ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଜଣେ ସୁପରଭାଇଜରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଗୁରୁବାର ଦିନ ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡର ଏକ କୋଇଲା ଖଣିର ଛାତ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ବିଭିନ୍ନ ବିଭାଗରେ ୨୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଏହି ଶ୍ରମିକ ମାନଙ୍କ ମଧ୍ୟରୁ ତିନି ଜଣ ଛାତ ତଳେ ପଡ଼ିଯାଇ ମାଟି ଅତଡା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୬୫ କିଲୋମିଟର ଦୂର ଛତରପୁର ଅଞ୍ଚଳରେ ଥିବା ରାଷ୍ଟ୍ରାୟତ୍ତ କୋଲ୍ ଇଣ୍ଡିଆ ଲିମିଟେଡର ଏକ ସହାୟକ କମ୍ପାନୀ WCL ର ଭୂତଳ ଖଣିରେ ଏହି ଦୁର୍ଘଟଣା ଘଟିଛି।
କୋଇଲା ଖଣିରେ ଛାତ ଭୁଶୁଡ଼ିବା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଥିବା ତିନି ଜଣ WCL ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଦୁଇଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ପଡ଼ୋଶୀ ଛତିଶଗଡ଼ରର ବାସିନ୍ଦା। ତାଙ୍କ ପରିବାର ସହିତ ଯୋଗାଯୋଗ କରାଯାଉଛି ବୋଲି ଜଣେ ଅଧିକାରୀ ଜଣକ କହିଛନ୍ତି। ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ବେଳେ ଛାତ ଭୁଶୁଡ଼ି ପଡ଼ିଥିଲା।