ବରଗଡ଼: ଚଳିତ ବର୍ଷର ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ, ଦୀର୍ଘ ଏଗାର ଦିନ ଚାଲିଥିବା ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା କଂସ ବଧ ସହ ଶେଷ ହୋଇଛି । ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ କଂସଙ୍କୁ ବଧ କରିଛନ୍ତି । ଜଗତବାସୀଙ୍କୁ ଅସତ୍ୟ ଉପରେ ଧର୍ମର ବିଜୟ ହେବା ଏବଂ ସତ୍ୟ ଓ ଧର୍ମ ପଥରେ ଆଗେଇ ଯିବାକୁ ବାର୍ତ୍ତା ଦେଇଛି ଏହି ଧନୁଯାତ୍ରା । 

ଉଦଯାପନୀ ଦିବସରେ କଂସ ବଧ ଗୀତିନାଟ୍ୟ ଶୈଳୀରେ ଅଭିନୟ ମୁଖ୍ୟ ଆକର୍ଷଣ ଥିଲା। କଳାକାରଙ୍କ ନିଖୁଣ ଅଭିନୟ ଯୋଗୁ ମଥୁରାନଗରୀ ଲୋକାରଣ୍ୟ ହୋଇ ପଡ଼ିଥିଲା । ମଥୁରା ପରିଭ୍ରମଣ ସାରି କଂସ ମହାରାଜା ସ୍ଥାନୀୟ ଲୋକମଣ୍ଡପ ପଡ଼ିଆସ୍ଥିତ ରାଜ ଦରବାରକୁ ଆସିଥିଲେ । ଶ୍ରୀକୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ସେ ନିଜର ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କ ସହିତ ରଣକୌଶଳ ପ୍ରସ୍ତୁତ କରିଥିଲେ ।

ଶେଷ ଦିବସରେ ଶ୍ରୀକୃଷ୍ଣ ଓ ବଳରାମ ସମଗ୍ର ମଥୁରା ନଗରୀ ଭ୍ରମଣ କରିଥିଲେ। ମଥୁରାର ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଇ ସ୍ୱାଗତ କରାଯାଇଥିଲା । ସେପଟେ ଦରବାରରେ କଂସଙ୍କ ସମେତ ସମସ୍ତ କର୍ମଚାରୀ, ମନ୍ତ୍ରୀ, ସେନାପତି ଅଷ୍ଟମଲ୍ଲ ପ୍ରମୁଖ ବ୍ୟସ୍ତ ବିବ୍ରତ ହୋଇ ପଡ଼ୁଥିଲେ । ଶ୍ରୀକୃଷ୍ଣ କଂସଙ୍କ ଶିବଧନୁ ସ୍ଥଳରେ ପହଞ୍ଚି ଶିବଧନୁ ଭଙ୍ଗ କରିଥିଲେ । ଏ ଘଟଣା ଶୁଣି କଂସ ବିଚଳିତ ହୋଇ ନିଜେ କୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧ କରିବା ପାଇଁ ସୈନ୍ୟ ସାମନ୍ତଙ୍କୁ ନିର୍ଦ୍ଦେଶ ଦେବା ସହ ଅଷ୍ଟମଲ୍ଲ ଓ ମଦମସ୍ତ କୁବଳୟା ହସ୍ତୀ ଓ ସୁବଳୟା ହସ୍ତୀଙ୍କୁ ଯୁଦ୍ଧରେ ପ୍ରସ୍ତୁତକରି ରଖିଥିବା ବେଳେ ଶ୍ରୀକୃଷ୍ଣ ଓ ବଳରାମ କଂସ ଦରବାରରେ ପହଞ୍ଚିଥିଲେ । 

ଘମାଘୋଟ ଲଢ଼େଇରେ କଂସଙ୍କ ଅଷ୍ଟମଲ୍ଲ, ସେନାସାମନ୍ତ ଓ କୁବଳୟା ହସ୍ତୀଙ୍କ ମୃତ୍ୟୁ ଘଟିଥିଲା । ସେହିପରି କଂସ ମହାରାଜ ମଧ୍ୟ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ବେ ନିଜର ପରାକ୍ରମ ଦେଖାଇବାକୁ ରଣାଙ୍ଗନକୁ ଓହ୍ଲାଇଥିଲେ । ମାତ୍ର ଶେଷରେ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ଏବଂ ବଳରାମଙ୍କ ହଳଧର ମୁଦଗରରେ କଂସଙ୍କ ନିଧନ ହୋଇଥିଲା ଏବଂ ମହାରାଜା ଉଗ୍ରସେନଙ୍କ ପୁଣି ରାଜାଭିଷେକ ହୋଇଥିଲା । ସେହିପରି ଶ୍ରୀକୃଷ୍ଣ, ବଳରାମ ମଥୁରା କାରଗାରକୁ ଯାଇ ବନ୍ଦୀ ଥିବା ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲେ ।