ଫୁଲବାଣୀ ୦୭/୦୬: ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଏନେଇ ଜନସାଧାରଣଙ୍କ  ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । ମୁଖ୍ୟମନ୍ତ୍ରୀ  ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ  ନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ  ଉଦ୍‌ଘାଟନ କରିବା ସହିତ ଅନ୍ୟାନ୍ୟ  କାର୍ଯ୍ୟକ୍ରମରେ ଯୋଗ ଦେବେ । 

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ୧୦.୪୦ ମି.ରେ ରିଜର୍ଭ ପଡ଼ିଆ  ହେଲିପ୍ୟାଡ୍‌ରେ ଓହ୍ଲାଇ ସିଧା ନବ ନିର୍ମିତ  ମେଡିକାଲ କଲେଜକୁ ଯିବା କାର୍ଯ୍ୟସୂଚୀ  ରହିଛି । ସେଠାରେ ମେଡିକାଲ କଲେଜ  ଉଦ୍‌ଘାଟନ କରିବା ପରେ ଆନାଟୋମୀ  ପରୀକ୍ଷାଗାର, ବ୍ୟବଚ୍ଛେଦ କକ୍ଷ, ଏଫ୍‌ଏମ୍‌ଟି  ମ୍ୟୁଜିଅମ ପରିଦର୍ଶନ କରିବେ । ତା ପରେ  କଲେଜ ପ୍ରେକ୍ଷାଳୟରେ ଡାକ୍ତର, ନର୍ସ,  ଆଶାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ ।  ଏହା ପରେ କରୋନେସନ ପଡ଼ିଆରେ  ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ  ରହିଛି । କରୋନେସନ ପଡ଼ିଆରେ ସେ ବିଭିନ୍ନ  ପ୍ରକଳ୍ପର ଉଦ୍‌ଘାଟନ ସହିତ ଅନେକ ନୂତନ  ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଗସ୍ତ  ଅବସରରେ ମୁଖ୍ୟମନ୍ତ୍ରୀ ପ୍ରାୟ ୯୬୮ କୋଟି ଟଙ୍କାର ୪୨ଟି ନୂତନ ପ୍ରକଳ୍ପର ଉଦ୍‌ଘାଟନ  କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ୬୫ଟି  ନୂତନ ପ୍ରକଳ୍ପର ଶୁଭ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି  ଚାଲିଛି । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ  ଓ ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ ଶେଷ ହୋଇଛି ।  ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ ସହରରେ ବ୍ୟାପକ  ପୁଲିସ ମୁତୟନ କରାଯାଇଛି ।