ନୂଆଦିଲ୍ଲୀ,୦୯/୦୧: ଜାପାନରେ ନୂଆ ବର୍ଷର ପ୍ରଥମ ନିଲାମରେ ଏକ ମାଛ ରେକର୍ଡ ୨୯ କୋଟିରେ ବିକ୍ରି ହୋଇଛି । ଏହା ଜରିଆରେ ୨୪୩ କିଲୋର ବ୍ଲୁଫିନ୍ ଟୁନା ବିଶ୍ୱର ସବୁଠୁ ମହଙ୍ଗା ମାଛ ହୋଇଛି । ଏହାର କେବଳ ୧ କିଲୋ ମାଂସର ମୂଲ୍ୟ ୫ ରୟାଲ ଏନ୍ଫିଲ୍ଡ ବାଇକ୍ର ମୂଲ୍ୟ ସହ ସମାନ । ପୂର୍ବରୁ ମଧ୍ୟ ଏହି ରେକର୍ଡ ବ୍ଲୁଫିନ୍ ଟୁନା ଫିଶ୍ ନାମରେ ଥିଲା । ଜାପାନର ରାଜଧାନୀ ଟୋକିଓର ତୋୟୋସୁ ମାଛ ମାର୍କେଟ୍ରେ ନିକଟରେ ନୂଆ ବର୍ଷର ପ୍ରଥମ ନିଲାମ ହୋଇଥିଲା । ଏଥିରେ ୨୪୩ କିଲୋର ବ୍ଲୁଫିନ୍ ଟୁନା ୫୧୦ ନିୟୁତ ୟେନ୍ ଅର୍ଥାତ୍ ପ୍ରାୟ ୨୯ କୋଟି ଟଙ୍କାରେ ବିକ୍ରି ହେଲା ।
ଜାପାନର ପ୍ରସିଦ୍ଧ କମ୍ପାନି କିୟୋମୁରା କର୍ପୋରେସନ୍ର ମାଲିକ କିୟୋଶି କିୟୋମୁରା ଏହାକୁ କିଣିଛନ୍ତି । ସେ ଜାପାନର ‘ଟୁନା କିଙ୍ଗ୍’ ନାମରେ ପରିଚିତ । ସେ ‘ସୁଶୀ ଜନମଇ’ ନାମରେ ପ୍ରସିଦ୍ଧ ସୁଶୀ ରେସ୍ତୋରାଁ ଶୃଙ୍ଖଳାର ପରିଚାଳକ । ପ୍ରତି ବର୍ଷ ମାଛର ଚଢ଼ା ନିଲାମ ଡାକିବା ପାଇଁ ସେ ବେଶ ପରିଚିତ । ସଦ୍ୟ ନିଲାମ ପରେ କିୟୋମୁରା କହିଛନ୍ତି, ମୁଁ କମ୍ ମୂଲ୍ୟ ଆଶା କରୁଥିଲି, କିନ୍ତୁ ବୋଲି ଏତେ ବଢ଼ିଗଲା ଯେ ନିଜକୁ ଅଟକାଇ ପାରିଲି ନାହିଁ । ଭଲ ଗୁଣବତ୍ତାସମ୍ପନ୍ନ ଟୁନା ଦେଖି ମୁଁ ରହିପାରେ ନାହିଁ । ବ୍ଲୁଫିନ୍ ଟୁନାକୁ ବିଶ୍ୱର ସର୍ବୋତ୍କୃଷ୍ଟ ମାଛ ଭାବେ ଗଣନା କରାଯାଏ । ଏହାର ମାଂସ ଖୁବ୍ ନରମ, ରସାଳ ଓ ପ୍ରଚୁର ଚର୍ବିଯୁକ୍ତ ।
ଖାସ୍କରି ପେଟ ଅଂଶ ଲହୁଣି ଭଳି । ସ୍ୱାଦ, ରଙ୍ଗ ଓ ଲୁକ୍ରେ ଅନ୍ୟ ଟୁନା ଅପେକ୍ଷା ଏହା ଖୁବ୍ ଭଲ । ଏହି ମାଛ ଗଭୀର ଓ ଖୋଲା ସମୁଦ୍ରରେ ହଜାର ହଜାର କିମି ଯାତ୍ରା କରନ୍ତି, ସେଥିପାଇଁ ଏମାନଙ୍କୁ ଧରିବା ଅତ୍ୟନ୍ତ କଷ୍ଟକର । ମାତ୍ରାଧିକ ଶିକାର ଯୋଗୁ ଏବେ ଏମାନଙ୍କ ସଂଖ୍ୟା ଖୁବ୍ କମିଯାଇଛି । ସେଥିପାଇଁ ସରକାର ଓ ଅନ୍ତର୍ଜାତୀୟ ସଂସ୍ଥା ଏହାର ଶିକାର ଉପରେ କଠୋର ନିୟମ ଲାଗୁ କରିଛନ୍ତି । କିଛି ବ୍ଲୁଫିନ୍ ଟୁନାଙ୍କ ଓଜନ ୪୫୦ କିଲୋରୁ ବି ଅଧିକ ହୋଇଥାଏ । ମାଛ ଯେତେ ବଡ଼ ଓ ବୟସ୍କ ହୁଏ, ତା’ର ମୂଲ୍ୟ ସେତେ ଅଧିକ ହୁଏ ।