ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ୱରର ୩ ବିଧାନସଭା ଆସନକୁ ନେଇ ହଟୁନି ସସପେନ୍ସ, କାହାକୁ ଭରସିବେ ନବୀନ ?

ଭୁବନେଶ୍ୱର, ୧୦/୦୪ : ଟିକଟ ମିଳିବ ନା ପତ୍ତା କଟିବ? ପୁରୁଣାଙ୍କୁ ରିପିଟ୍‌ କରିବେ ନା ନୂଆଙ୍କୁ ସୁଯୋଗ ଦେଇ ସର୍‌ପ୍ରାଇଜ୍‌ କାର୍ଡ ଦେବେ? ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବାକି ୩ଟି ବିଧାନସଭା ଆସନର ଟିକଟକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ମଧ୍ୟ ଭୁବନେଶ୍ୱର, ବେଗୁନିଆ ଓ ଖୋର୍ଦ୍ଧାରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ଘୋଷଣାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଖୁବ୍‌ଶୀଘ୍ର ଏ ନେଇ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ଭବତଃ ବୁଧବାର କିମ୍ବା ଗୁରୁବାର । ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ବିଜେଡିରେ ସଲାକୁସ୍ତି ଜାରି ରହିଛି । ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ଟିକଟ ଦାବି ବିବାଦ ନବୀନ ନିବାସରେ ପହଞ୍ଚିଲାଣି । ଉଭୟଙ୍କ ବଳ କଷାକଷିରେ ଦଳ କାହାକୁ ପ୍ରାର୍ଥୀ କରିବ, ଚାପରେ ଥିବା କୁହାଯାଉଛି । 

ଦିନ ଗଡ଼ୁଛି, ସସ୍‌ପେନ୍ସ ବଢ଼ୁଛି । ଯେହେତୁ ଭୁବନେଶ୍ୱର ଲୋକସଭା ପାଇଁ ବିଜେପି ଓ ବିଜେଡି ଭିତରେ ଏଥର କାଣ୍ଟେ କି ଟକ୍କର ହେବ ବୋଲି ଆକଳନ କରାଯାଉଛି, ତେଣୁ ଏ ଆସନ ଉପରେ ବିଜେଡିର ସତର୍କ ନଜର ରହିଛି । ୨୦୧୯ରେ ଏ ଆସନରେ ବିଜେଡିବିଜେପି ଭିତରେ ଲଢ଼େଇ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିବାରୁ ଏଥର ଦଳ ଭାବିଚିନ୍ତି ପଦକ୍ଷେପ ନେଉଛି । ବିଜେଡି ଭୋଟ ଯେମିତି ଭାଗ ନ ହେବ, ତା’ଉପରେ ଦଳର ଫୋକସ ରହିଛି । ଖୋର୍ଦ୍ଧାରେ ବି ଟିକଟ ଅଙ୍କ ଛିଣ୍ଡାଇବା ଦଳ ପାଇଁ କାଠିକର ପାଠ ହେଲାଣି । ଗୋଟିଏ ପଟେ ବିଧାୟକ ଜ୍ୟୋତିରିନ୍ଦ୍ର (ଜିତୁ) ମିତ୍ର ପୁଣି ମଇଦାନ କମ୍ପାଇବାକୁ କମର କଷିଲେଣି । ଅନ୍ୟପଟେ ଏ ଆସନ ଉପରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ନଜର ବି ଅଛି । ରାଜେନ୍ଦ୍ରଙ୍କ ମୂଳ କ୍ଷେତ୍ର ହେଉଛି ଖୋର୍ଦ୍ଧା । ୨୦୦୯ ଓ ୨୦୧୪ରେ ସେ ଖୋର୍ଦ୍ଧାରୁ ବିଧାୟକ ହୋଇଛନ୍ତି । ମହିଳା ପ୍ରାର୍ଥୀ ଭାବେ ବାସନ୍ତୀ ମହାପାତ୍ର ବି ଅନ୍ୟତମ ଆଶାୟୀ ଅଛନ୍ତି । ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କ ପତ୍ନୀ ସଂଯୁକ୍ତା ସାହୁଙ୍କ ନାମ ବି ଚର୍ଚ୍ଚାରେ ଅଛି । ହେଲେ କିଏ ଟିକଟ ହାତେଇବ, ଆକଳନ ସହଜ ହେଉନି । 


ବେଗୁନିଆ ଚିତ୍ର ବି ଅସ୍ପଷ୍ଟ । ଗୋଟିଏ ପଟେ ବିଜେଡିର ବର୍ତ୍ତମାନ ବିଧାୟକ ରାଜେନ୍ଦ୍ର ସାହୁ ଓ ଅନ୍ୟପଟେ ପ୍ରଦୀପ ସାହୁ । ରାଜେନ୍ଦ୍ରଙ୍କୁ ଦଳ ବେଗୁନିଆରୁ ରିପିଟ କରିବ ନା ପ୍ରଦୀପଙ୍କୁ ଟିକଟ ଦେବ, ବଡ଼ ପ୍ରଶ୍ନ । ୨୦୧୯ରେ ରାଜେନ୍ଦ୍ରଙ୍କୁ ଖୋର୍ଦ୍ଧାରୁ ଆଣି ବେଗୁନିଆ ଟିକଟ ଦେଇଥିଲା ବିଜେଡି । ଅପରପକ୍ଷେ ପୂର୍ବରୁ କଂଗ୍ରେସରେ ଥିବା ପ୍ରଦୀପ ବେଗୁନିଆରୁ ୩ ଥର ଲଢ଼ି କଡ଼ା ଟକ୍କର ଦେଇ ହାରିବା ପରେ ବିଜେଡିକୁ ଆସିଛନ୍ତି । ଦଳ କାହାକୁ ଭରସା କରି ଟିକଟ ଦେବ, ତାହା ଉପରେ ସଭିଙ୍କ ନଜର ଅଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.