ଦଶମନ୍ତପୁର,୦୭/୦୩: କାମରେ ଆସୁନି ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେକ୍ଡ୍ୟାମ୍ । ବାରମ୍ବାର ଗୁହାରି ପରେ ବି ବିକଳ୍ପ ବ୍ୟବସ୍ଥା ହେଲାନି । ଶେଷରେ ନିଜସ୍ୱ ଉଦ୍ୟମରେ ଜମିକୁ ଝରଣା ପାଣି ଆଣି ପରିବା ଚାଷ କରୁଛନ୍ତି ସଦର ବ୍ଲକ୍ ଡୁମ୍ବାଗୁଡ଼ା ପଞ୍ଚାୟତ ପଦାବାଗ୍ରୀର ଚାଷୀ । ସେହି ପାଣିରେ ଆଳୁ, କୋବି, ବାଇଗଣ, ଭେଣ୍ଡି, ଟମାଟୋ, କଞ୍ଚାଲଙ୍କା ଆଦି ଆଦାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି ।
ଗାଁର ଚାଷୀ ଶୁକ୍ରୁ ମୁଦୁଲି, ଧନସର ମୁଦୁଲି, ପୁରୁଷୋତ୍ତମ ଜାନୀ, ଦଶ ମୁଦୁଲି, ହରିଶ୍ଚନ୍ଦ୍ର ମୁଦୁଲି ପ୍ରମୁଖ କହିଛନ୍ତି, ୧୫ ବର୍ଷ ତଳେ ଦୁଇଖଣ୍ଡ ଗାଁର ଚାଷଜମିକୁ ପାଣି ଯୋଗାଇ ଦେବାକୁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା । ପ୍ରକଳ୍ପ ଦ୍ୱାରା ପଦାବାଗ୍ରୀର ୧୫୦ ଏବଂ ପାତ୍ରବାଗ୍ରୀର ୪୦ ପରିବାରର ଚାଷଜମି ଉପକୃତ ହେବବୋଲି ଲକ୍ଷ୍ୟ ରଖାଯାଇଥିଲା । ଭିତରବାଗ୍ରୀ ଗାଁ ତଳେ ଏକ ଚେକ୍ଡ୍ୟାମ ନିର୍ମାଣ କରାଯାଇଛି । ଉକ୍ତ ପ୍ରକଳ୍ପରୁ ପାଣି ଯୋଗାଇ ଦେବାକୁ ଚାଷ ଜମିରେ ଓ ପାଣି ପାଇଁ ୧୦ ଫୁଟ୍ ତଳେ କେନାଲ କରାଯାଇଛି । ଏମିତିକି ପ୍ରତିବର୍ଷ କୋଟି କୋଟି ଟଙ୍କାର କାମ ଆଣି ବିଭାଗୀୟ ଅଧିକାରୀ ଓ ଠିକାଦାରମାନେ ମାଲେମାଲ ହେଉଛନ୍ତି । ଭଲ ଜମିରେ କେନାଲ ଖୋଳାଯିବା ପରେ ଚାଷୀ ହତାଷ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଉକ୍ତ ପ୍ରକଳ୍ପ କୌଣସି କାମରେ ଆସୁନି ।
ଚାଷୀଙ୍କ ଜମିକୁ ଜମାଣୁ ପାଣି ମାଡ଼ୁନି । ବାରମ୍ବାର ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କୁ ଗୁହାରି କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଏବେ କେନାଲ ଓ ଚେକ୍ଡ୍ୟାମ ଶୁଖିଲା ପଡ଼ିଛି । ବିନା ଟଙ୍କାରେ କେବଳ କିଛିଦିନ ଶ୍ରମଦାନ କଲାପରେ ପାହାଡ଼ି ଝରଣାରୁ ପାଣି ଆଣି ପରିବା ଚାଷ କରୁଛନ୍ତି । ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଚାଷୀଙ୍କ ନାଁରେ ଆସିଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ଫାଇଦା ପାଇଁ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି, ପୂର୍ବ ଠିକାଦାର ଭୁଲ କାମ କରିଛନ୍ତି । ପୁଣି କାମ କରି ଚାଷୀଙ୍କ ଜମିକୁ ପାଣି ଯୋଗାଣ ବ୍ୟବସ୍ଥା କରାଯାଉଛି।
ଅଧିକ ପଢ଼ନ୍ତୁ :- ଡଙ୍ଗର ଜମିରୁ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର; ବର୍ଷକୁ ଆୟ ୩ ଲକ୍ଷ, ଏକାକୀ ସମ୍ଭାଳୁଛନ୍ତି ୭ ପ୍ରାଣୀଙ୍କ କୁଟୁମ୍ବ