ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ମାଳମାଳ ଆଶାୟୀ, ଟିକେଟ୍ ଦୌଡ଼ରେ ନୂଆ, ପୁରୁଣା

ଢେଙ୍କାନାଳ, ୧୯/୦୩ : ନିର୍ବାଚନ ଯେତିକି ପାଖେଇ ଆସୁଛି, ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ବିଜେପିର ଆଶାୟୀ ସଂଖ୍ୟା ସେତିକି ବଢ଼ି ଚାଲିଛି । ପୁରୁଣା ଚେହେରାଙ୍କ ସହ ଟିକେଟ୍‌ ଦୌଡ଼ରେ ରହିଥିଲେ ଅନେକ ନୂଆ ଚେହେରା । ନୂଆ, ପୁରୁଣାଙ୍କ ମଧ୍ୟରୁ ଦଳ କାହାକୁ ବାଛିବ ବେଶ୍‌ କିଛି ଦିନ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାରି ଭିତରେ ଏବେ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ଦଳଡ଼ିଆଁ ନେତା । ଦୀର୍ଘ ବର୍ଷ ଧରି ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ବିଜେପି ସଙ୍ଗଠନ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ରହିଆସିଛି । ୨୦୦୪ ମସିହାରୁ ଶ୍ରୀ ପାତ୍ର ଲଗାତାର ୪ ଥର ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଛନ୍ତି । ଏଥର ୫ମ ଥର ପାଇଁ ବି ସେ ପ୍ରାର୍ଥୀ ହେବାକୁ ଆରମ୍ଭରୁ କସରତ ଚଳାଇ ଆସିଛନ୍ତି। ଲଗାତାର ହାରିବା ପରେ ଏଥର ଦଳ ଟିକେଟ୍‌ ଦେବ କି ନାହିଁ ବୋଲି କଳ୍ପନାଜଳ୍ପନା ଭିତରେ ତାଙ୍କ ପରିବାରରୁ କାହାକୁ ଦିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ଅଧିକ ଖୋରାକ ଯୋଗାଇଥିଲା ପୌରାଞ୍ଚଳରେ ଦବ୍‌ଦବା ରହିଥିବା ଶ୍ରୀ ପାତ୍ରଙ୍କ ଭାଇ ତଥା ବିଜେପି ନେତା ରାମଚନ୍ଦ୍ର ପାତ୍ର ଓ ତାଙ୍କ ପତ୍ନୀ ତଥା ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ରଙ୍କୁ ନେଇ । 

ସେହିପରି ନୂଆ ମୁହଁ ଭିତରେ ଟିକେଟ୍‌ ଆଶାରେ ରହିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ । ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ଗଁଦିଆ ଭୋଟର ନିର୍ଣ୍ଣାୟକ ଭୂମିକା ନେଉଥିବା କୁହାଯାଇଥାଏ । ଶ୍ରୀମତୀ ମହାଳିକଙ୍କ ଶାଶୂଘର ଗଁଦିଆ ହୋଇଥିବା ବେଳେ ସେ ଢେଙ୍କାନାଳରେ ରହିଆସୁଛନ୍ତି । ଅନ୍ୟତମ ନବାଗତ ଭାବେ ଟିକେଟ୍‌ ଦୌଡ଼ରେ ରହିଛନ୍ତି ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେପି ନେତା ସୁନୀଲ ଶର୍ମା । ସେ ଦୀର୍ଘ ବର୍ଷ ଧରି ଦଳୀୟ ସଂଗଠନ ପାଇଁ କାମ କରିଆସୁଛନ୍ତି । ଢେଙ୍କାନାଳ ଓ ଗଁଦିଆ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି । ଏହିଭଳି ନୂଆ, ପୁରୁଣାଙ୍କୁ ନେଇ ସମୀକରଣ ଚାଲିଥିବା ବେଳେ କିଛିଦିନ ପୂର୍ବେ ବିଜେପିରେ ମିଶିଛନ୍ତି ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ । ସେ ମଧ୍ୟ ଟିକଟ୍‌ ଲବିରେ ଅଛନ୍ତି । ଶ୍ରୀ ନନ୍ଦ ୨୦୦୦ରେ ଗଁଦିଆରୁ ନିର୍ବାଚିତ ହୋଇଥିଲେ । ପୁଣି ୨୦୦୯ରେ ଏନ୍‌ସିପିବିଜେଡି ଆସନ ବୁଝାମଣାରେ ଏନ୍‌ସିପିରୁ ଢେଙ୍କାନାଳ ବିଧାନସଭା ଆସନରୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିଲେ । ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି କୋଦଣ୍ଡଧର ସାହୁ ବିଜେପିରେ ସାମିଲ ହୋଇ ଟିକେଟ୍‌ ଆଶା ଛାଡ଼ିନାହାନ୍ତି । କିଛିଦିନ ପୂର୍ବେ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ଦୁଇ ପୂର୍ବତନ ଜିଲ୍ଲା ସଭାପତି ବିଜେପିରେ ଯୋଗ ଦେଇଛନ୍ତି । ଏମାନେ ଟିକେଟ୍‌ ଲବିରେ ନ ଥିଲେ ମଧ୍ୟ ଦଳଡ଼ିଆଁ ନେତାଙ୍କ ଯେଉଁ ଆଶାୟୀଙ୍କ ଆଡ଼କୁ ସମର୍ଥନ ରହିବ ତାଙ୍କର ପଲା ଭାରି ରହିବ ନିଶ୍ଚୟ।


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.