ନୂଆଦିଲ୍ଲୀ : ଆମେରିକା -ଇରାନ ମଧ୍ୟରେ ଯୁଦ୍ଧ ମାସେ ହେବ ଚାଲିଛି, ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଏହି ଆକ୍ରମଣଗୁଡ଼ିକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ନିଜ ଘରେ କୋଣଠେସା କରି ଦେଇଛି। ଆମେରିକାୟ ସାଂସଦ କ୍ରିସ୍ ମର୍ଫି, ଟ୍ରମ୍ପଙ୍କ ଉପରେ ଏକ ଜୋରଦାର ଆକ୍ରମଣ ଆରମ୍ଭ କରି ଦେଇଛନ୍ତି। ସେ ଦାବି ପୂର୍ବକ କହିଛନ୍ତି - ଆମେରିକା ଇରାନ ଯୁଦ୍ଧରେ ପ୍ରତିଦିନ ଦୁଇ ବିଲିୟନ ଡଲାର ଖର୍ଚ୍ଚ କରୁଛି।ସେ କହିଛନ୍ତି, ହୋର୍ମୁଜ ପ୍ରଣାଳୀ ପୂର୍ବରୁ ଖୋଲା ଥିଲା, କିନ୍ତୁ ଏବେ ଆମେ ନିଜେ ସୃଷ୍ଟି କରିଥିବା ଏକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ। ସାଂସଦ ଏହାକୁ ପାଗଳାମିର ଆଖ୍ୟା ଦେଇଛନ୍ତି।
ଆମେରିକାର ସାଂସଦ କହିଛନ୍ତି , ସମସ୍ୟା ଏହା ଯେ, ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହୋର୍ମୁଜ୍ ପ୍ରଣାଳୀ ଖୋଲା ଥିଲା। ଏବେ ଆମେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ । ଏହା ପାଗଳାମି ଛଡ଼ା ଆଉ କିଛି ନୁହେଁ। ଦୁଇ ବିଲିୟନ ଡଲାର ବହୁତ ଟଙ୍କା। ଏହା ଏହି ଯୁଦ୍ଧରେ ପ୍ରତିଦିନ ଖର୍ଚ୍ଚ ହେଉଥିବା ସର୍ବନିମ୍ନ ପରିମାଣ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକାରେ ଡଜନରୁ ଅଧିକ ପରିବାର ସେମାନଙ୍କ ପ୍ରିୟଜନଙ୍କୁ କବର ଦେଉଛନ୍ତି। ଯଦି ଏହି ଯୁଦ୍ଧ ଜାରି ରହେ, ତେବେ ଏହି ଡଜନ ଆହୁରି ବଢି ପାରେ । କେବଳ ଆମେରିକାରେ ନୁହେଁ, ବରଂ ସାରା ବିଶ୍ୱରେ ପ୍ରତି ଜିନିଷର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି।
ଆମେରିକା- ଇସ୍ରାଏଲର ଆକ୍ରମଣ ପରେ, ଇରାନ ହୋର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା କେବଳ ଭାରତ ସମେତ କିଛି ସହଯୋଗୀ ଦେଶଗୁଡ଼ିକର ତେଲ ଟ୍ୟାଙ୍କର ଗୁଡ଼ିକୁ ସେହି ବାଟ ଦେଇ ଯିବାକୁ ଅନୁମତି ଦେଉଛି। ଏହାର ଟାର୍ଗେଟରେ ୟୁରୋପ, ଆମେରିକା, ଇସ୍ରାଏଲ ଏବଂ ଅନ୍ୟାନ୍ୟ ଦେଶର ଟ୍ୟାଙ୍କର ଅଛନ୍ତି । ଇରାନ ତାର ବିନା ଅନୁମତିରେ ସେହି ବାଟ ଦେଇ ଯାଉଥିବା ତେଲ ଟ୍ୟାଙ୍କରଗୁଡ଼ିକୁ ଆକ୍ରମଣ କରୁଛି। ଏହା ବ୍ୟତୀତ, କିଛି ସମୟ ଧରି, ନିର୍ଦ୍ଦିଷ୍ଟ ଦେଶଗୁଡ଼ିକର ଜାହାଜଗୁଡ଼ିକୁ ଯିବା ପାଇଁ ୨ ନିୟୁତ ଡଲାର ଫି’ ଘୋଷଣା କରିଛି ।