ନୂଆଦିଲ୍ଲୀ: ଇଣ୍ଡିମେଣ୍ଟରେ ଘଡ଼ିକେ ଘୋଡା ଛୁଟୁଛି। କେତେବେଳେ କିଏ କାହାକୁ ସମର୍ଥନ କରୁଛି ଏବଂ କିଏ କାହାର ସମାଲୋଚନା କରୁଛି ତାହା ବୁଝିବା ମୁସ୍କିଲ। ଏନଡିଏକୁ ଚ୍ୟାଲେଞ୍ଜ ଦବାପାଇଁ ଗଠିତ ଇଣ୍ଡି ମେଣ୍ଟରେ ଫାଟ ଚର୍ଚ୍ଚାରେ ଥିବାବେଳେ ହେଭିୱେଟଙ୍କ ମଧ୍ୟରେ ଥିବା ଭାବ ପୀରତି ବୁଝା ପଡୁନି। ଏହି ଯେମିତି ଦିଲ୍ଲୀ ବିଧାନସଭା ନିର୍ବାଚନ ପୁର୍ବରୁ କେଜ୍ରିୱାଲଙ୍କୁ ମମତାଙ୍କ ସମର୍ଥନ ଖୋରାକ ଯୋଗାଇଛି। ଗୋଟିଏପଟେ ମମତା ଇଣ୍ଡିମେଣ୍ଟର ମୁଖିଆ ହେବାକୁ ଇଚ୍ଛା ରହିଥିବା ବେଳେ କେଜ୍ରିୱାଲ କିନ୍ତୁ ବିନା କୌଣସି ମେଣ୍ଟରେ ନିର୍ବାଚନ ଲଢିବେ ବୋଲି କହିସାରିଛନ୍ତି। ଏପଟେ ମେଣ୍ଟକୁ ସମର୍ଥନ ସେପଟେ କେଜ୍ରିୱାଲଙ୍କୁ ସମର୍ଥନ ରାଜନୈତକ ଗଣିତର କେଉଁ ସୁତ୍ରକୁ ଦର୍ଶାଉଛି। ଆସନ୍ତୁ ଜାଣିବା କଣ କହିଲେ ଦିଦି....
ଦିଲ୍ଲୀ ବିଧାନସଭା ନିର୍ବାଚନାରେ ଆମ ଆଦମି ପାର୍ଟି(ଆପ୍)କୁ ତୃଣମୁଳ କଂଗ୍ରେସ ସମର୍ଥନ ପ୍ରଦାନ କରିଛି। ଏନେଇ ଆପ୍ ମୁଖିଆ ଅବବିନ୍ଦ କେଜ୍ରିୱାଲ ବୁଧବାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀଙ୍କୁ କେଜ୍ରିୱାଲ ଧନ୍ୟବାଦ ଜଣେଇଛନ୍ତି।
“ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଟିଏମସି ଆପ୍ ପ୍ରତି ନିଜର ସମର୍ଥନ ଜଣାଇଛି। ମୁଁ ମମତା ଦିଦିଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି। ଧନ୍ୟବାଦ ଦିଦି। ଆପଣ ଆମକୁ ସବୁ ସମୟରେ ସମର୍ଥନ ଜଣେଇଛନ୍ତି” ବୋଲି କେଜ୍ରିୱାଲ ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି।
ଏହି ପୋଷ୍ଟକୁ ନେଇ ଏବେ ଦେଶର ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ସିଟ ଭାଗବଣ୍ଟାକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ବିବାଦ ଚାଲିଥିବା ବେଳେ ଟିଏମସିର ଏପରି ଖୋଲା ସମର୍ଥନ କିଛି ବୁଝା ପଡୁନାହିଁ।