ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି । ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ ମୁକାବିଲା ନଭେମ୍ବର ୨୨ରେ ପର୍ଥରେ ଖେଳାଯିବ । କିନ୍ତୁ ପ୍ରଥମ ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଯୁବ ବ୍ୟାଟର ଶୁବମନ ଗିଲ ଖେଳିପାରିବେ ନାହିଁ । ଦ୍ବିତୀୟ ପିଲାର ବାପା ହେବା ପରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ଯାଇପାରି ନାହାନ୍ତି । ସେହିଭଳି ଆହତ କାରଣରୁ ଶୁଭମନ ଗିଲ୍ ପ୍ରଥମ ଟେଷ୍ଟରେ ସାମିଲ ହୋଇପାରିବେ ନାହିଁ । ଏଥିପାଇଁ ଭାରତୀୟ ଟିମ୍ ଲାଗି ଅସୁବିଧା ଉପୁଜିଛି ।
ଭାରତୀୟ ଟିମ୍ରେ ଏମିତି ୮ ଜଣ ଖେଳାଳି ଅଛନ୍ତି ଯେଉଁମାନେ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳି ନାହାନ୍ତି । ଅଭିମନ୍ୟୁ ଇଶ୍ବରନ୍, ଯଶସ୍ବୀ ଜୟସ୍ବାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତୀଶ ରେଡ୍ଡୀ, ଆକାଶଦୀପ, ହର୍ଷିତ ରାଣା ଏବଂ ପ୍ରସିଦ୍ଧ କୃଷ୍ଣା ଭାରତୀୟ ଟିମ୍ରେ ସାମିଲ ଥିବା ବେଳେ ଏମାନେ ଅଷ୍ଟ୍ରେଲିଆ ବିପକ୍ଷରେ କେବେ ବି ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି ଏବଂ ଅଧିକ ଟେଷ୍ଟ ଖେଳିବାର ମଧ୍ୟ ଅନୁଭବ ନାହିଁ । ୮ରୁ ୩ ଜଣ ପ୍ଳେୟାର (ଅଭିମନ୍ୟୁ ଇଶ୍ବରନ୍, ହର୍ଷିତ ରାଣା ଏବଂ ନୀତୀଶ ରେଡ୍ଡୀ) ଏବେ ସୁଦ୍ଧା ଟେଷ୍ଟରେ ଡେବ୍ୟୁ କରିନାହାନ୍ତି ।
ପ୍ରଥମ ଟେଷ୍ଟ ମ୍ୟାଚ୍ରେ ରୋହିତ ଶର୍ମା ଖେଳିବେ ନାହିଁ । ଏଭଳି ସ୍ଥିତିରେ ଅଭିମନ୍ୟୁ ଇଶ୍ବରନଙ୍କୁ ଟେଷ୍ଟରେ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ । ସେ ଯଶସ୍ବୀ ଜୟସ୍ବାଲଙ୍କ ସହ ଓପନିଂ କରିପାରନ୍ତି । ଅଭିମନ୍ୟୁ ଘରୋଇ ମ୍ୟାଚ୍ରେ ରନ ବର୍ଷା କରିଛନ୍ତି । ଏବେ ସୁଦ୍ଧା ୧୦୧ଟି ଟେଷ୍ଟ ମ୍ୟାଚ୍ରେ ୭୬୭୪ ରନ୍ କରିଥିବା ବେଳେ ୨୭ଟି ଶତକ କରିଛନ୍ତି ଅଭିମନ୍ୟୁ । ଅନ୍ୟପଟେ ଧ୍ରୁବ ଜୁରେଲ, ଆକାଶଦୀପ ଏବଂ ହର୍ଷିତ ରାଣାଙ୍କୁ ପ୍ରଥମ ଟେଷ୍ଟରେ ମୌକା ମିଳିପାରେ ବୋଲି କୁହାଯାଉଛି ।
ସେହି ୮ ପ୍ଲେୟାରଙ୍କ ଟେଷ୍ଟ କ୍ୟାରିୟର
-ଅଭିମନ୍ୟୁ ଇଶ୍ବରନ- ଟେଷ୍ଟରେ ଡେବ୍ୟୁ କରିନାହାନ୍ତି
- ନୀତୀଶ କୁମାର ରେଡ୍ଡୀ- ଟେଷ୍ଟରେ ଡେବ୍ୟୁ କରିନାହାନ୍ତି
- ହର୍ଷିତ ରାଣା- ଟେଷ୍ଟରେ ଡେବ୍ୟୁ କରିନାହାନ୍ତି
- ଯଶସ୍ବୀ ଜୟସ୍ବାଲ- ୧୪ଟି ଟେଷ୍ଟ ଖେଳିଛନ୍ତି
- ଧ୍ରୁବ ଜୁରେଲ- ୩ଟି ଟେଷ୍ଟ ଖେଳିଛନ୍ତି
- ସରଫରାଜ ଖାନ - ୬ ଟେଷ୍ଟ ମ୍ୟାଚ ଖେଳିଛନ୍ତି
- ଆକାଶଦୀପ- ୫ଟି ଟେଷ୍ଟ ଖେଳିଛନ୍ତି
ଯଶସ୍ବୀ ଜୟସ୍ବାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ ଏବଂ ଆକାଶଦୀପ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୧୦୭ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ୩୨ଟି ମ୍ୟାଚ୍ ଭାରତ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୪୫ ମ୍ୟାଚ୍ରେ ବାଜିମାତ କରିଛି । ଦୁଇ ଟିମ୍ ମଧ୍ୟରେ ୨୯ଟି ମୁକାବିଲା ଡ୍ର ଏବଂ ଗୋଟିଏ ମ୍ୟାଚ ଟାଇ ରହିଛି ।