ଫୁଲବାଣୀ ୦୭/୦୬: ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଏନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । ମୁଖ୍ୟମନ୍ତ୍ରୀ ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ ନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ ଉଦ୍ଘାଟନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ୧୦.୪୦ ମି.ରେ ରିଜର୍ଭ ପଡ଼ିଆ ହେଲିପ୍ୟାଡ୍ରେ ଓହ୍ଲାଇ ସିଧା ନବ ନିର୍ମିତ ମେଡିକାଲ କଲେଜକୁ ଯିବା କାର୍ଯ୍ୟସୂଚୀ ରହିଛି । ସେଠାରେ ମେଡିକାଲ କଲେଜ ଉଦ୍ଘାଟନ କରିବା ପରେ ଆନାଟୋମୀ ପରୀକ୍ଷାଗାର, ବ୍ୟବଚ୍ଛେଦ କକ୍ଷ, ଏଫ୍ଏମ୍ଟି ମ୍ୟୁଜିଅମ ପରିଦର୍ଶନ କରିବେ । ତା ପରେ କଲେଜ ପ୍ରେକ୍ଷାଳୟରେ ଡାକ୍ତର, ନର୍ସ, ଆଶାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଏହା ପରେ କରୋନେସନ ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । କରୋନେସନ ପଡ଼ିଆରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହିତ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରାୟ ୯୬୮ କୋଟି ଟଙ୍କାର ୪୨ଟି ନୂତନ ପ୍ରକଳ୍ପର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ୬୫ଟି ନୂତନ ପ୍ରକଳ୍ପର ଶୁଭ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ ଶେଷ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।