ଭୁବନେଶ୍ୱର, ୦୨/୧୧: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌ । ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା । ଡିସେମ୍ବରରେ ମିଳିବ ଚର୍ତୁଥ କିସ୍ତି ଟଙ୍କା । ଡିସେମ୍ବର ଶେଷ ସୁଦ୍ଧା ଏକ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । 


ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି । ଅଙ୍ଗନ ବାଡ଼ି ଦିଦିଙ୍କ ମାଧ୍ୟମରେ ଖାରଜ ହୋଇଥିବା ହିତାଧିକାରୀଙ୍କୁ ନୋଟିସ ହେବ । ଜମି ଆଧାରରେ ଯେଉଁ ମାନଙ୍କର ଖାରଜ ହୋଇଛି, ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ । ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ହୋଇଥିବାଙ୍କ ସଂଖ୍ୟା ଅଧିକ । ସେହିପରି ବ୍ୟାଙ୍କ ଲିଙ୍କ୍‌ ନଥିବାରୁ ଯେଉଁମାନେ ଏହି ସୁବିଧାରୁ ବାଦ୍‌ ପଡ଼ିଥିଲେ, ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀ କରଣ ଦାଖଲ କରିବେ । 

ଉଲ୍ଲେଖଯୋଗ୍ୟ, ‘ସୁଭଦ୍ରା’ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୭ ଲକ୍ଷ ଆବେଦନ କରିଛନ୍ତି । ତନ୍ମଧ୍ୟରୁ ୨ ଲକ୍ଷ ୬୬ ହଜାର ଆବେଦନକାରୀଙ୍କର ବିଭିନ୍ନ କାରଣ ପାଇଁ ନାମ କଟିଛି । ସେମାନଙ୍କୁ ଏହି ସୁବିଧା ମିଳିପାରିନି । ଯାହାକୁ ଆଉ ଥରେ ଯାଞ୍ଚ କରାଯିବ । ଆବେଦନକାରୀଙ୍କର ପୁନଃ ଯାଞ୍ଚ ପାଇଁ କ୍ୟାବିନେଟରେ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା । ଯେମିତି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେନି, ସେ ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି । 

ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିଥିବା ବେଳେ ଗତ ଅକ୍ଟୋବର ୯ରେ ମୟୂରଭଞ୍ଜରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ବାଣ୍ଟିଥିଲେ । ଯୋଜନାର ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ ପାଇଁ ମହିଳା ଓ ଶିଶୁ କଲ୍ୟାଣ  ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅପରାହ୍ନ ୩ଟାରେ ଅନୁଷ୍ଠିତ ହୋଇଛି । ବୈଠକରେ ଏହାର ନିର୍ଯାସ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଥିଲେ ।