ବୈପାରିଗୁଡ଼ା, ୨୮/୧୧ : ଗାଁକୁ ନାହିଁ ପକ୍କାରାସ୍ତା । ବର୍ଷାଦିନେ କାଦୁଅରେ ଭର୍ତ୍ତି ହେଉଛି ଡଙ୍ଗର ବାଟ । ଜରୁରି ସମୟରେ ଆସିପାରୁନି ଆମ୍ବୁଲାନ୍ସ । ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହିବାକୁ ପଡ଼ୁଛି । ପାଣି ପାଇଁ ଲୋକ ଡହଳବିକଳ ହେଉଛନ୍ତି । ଚୁଆ ପାଣିରେ ମେଣ୍ଟାଉଛନ୍ତି ଶୋଷ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଲୋକସଭା ଓ ବିଧାନସଭା ଅଧୀନ ବୈପାରିଗୁଡ଼ା ବ୍ଲକ୍ କୋଲାର ପଞ୍ଚାୟତର କନ୍ଧପୋଡ଼ାପଦର ଗାଁରେ । ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ବାରମ୍ବାର ଦାବି କରିଆସୁଛନ୍ତି । ସେମାନଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗାଁ ମୁଖିଆ ସାହେବ ଖିଲଙ୍କ ସମେତ ଗୋରା ଖିଲ, ରାମ ଖିଲ, ଲବି ଖିଲ, ଲିଙ୍ଗା ଖରା, କୃଷ୍ଣ ଖରା ଓ ନୀଳା ଖିଲ ପ୍ରମୁଖ କହିଛନ୍ତି, ବ୍ଲକ୍ ସଦରଠାରୁ ୧୪ କିମି ଦୂରରେ ରହିଛି ତାଙ୍କ ଗାଁ । ବୈପାରିଗୁଡ଼ା-ମାଲକାନଗିରି ମୁଖ୍ୟରାସ୍ତାର ଟାପାଯୋଡ଼ି ଛକରୁ ୨ କିମି ଗଲେ ପଡ଼ିବ କନ୍ଧପୋଡ଼ାପଦର । ଏଠି ୩୦ ପରିବାର ବସବାସ କରୁଛନ୍ତି । ଜନସଂଖ୍ୟ ପାଖାପାଖି ୧୫୦ । ଚାଷବାସ କରି ସେମାନେ ପେଟ ପୋଶୁଛନ୍ତି । ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଗାଁକୁ ପକ୍କାରାସ୍ତା ନିର୍ମାଣ ହୋଇନି । ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତାରେ ଯାତାୟତ କରୁଛନ୍ତି । ବର୍ଷାଦିନେ ଦୁର୍ଦ୍ଦଶା ଭୋଗୁଛନ୍ତି । ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦୀର୍ଘବର୍ଷ ତଳେ ଗାଁରେ ଏକ ନଳକୂଅ ଖୋଳାଯାଇଛି । ଏବେ ତାହା ଅଚଳ ପଡ଼ିଛି । ଗରାଏ ପାଣି ବାହାରିଲା ପରେ ପୁଣି ଅପେକ୍ଷା କରିବାକୁ ପଡୁଛି ଅଧଘଣ୍ଟା । ବିକଳ୍ପ ନଥିବାରୁ ପିଇବା ପାଣି ପାଇଁ ସମସ୍ୟା ଭୋଗୁଛନ୍ତି । ଜମିରେ ଚୁଆ ଖୋଳି ସେଥିରୁ ପାଣି ସଂଗ୍ରହ କରି ପିଉଛନ୍ତି । ଏହାକୁ ବ୍ୟବହାର କରି ବିଭିନ୍ନ ସମୟରେ ରୋଗରେ ପଡ଼ୁଛନ୍ତି । କିଛିବର୍ଷ ତଳେ ଏହି ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗାଁରେ ୫ ଦିନିଆ କ୍ୟାମ୍ପ୍ କରିଥିଲେ । ସେତେବେଳେ ଝାଡ଼ାବାନ୍ତିର କାରଣ ପାନୀୟ ଜଳ ବୋଲି ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା । ତଥାପି ଆଜି ଯାଏଁ କୌଣସି ପ୍ରକାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନି । ୩୦ ପରିବାର ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ।
ଏଠିକା ଶିକ୍ଷା ସୁବିଧା ବିଷୟ ନକହିବା ଭଳ । ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ତାହର ମରାମତି କରାଯାଉନି । ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କୌଣସି ସୁଫଳ ମିଳୁନାହିଁ । ବର୍ତ୍ତମାନ କୁନିକୁନି ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ର ହେଲପରଙ୍କ ଘର ବାରଣ୍ଡାରେ ବସି ପିଲା ପଢ଼ୁଛନ୍ତି । ଗାଁର ସମସ୍ତ ପରିବାର ଗରିବ ଶ୍ରେଣୀର । ଅଥଚ ଆଜି ପର୍ଯ୍ୟନ୍ତ କାହାରିକୁ ଆବାସ ଯୋଜନାରେ ସାମିଲ୍ କରାଯାଇନାହିଁ । କହିବାକୁ ଗଲେ ଆବାସ ଯୋଜନା କ’ଣ ସେମାନେ ଜାଣିନାହାନ୍ତି । ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଗାଁ ମୁଖିଆ ଶ୍ରୀ ଖିଲ ଦାବି କରିଛନ୍ତି । ପାନୀୟ ଜଳ, ଗମନାଗମନ ପାଇଁ ପକ୍କାରାସ୍ତା ଓ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।