ଏପର୍ଯ୍ୟନ୍ତ ବୁଡ଼ିଥିବା ଜାହାଜଗୁଡ଼ିକର ତଥ୍ୟ ସେ ସଂଗ୍ରହ କରିଛନ୍ତି । ପର୍ତ୍ତୁଗାଲ ଆଖପାଖରେ ବୁଡ଼ିଥିବା ଜାହାଜ ସଂଖ୍ୟା ପ୍ରାୟ ୮୬୨୦ । କିନ୍ତୁ ପର୍ତ୍ତୁଗାଲ ପାଖରେ ଏହି ଭଣ୍ଡାରକୁ ସୁରକ୍ଷିତ ରଖିବା ଓ ସମ୍ଭାଳିବାର ସୁବିଧା ନାହିଁ ।

ଦେଶର ଅନ୍ୟ ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବା ଅନୁସାରେ, ଲୁଟେରାମାନେ ଜାହାଜରୁ ସମୁଦ୍ର ଭିତରେ ଭିତରେ ଭଣ୍ଡାର ଲୁଟିପାରନ୍ତି । ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ । ତେଣୁ ପ୍ରଥମେ ଏଭଳି ଜାହାଜକୁ ଖୋଜି ସୁରକ୍ଷା ଦେବା ଉଚିତ୍‌ । ଏହା ପରେ ଭଣ୍ଡାର ବାହାର କରି ଉଚିତ୍‌ ସ୍ଥାନରେ ରଖାଯାଉ ।