ନୂଆଦିଲ୍ଲୀ, ୦୩/୦୪ : ୬ ବର୍ଷ ତଳେ ଇସ୍ତଫା ଦେଇଥିଲେ ଆଇଏଏସ୍। ହେଲେ ଏଯାଏଁ ମିଳିଲାନି ମଞ୍ଜୁରୀ। ଏହି ଆଇଏଏସ୍ ଜଣଙ୍କ ହେଉଛନ୍ତି ୨୦୧୨ ବ୍ୟାଚ୍ ର କନ୍ନମ ଗୋପୀନାଥନ। ସେ କାଶ୍ମୀର ଲୋକମାନଙ୍କ ବାକ୍ ସ୍ଵାଧୀନତା ମିଳୁନଥିବା ବିରୋଧରେ ଅଗଷ୍ଟ ୨୦୧୯ରେ ଇସ୍ତଫା ଦେଇଥିଲେ। ହେଲେ ଏବେ ଦୀର୍ଘ ୬ ବର୍ଷ ବିତି ଯାଇଥିଲେ ବି ତାଙ୍କ ଇସ୍ତଫାପତ୍ର ମଞ୍ଜୁର ହୋଇନାହିଁ। ତାଙ୍କ ଇସ୍ତଫାପତ୍ରକୁ ସରକାର ଜାଣିଶୁଣି ଅଟକାଇଥିବା ଗୋପୀନାଥନ ଅଭିଯୋଗ କରିଛନ୍ତି। ଏହାଦ୍ଵାରା ସେ ଆଗାମୀ କେରଳ ବଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢିପାରିବେ ନାହିଁ। ଗୋପୀନାଥନଙ୍କ ଇସ୍ତଫା ପତ୍ର ଏବେ ଗୃହ ମନ୍ତ୍ରାଳୟ ନିକଟରେ ଲମ୍ଵିତ ରହିଛି। କୌଣସି ଇସ୍ତଫାତ୍ର ସ୍ଵୀକାର କରିବାରେ ଏତେ ବିଳମ୍ଵ ଅଗ୍ରହଣୀୟ ବୋଲି ସେ କହିଛନ୍ତି।

ସୂଚନାନୁଯାୟୀ, ଗତ ବର୍ଷ ଅକ୍ଟୋବରରେ ଗୋପୀନାଥନ କଂଗ୍ରେସରେ ସାମିଲ ହୋଇଥିଲେ। ସେ ପଲକ୍କଡ ବିଧାନସଭା ସିଟ୍ ରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀ କୌଣସି ରାଜନୈତିକ ଦଳ ସହ ଯୋଡ଼ିହେବା କିମ୍ଵା ରାଜନୈତିକ ଗତିବିଧିରେ ସଂଶ୍ଲିଷ୍ଟ ରହିବା ବେଆଇନ। ତାଙ୍କର ଇସ୍ତଫା ମଞ୍ଜୁର ନହେବା ଯାଏଁ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିପାରିବେ ନାହିଁ। ଗୋପୀନାଥନ ଜଣେ ସରକାରୀ ଅଧିକାରୀ ଭାବେ ଏବଂ ରାଜନୈତିକ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ।

ଆଇଏଏସ୍ ଅଧିକାରୀଙ୍କ ଇସ୍ତଫା ପ୍ରକ୍ରିୟା କଣ ?

ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଓଏସ୍ ଭଳି ଅଧିକାରୀ ତାଙ୍କ ଇସ୍ତଫାପତ୍ର ରଇଜ୍ୟର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାନ୍ତି। ସେହିପରି କେନ୍ଦ୍ରୀୟ ନିଯୁକ୍ତ ଅଧିକାରୀ ତାଙ୍କ ସମ୍ବନ୍ଧିତ ମନ୍ତ୍ରାଳୟ ସଚିବଙ୍କୁ ଇସ୍ତଫାପତ୍ର ଦିଅନ୍ତି। ଗୋପୀନାଥନ ଅରୁଣାଚଳପ୍ରଦେଶ-ଗୋଆ-ମିଜୋରାମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କ୍ୟାଡରରେ ଥିଲେ। ଏଥିପାଇଁ ତାଙ୍କ ଇସ୍ତଫାପତ୍ର ଗୃହ ମନ୍ତ୍ରାଳୟ ମାଧ୍ୟମରେ ପଠାଇଥିଲେ। ରାଜ୍ୟ ସରକାର ଏହାକୁ ଯାଞ୍ଚ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାର ଥିଲା। ଆଇଏଏସ୍ ଙ୍କୁ ଅନ୍ତିମ ମଞ୍ଜୁରୀ ପ୍ରଧାନମନ୍ତ୍ରୀଙ୍କ ଠାରୁ ମିଳିଥାଏ। ଇସ୍ତଫା ମଞ୍ଜୁର କରିବା ପାଇଁ ସେମିତି କିଛି ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ। ନିୟମ ଅନୁଯାୟୀ, ଯଦି କୌଣସି ଅଧିକାରୀ କାର୍ଯ୍ୟରେ ରହିବାକୁ ଚାହୁଁନାହାଁନ୍ତି ତେବେ ତାଙ୍କୁ ଚାକିରିରେ ରଖିଲେ ସରକାରଙ୍କ କ୍ଷତି। ଏଥିପାଇଁ ଇସ୍ତଫାପତ୍ର ମଞ୍ଜୁର କରିଦିଆଯାଏ।

ଇସ୍ତଫା ପ୍ରତ୍ୟାହୃତ ହେବ କି ନାହିଁ ?

ଗୋପୀନାଥନଙ୍କ ଭଳି ୨୦୧୦ ବ୍ୟାଚର ଆଇଏଏସ୍ ଅଧିକାରୀ ଶାହ ଫୈଜଲ କାଶ୍ମୀରରେ ହେଉଥିବା ନରସଂହାର ପାଇଁ ଜାନୁଆରୀ ୨୦୧୯ରେ ଇସ୍ତଫା ଦେଇଥିଲେ। ସେ ନିଜର ଏକ ରାଜନୈତିକ ଦଳ ଗଢିଥିଲେ। ହେଲେ ରାଜନୀତିରେ ଅସଫଳ ହେବା ଯୋଗୁଁ ସେ ୨୦୨୨ରେ ତାଙ୍କ ଇସ୍ତଫାପତ୍ର ଫେରାଇ ନେଇଥିଲେ।

କଣ କହୁଛି ନିୟମ ?

ନିୟମ ଅନୁଯାୟୀ, ରାଜନୀତି କରିବା ପାଇଁ ଇସ୍ତଫା ଦେଇଥିବା ଅଧିକାରୀଙ୍କୁ ପ୍ରତ୍ୟାହୃତ କରିବା ପାଇଁ ଅନୁମତି ମିଳେନାହିଁ। କେବଳ ୯୦ ଦିନ ମଧ୍ୟରେ ଇସ୍ତଫାପତ୍ର ପ୍ରତ୍ୟାହୃତ କରିହେବ। ହେଲେ ଫୈଜଲଙ୍କ କ୍ଷେତ୍ରରେ ତାଙ୍କ ଇସ୍ତଫା ମଞ୍ଜୁର ହୋଇନଥିଲା। ତେଣୁ ସେ ପ୍ରତ୍ୟାହୃତ କରି କାର୍ଯ୍ୟରେ ଯୋଗ ଦେଇପାରିଥିଲେ।