ବଲିଉଡରେ ଫିଲ୍ମ ନିର୍ମାଣ କରିବା ଯେତିକି ଚ୍ୟାଲେଞ୍ଜିଂ କାର୍ଯ୍ୟ, ସେହି ସିନେମାର ନାମକରଣ କରିବା ତାହାଠାରୁ ଅଧିକ କଷ୍ଟକର ବ୍ୟାପାର । ଅନେକଥର ଦେଖିବାକୁ ମିଳିଛି, ଫିଲ୍ମର ବିଷୟବସ୍ତୁ ପାଇଁ ନୁହେଁ, ବରଂ ତାହାର ଟାଇଟଲ୍‌ ବା ଶୀର୍ଷକ ଯୋଗୁଁ ବିବାଦ ଉପୁଜେ । କେତେକ ଅଭିଯୋଗ କରନ୍ତି, ଫିଲ୍ମର ଚରିତ୍ର ଚିତ୍ରଣ ଠିକ୍‌ ଭାବରେ ହୋଇନାହିଁ । ଇତିହାସରେ ସେହି ଚରିତ୍ର ଯେମିତି, ସିନେମାରେ ତାହାକୁ ଭିନ୍ନ ଭାବରେ ଦେଖାଇବାକୁ ଚେଷ୍ଟା କରାଯାଇଛି । କିଛି ସମ୍ପ୍ରଦାୟ ଅଭିଯୋଗ କରନ୍ତି, ଫିଲ୍ମର ନାଁ ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି । ଏଭଳି ଅଭିଯୋଗ କାରଣରୁ ବିବାଦ ସୃଷ୍ଟି ହୋଇଛି । ପୋଡ଼ାଜଳା, ଭଙ୍ଗାରୁଜା ହୋଇ ମାମଲା ପହଞ୍ଚିଛି ଅଦାଲତରେ । ଫଳ ସ୍ୱରୂପ ଅନେକ ସମୟରେ ଦେଖାଯାଇଛି, ଫିଲ୍ମ ରିଲିଜ୍‌ ପୂର୍ବରୁ ନିର୍ମାତା ବାଧ୍ୟ ହୋଇ ତାହାର ନାମ ପରିବର୍ତ୍ତନ କରିଛନ୍ତି ।

ଗୋଲିୟୋଁ କି ରାସଲୀଲା ରାମ-ଲୀଲା

ସଞ୍ଜୟ ଲୀଲା ଭଁସାଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ନାଁ ପ୍ରଥମେ ରଖାଯାଇଥିଲା ‘ରାମ-ଲୀଲା’ । ସିନେମାର ଏଭଳି ନାମକରଣ ଦ୍ୱାରା ପ୍ରଭୁ ରାମଚନ୍ଦ୍ରଙ୍କ ପବିତ୍ର ନାମୋଚ୍ଚାରଣର ମର୍ଯ୍ୟାଦା ହାନି ହେଉଛି ବୋଲି କେତେକ ଧାର୍ମିକ ସଂଗଠନ ଅଭିଯୋଗ କରିବା ପରେ ସିନେମାର ନାମ ପରିବର୍ତ୍ତନ କରି ‘ଗୋଲିୟୋଁ କି ରାସଲୀଲା ରାମ-ଲୀଲା’ ରଖାଯାଇଥିଲା । ଏଥିରେ ରଣବୀର ସିଂ ଓ ଦୀପିକା ପାଦୁକୋନ ମୁଖ୍ୟ ନାୟକ ଓ ନାୟିକା ଚରିତ୍ରରେ ନଜର ଆସିଥିଲେ ।

ବିଲ୍ଲୁ

ଏ ଫିଲ୍ମରେ ଅଭିନୟ କରିଛନ୍ତି ଶାହରୁଖ ଖାନ ଓ ଇର୍‌ଫାନ ଖାନ । ଫିଲ୍ମର ନାଁ ପ୍ରଥମେ ରଖାଯାଇଥିଲା ‘ବିଲ୍ଲୁ ବାର୍ବର’ । ଏଭଳି ନାମକରଣରେ ଆପର୍ତ୍ତି ଉଠାଇଥିଲେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ । ଫିଲ୍ମର ଶୀର୍ଷକରେ ବ୍ୟବହୃତ ‘ବାର୍ବର’ ଶବ୍ଦ ସେମାନଙ୍କ ପେସାକୁ ଭୁଲ୍‌ ଭାବୋର ଦର୍ଶାଉଛି ବୋଲି ଅଭିଯୋଗ କରିଥିଲେ ଏହି ସମ୍ପ୍ରଦାୟ । ପରିସ୍ଥିତି ଅଧିକ ବିବାଦୀୟ ହେବା ପୂର୍ବରୁ ନିର୍ମାତା ଫିଲ୍ମର ଶୀର୍ଷକକୁ ସଂକ୍ଷିପ୍ତ କରି କେବଳ ‘ବିଲ୍ଲୁ’ ରଖିଥିଲେ ।

ସିଂହ ଇଜ କିଙ୍ଗ୍‌

ଅକ୍ଷୟ କୁମାର ଅଭିନୀତ ‘ସିଂହ ଇଜ କିଙ୍ଗ୍‌’ ଦେଖିଛନ୍ତି? ପ୍ରଥମେ ଏ ଚଳଚ୍ଚିତ୍ରର ନାଁ ଥିଲା ‘ରାଜକୁମାର’ । ତେବେ ରିଲିଜ ପୂର୍ବରୁ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକଙ୍କର ମନେ ହୋଇଥିଲା, ‘ରାଜକୁମାର’ ବଦଳରେ ‘ସିଂହ ଇଜ କିଙ୍ଗ୍‌’ ଟାଇଟଲଟି ଅଧିକ ଆକର୍ଷଣୀୟ । ଏହାପରେ ସିନେମାର ନାଁ ‘ରାଜକୁମାର’ରୁ ‘ସିଂହ ଇଜ କିଙ୍ଗ’କୁ ପରିବର୍ତ୍ତନ କରାଯାଇଥିଲା । ନୂଆ ନାଁ ଫିଲ୍ମର ଏନର୍ଜି ତଥା ପଞ୍ଜାବୀ ଅନ୍ଦାଜ୍‌କୁ ଅଧିକ ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରିପାରିଥିଲା ।

ଆର୍‌ ରାଜକୁମାର

ଦକ୍ଷିଣ ଭାରତୀୟ ସିନେମାର ନାମୀ ନୃତ୍ୟ-ନିର୍ଦ୍ଦେଶକ ତଥା ଅଭିନେତା ପ୍ରଭୁତେବାଙ୍କ ନିର୍ଦ୍ଦେଶନାୋର ନିର୍ମିତ ‘ଆର୍‌ ରାଜକୁମାର’ ଫିଲ୍ମର ନାଁ ପ୍ରଥମେ ରଖାଯାଇଥିଲା ‘ର‌୍ୟାମ୍ବୋ ରାଜକୁମାର’ । ତେବେ ଏଭଳି ନାମକରଣରେ ଅସନ୍ତୋଷ ପ୍ରକାଶ କରିଥିଲେ ହଲିଉଡର ପ୍ରସିଦ୍ଧ ‘ର‌୍ୟାମ୍ବୋ’ ସିରିଜର ନିର୍ମାତା । କାରଣ ତାହାର କପି ରାଇଟ୍‌ସ ସେମାନଙ୍କ ପାଖରେ ଥିଲା । ଆଇନଗତ ଝମେଲାରେ ନ ପଶିବା ପାଇଁ ପ୍ରଭୁଦେବା ଓ ପ୍ରଯୋଜକ ଏ ଫିଲ୍ମର ନାଁ ‘ର‌୍ୟାମ୍ବୋ ରାଜକୁମାର’ ବଦଳରେ ‘ଆର୍‌ ରାଜକୁମାର’ ରଖିଥିଲେ ।

ମାଡ୍ରାସ କେଫ୍‌

ସୁଜିତ ସରକାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାଟି ୨୦୧୩ରେ ପ୍ରେକ୍ଷାଳୟକୁ ଆସିଥିଲା । ଜନ୍‌ ଆବ୍ରାହମ ଏଥିରେ ମୁଖ୍ୟ ନାୟକ ଚରିତ୍ର ନିର୍ବାହ କରିଥିଲେ ଓ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ ଏ ଫିଲ୍ମକୁ । ତେବେ ଜାଣନ୍ତି କି ଏ ଫିଲ୍ମର ନାଁ ପ୍ରଥମେ ‘ଜାଫ୍‌ନା’ ରଖାଯାଇଥିଲା । କଥା ହେଉଛି, ଶ୍ରୀଲଙ୍କାରେ ଜାଫ୍‌ନା ନାମକ ଏକ ସହର ଅଛି । ସେହି କାରଣରୁ କେତେକ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଫିଲ୍ମର ନାଁ ‘ଜାଫ୍‌ନା’ ରଖାଯିବା ଦ୍ୱାରା ସେହି ସହରର ଛବି ମଳିନ ହୋଇପାରେ । ତେଣୁ ସେମାନେ ଏହି ନାମ ପରିବର୍ତ୍ତନ କରିବାକୁ ଅଡ଼ି ବସିଥିଲେ । ବିବାଦ ବଢୁଥିବା ଦେଖି ନିର୍ମାତା ବାଧ୍ୟ ହୋଇ ଫିଲ୍ମର ନାଁ ‘ଜାଫ୍‌ନା’ରୁ ‘ମାଡ୍ରାସ କେଫ୍‌’କୁ ପରିବର୍ତ୍ତନ କରିଥିଲେ ।

କଲ୍‌ ହୋ ନା ହୋ

ଶାହରୁଖ ଖାନ ଷ୍ଟାରର୍‌ ଏ ଫିଲ୍ମର ନାଁ ପ୍ରଥମେ ରଖାଯାଇଥିଲା ‘କଭି ଅଲ୍‌ବିଦା ନ କେହନା’ । କିନ୍ତୁ ଏହି ନାଁଟି ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ ରଖାଯିବାକୁ ସ୍ଥିର ହେବା ପରେ ଫିଲ୍ମର ନାଁ ରହିଲା ‘କଲ୍‌ ହୋ ନା ହୋ’ । ଫିଲ୍ମର କଥାବସ୍ତୁ ସହ ଏହି ନାଁ ମଧ୍ୟ ବେଶ୍‌ ଖାପ ଖାଇଥିଲା ।

ବୀରଜାରା

ୟଶ ଚୋପ୍ରାଙ୍କ ଏ ଫିଲ୍ମର ନାଁ ପ୍ରଥମେ ‘ୟେ କହାଁ ଆଗୟେ ହମ୍‌’ ରଖାଯାଇଥିଲା । କିନ୍ତୁ ପରେ ନିର୍ମାତା ଅନୁଭବ କରିଥିଲେ ଯେ ଫିଲ୍ମର ନାଁ ସେଥିରେ ଅଭିନୟ କରିଥିବା ଚରିତ୍ରଙ୍କ ଅନୁସାରେ ରହିଲେ ଅଧିକ ପ୍ରଭାବଶାଳୀ ଓ ସ୍ମରଣୀୟ ହେବ । ତେଣୁ ସେହି ଅନୁସାରେ ସିନେମାର ନାମକରଣ କରାଗଲା ‘ବୀରଜାରା’ । ଏହି ନିଷ୍ପତ୍ତି ଠିକ୍‌ ଥିଲା ବୋଲି ପରେ ପ୍ରମାଣିତ ହୋଇଥିଲା । ୨୦୦୪ରେ ମୁକ୍ତିପ୍ରାପ୍ତ ‘ବୀରଜାରା’ ସେହି ବର୍ଷ ମୁକ୍ତିଲାଭ କରିଥିବା ଚର୍ଚ୍ଚିତ ରୋମାଣ୍ଟିକ ଫିଲ୍ମଗୁଡ଼ିକ ମଧ୍ୟରୁ ଗୋଟିଏ ଭାବରେ ଗଣା ହେଲା ।

ଲଭଯାତ୍ରୀ

ସଲ୍‌ମାନ ଖାନଙ୍କ ହୋମ୍‌ ପ୍ରଡକ୍ସନରେ ପ୍ରସ୍ତୁତ ଏ ଫିଲ୍ମର ପ୍ରଥମ ନାଁ ଥିଲା ‘ଲଭରାତ୍ରୀ’ । କିନ୍ତୁ କିଛି ଧାର୍ମିକ ସଂଗଠନ ଏଭଳି ନାମକରଣକୁ ବିରୋଧ କରି କହିଥିଲେ ଯେ, ଏହା ହିନ୍ଦୁପର୍ବ ନବରାତ୍ରୀକୁ ଉପହାସ କରୁଛି । ମାମଲା କୋର୍ଟ କଚେରୀ ଯାଏଁ ଗଲା । ବିବାଦ ବଢ଼ିବା ଦେଖି ପ୍ରଯୋଜନା ସଂସ୍ଥା ଏହାର ନାମ ପରିବର୍ତ୍ତନ କରି ରଖିଥିଲେ ‘ଲଭଯାତ୍ରୀ’ । ଏହାପରେ ସିନେମା ଶୁଭମୁକ୍ତିରେ କିଛି ଅସୁବିଧା ସୃଷ୍ଟି ହୋଇନଥିଲା ।