ନୂଆଦିଲ୍ଲୀ : ତେଲେଙ୍ଗାନାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର ଯଥାସମ୍ଭବ କମାଇବାକୁ ନିବେଦନ କରିଛନ୍ତି। ଏହା ସହିତ ସେ 'ୱାର୍କ ଫ୍ରମ ହୋମ୍', କାର୍ ପୁଲିଂ, ମେଟ୍ରୋର ବ୍ୟବହାର ଏବଂ ଅନଲାଇନ୍ ମିଟିଂକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ବିଗତ ଦୁଇ ମାସ ଧରି ଆମ ପଡ଼ୋଶୀ ଦେଶରେ ଏକ ବଡ଼ ଯୁଦ୍ଧ ଚାଲିଛି, ଯାହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। ଭାରତ ମଧ୍ୟ ଏହା ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ଭାରତ ପାଖରେ ବଡ଼ ବଡ଼ ତୈଳ କୂପ ନାହିଁ, ତେଣୁ ଆମକୁ ନିଜ ଆବଶ୍ୟକତାର ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦୁନିଆର ଅନ୍ୟ ଦେଶରୁ ମଗାଇବାକୁ ପଡ଼ୁଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଯୁଦ୍ଧ କାରଣରୁ ସାରା ବିଶ୍ୱରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବହୁତ ବଢ଼ି ଯାଇଛି। ସରକାର ଗତ ଦୁଇ ମାସ ହେବ ଦେଶକୁ ଏହି ସଙ୍କଟରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସମସ୍ତ ବୋଝ ନିଜ କାନ୍ଧରେ ବହନ କରୁଛନ୍ତି। କିନ୍ତୁ ଯେତେବେଳେ ସପ୍ଲାଏ ଚେନ୍ ଉପରେ ସଙ୍କଟ ଲାଗି ରହେ, ସେତେବେଳେ ଆମେ ଯେତେ ଉପାୟ କଲେ ମଧ୍ୟ ସମସ୍ୟା ବଢ଼ିବାରେ ଲାଗେ। ଏବେ ଆମକୁ ଏକଜୁଟ ହୋଇ ଲଢ଼ିବାକୁ ହେବ। ସଙ୍କଟର ଏହି ସମୟରେ କିଛି ସଙ୍କଳ୍ପ ନେବାକୁ ହେବ ଏବଂ ପୂର୍ଣ୍ଣ ସମର୍ପଣ ଭାବରେ ତାହା ପୂରଣ କରିବାକୁ ହେବ, ଯେପରିକି ପେଟ୍ରୋଲ ଓ ଡିଜେଲର ସଂଯମତାର ସହ ବ୍ୟବହାର କରିବା।"
ସେ ଆହୁରି ମଧ୍ୟ କହିଛନ୍ତି, "ପେଟ୍ରୋଲ ଓ ଡିଜେଲର ବ୍ୟବହାର କମ୍ କରିବାକୁ ହେବ। ସହରରେ ଯେଉଁଠି ମେଟ୍ରୋ ସୁବିଧା ଅଛି, ସେଠାରେ ଆମେ ମେଟ୍ରୋ ବ୍ୟବହାର କରିବାକୁ ନିଷ୍ପତ୍ତି ନେବା ଉଚିତ। ଯଦି କାର୍ରେ ଯିବା ନିହାତି ଜରୁରୀ, ତେବେ କାର୍ ପୁଲିଂ କରିବାକୁ ଚେଷ୍ଟା କରନ୍ତୁ ଏବଂ ଅନ୍ୟ ଲୋକଙ୍କୁ ମଧ୍ୟ ସାଥିରେ ନିଅନ୍ତୁ। କେଉଁଠାକୁ ମାଲ୍ ପଠାଇବାର ଥିଲେ ରେଳବାଇର ଗୁଡ୍ସ ଟ୍ରେନ୍ ବ୍ୟବହାର କରନ୍ତୁ, କାରଣ ଟ୍ରେନ୍ ଇଲେକ୍ଟ୍ରିକ୍ ହୋଇଥିବାରୁ ଏଥିରେ ପେଟ୍ରୋଲ-ଡିଜେଲର ଆବଶ୍ୟକତା ପଡ଼େ ନାହିଁ। ଯେଉଁମାନଙ୍କ ପାଖରେ ଇଲେକ୍ଟ୍ରିକ୍ ଭାଇକିଲ୍ (EV) ଅଛି, ସେମାନେ ତାହାର ଅଧିକରୁ ଅଧିକ ବ୍ୟବହାର କରନ୍ତୁ।"
#WATCH | Secunderabad, Telangana | On the impact of West Asia conflict, Prime Minister Narendra Modi says, "... But friends, when the supply chain continues to be in crisis, no matter what measures we take, the difficulties only increase. Therefore, now we must fight unitedly,… pic.twitter.com/56w72yyYrE
— ANI (@ANI) May 10, 2026
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ , କରୋନା ସମୟରେ ୱାର୍କ ଫ୍ରମ ହୋମ୍ , ଅନଲାଇନ୍ ମିଟିଂ ଏବଂ ଭିଡିଓ କନଫରେନ୍ସିଂ ଭଳି ବ୍ୟବସ୍ଥା ବିକଶିତ ହୋଇଥିଲା ଏବଂ ଏଥିରେ ଆମେ ଅଭ୍ୟସ୍ତ ମଧ୍ୟ ହୋଇ ଥିଲେ। ଆଜି ସମୟର ଚାହିଦା ଅନୁଯାୟୀ ଯଦି ଆମେ ସେହି ବ୍ୟବସ୍ଥାକୁ ପୁଣି ଥରେ ଆରମ୍ଭ କରିବା, ତେବେ ତାହା ଦେଶହିତରେ ହେବ। ୱାର୍କ ଫ୍ରମ୍ ହୋମ୍ ଏବଂ ଭର୍ଚୁଆଲ୍ ମିଟିଂକୁ ପୁଣି ଥରେ ପ୍ରାଥମିକତା ଦେବାକୁ ହେବ। ଆଜିର ସଙ୍କଟ ସମୟରେ ଆମକୁ ବିଦେଶୀ ମୁଦ୍ରା ବଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ।