କୋଣାର୍କ, ୧୯/୦୮: ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ। ସମୁଦ୍ରରେ ନଷ୍ଟ ହେଉଛି ଜୈବ ବିବିଧତା। ବିଗୁଡୁଛି ପରିବେଶ ସନ୍ତୁଳନ। କୋଣାର୍କ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମୁହାଣ ମୁହଁ ନିକଟସ୍ଥ ଇକୋ ରିଟ୍ରିଟ୍ ସମୁଦ୍ର କୂଳରେ ମରିପଡ଼ିଲେ ଲକ୍ଷାଧିକ ସଂଖ୍ୟାର ବିରଳ ବ୍ଲୁ ବଟମ୍ ଜେଲିଫିସ୍। ଯାହାକୁ ନେଇ ଚିନ୍ତାରେ ପରିବେଶବିତ୍ ।
ସାମୁଦ୍ରିକ ପରିସଂସ୍ଥା ଉପରେ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ପଡ଼ୁଛି। ପରିସଂସ୍ଥା ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜେଲି ଫିସ୍ ଗୁଡ଼ିକ ମରି ଯାଉଛନ୍ତି । କୋଣାର୍କ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମୁହାଁଣ ମୁହଁ ନିକଟସ୍ଥ ଇକୋ ରିଟ୍ରିଟ୍ ସମୁଦ୍ର କୂଳରେ ଲକ୍ଷାଧିକ ସଂଖ୍ୟାର ବିରଳ ବ୍ଲୁ ବଟମ୍ ଜେଲିଫିସ୍ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଅଲିଭ୍ ରିଡ୍ଲେ ଓ ତିମି ଭଳି ଜଳ ଜୀବଙ୍କର ଏହି ଜେଲି ଫିସ୍ ଗୁଡିକ ମୁଖ୍ୟ ଆହାର ହୋଇଥାଏ। ଅଲିଭ୍ ରିଡ୍ଲେ ସଂଖ୍ୟା କମିଲେ ତଥା ସମୁଦ୍ରରେ ଖାଦ୍ୟ ଶୃଙ୍ଖଳ ବିଗିଡ଼ିଲେ ଏମାନେ ଲହଡ଼ିରେ ଭାସି ଆସିଥାନ୍ତି। ଏହି ଜେଲି ଫିସ୍ ଗୁଡିକ ମଣିଷଙ୍କ ସଂସ୍ପର୍ଶରେ ଆସିଲେ ଚର୍ମ ରୋଗ ହୋଇଥାଏ। ସଂକ୍ରମଣ ହୋଇଥାଏ ବୋଲି ଡାକ୍ତର କୁହନ୍ତି। ଅନେକ ମାନବକୃତ କାରଣ ପାଇଁ ସାମୁଦ୍ରିକ ପରିବେଶ ପ୍ରଦୂଷିତ ହେବା ସହିତ ପ୍ରବଳ ଗରମ ହେବା ଫଳରେ ସମୁଦ୍ର ଜଳ ଉତ୍ତପ୍ତ ହେବାକୁ ଲାଗିଛି। ଯାହାଫଳରେ ଏହି ବିରଳ ଜେଲି ଫିସ୍ ଗୁଡ଼ିକ ମରି ଯାଉଛନ୍ତି।
ଅସ୍ତରଙ୍ଗ ଅଞ୍ଚଳର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଜାତିସଂଘ ପୁରସ୍କାର ପ୍ରାପ୍ତ ବରିଷ୍ଠ ପରିବେଶବିତି ସୌମ୍ୟରଂଜନ ବିଶ୍ୱାଳ ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ଅନେକ ଥର ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏଭଳି ଅଘଟଣ ଘଟିଥିଲା ବେଳେ ପୁଣି ଥରେ ଉକ୍ତ ଘଟଣାର ପୁନରାବୃତ୍ତି ହୋଇଛି।