ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବରଗଡରେ ବଡ଼ ଚାଷୀ ସମାବେଶ: ଚାଷୀଙ୍କ ଖାତାକୁ ଯିବ ୮୦୦ ଟଙ୍କାର ବୋନସ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Published By : Prameya | December 8, 2024 7:43 AM

ବରଗଡ଼/ସୋହେଲା,୦୮/୧୨: ଦୀର୍ଘ ଅପେକ୍ଷାର  ଅନ୍ତ । ଚାଷୀଙ୍କ ଖାତାକୁ ଯିବ  ୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି (ବୋନସ୍‌) । ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଇଚ୍ଛାପାଲିରେ  ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ ବିଭାଗ ପକ୍ଷରୁ ରବିବାର ରାଜ୍ୟସ୍ତରୀୟ ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ  କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝି । ଅନୁରୂପ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସମାବେଶରେ  ଇନ୍‌ପୁଟ୍‌ ସବ୍‌ସିଡି ବଣ୍ଟାଯିବ । 

୨୦୨୪ ସାଧାରଣ ନିର୍ବାଚନରେ ଭାଜପା  ବଡ଼ ଘୋଷଣା କରିଥିଲା । ଓଡ଼ିଶାରେ  କ୍ଷମତାକୁ ଆସିଲେ କ୍ୱିଣ୍ଟାଲ ପିଛା ୩୧୦୦  ଟଙ୍କାରେ ଧାନ କିଣାଯିବ ବୋଲି ନିର୍ବାଚନୀ  ପ୍ରତିଶ୍ରୁତି ଦେଇଥିଲା ଦଳ । ଦଳ ନିର୍ବାଚନ  ଜିତିବା ପରେ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା  ଭିଡ଼ିଛି । ଏକ କ୍ୱିଣ୍ଟାଲ ଧାନ ବାବଦରେ  ଚାଷୀ ୨୩୦୦ ଟଙ୍କା ପାଉଥିବାବେଳେ  ଏଥିରେ ଯୋଡ଼ିହୋଇଛି ୮ ଶହ ଟଙ୍କା  ଇନପୁଟ ସବ୍‌ସିଡି । ଧାନ କିଣାଯିବାର ୪୮  ଘଣ୍ଟା ମଧ୍ୟରେ ଏହି ଟଙ୍କା ଚାଷୀ ପାଇବେ ।  ଆକାଉଣ୍ଟକୁ ସିଧାସଳଖ ଟଙ୍କା ପୈଠ ହେବ ।  

ଶନିବାର ଅପରାହ୍ନ ୪ଟା  ସୁଦ୍ଧା ଧାନ ବିକ୍ରି କରିସାରିଥିବା ଚାଷୀ ହିଁ ପ୍ରଥମ ପର୍ଯ୍ୟାୟ ବୋନ୍‌ସ ରାଶି ପାଇବେ । ହେଲେ କେଉଁ ଚାଷୀ ବୋନସ୍‌ ପାଇବେ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଚାଷୀ ଦେଇଥିବା ଧାନକୁ ମିଲର୍ସ ପରବର୍ତ୍ତୀ ଦିନ ହିଁ ଗ୍ରହଣ  କରୁଛନ୍ତି । ତେଣୁ ଧାନ ବିକ୍ରି କରିଥିଲେ ହେଁ  ସମସ୍ତ ପ୍ରକ୍ରିୟା ଶେଷ ହେଉ ନ ଥିବାରୁ ଅନେକ  ଚାଷୀ ପ୍ରଥମ ପର୍ଯ୍ୟାୟ ବୋନସରୁ ବଞ୍ଚିତ  ହେବା ଆଶଙ୍କା ଦେଖାଦେଇଛି । ବରଗଡ଼  ଜିଲ୍ଲାରେ ଶନିବାର ଅପରାହ୍ଣ ସୁଦ୍ଧା ୧୫  ହଜାର ୫୯ ଚାଷୀ ପ୍ରାୟ ୭ ଲକ୍ଷ ୧୪ ହଜାର  ୫୦୦ କ୍ୱିଣ୍ଟାଲ ଧାନ ବିକି ଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେଣୁ  ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୫ ହଜାର ୫୯  ଚାଷୀ ବୋନସ ପାଇବେ ବୋଲି ଆପାତତଃ  ଜଣାପଡ଼ିଛି। ସେମାନଙ୍କ ଆକାଉଣ୍ଟକୁ ୫୭ କୋଟି ୧୬ ଲକ୍ଷ ଟଙ୍କା ଆସିବ ବୋଲି ଆକଳନ କରାଯାଇଛି ।  

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଭୁବନେଶ୍ୱରରୁ ସ୍ୱତନ୍ତ୍ର  ବିମାନରେ ଆସି ପଦ୍ମପୁରସ୍ଥିତ ସତୀଭଟା  ଏୟାରଷ୍ଟ୍ରିପ୍‌ରେ ୧୧ଟା ୧୫ରେ ଅବତରଣ କରିବେ । ସେଠାରୁ ହେଲିକପ୍ଟରରେ ଇଚ୍ଛାପାଲି ପଡ଼ିଆରେ  ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସଭାସ୍ଥଳକୁ  ଯିବେ । ଚାଷୀ ଓ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ଧାନର ଏମ୍‌ଏସ୍‌ପି ଉପରେ  କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କାର ବୋନସ ସହାୟତା  ରାଶିର ଶୁଭାରମ୍ଭ କରିବେ ।

 ମୁଖ୍ୟମନ୍ତ୍ରୀ ଅପରାହ୍ନ  ୨ଟା ୧୦ ଯାଏ ସୋହେଲାରେ ରହିବେ । ୨ଟା ୧୫ରେ ହେଲିକପ୍ଟରରେ ନବରଙ୍ଗପୁର ଯାଇ ‘ମଣ୍ଡେଇ’  ପର୍ବରେ ଯୋଗଦେବେ ବୋଲି ଜଣାପଡ଼ିଛି । ଇଚ୍ଛାପାଲିରେ ଇନ୍‌ପୁଟ୍‌ ସବ୍‌ସିଡି ବଣ୍ଟନ  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ  ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ  ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର  ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଧାୟକ ଅଶ୍ୱିନୀ  ଷଡ଼ଙ୍ଗୀ, ଇରାଶିଷ ଆଚାର୍ଯ୍ୟ, ସନତ ଗଡ଼ତିୟା,  ନିହାର ରଞ୍ଜନ ମହାନନ୍ଦ କାର୍ଯ୍ୟକ୍ରମକୁ ସଫଳ  କରିବାକୁ ନିଜସ୍ତରରେ ଉଦ୍ୟମ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲା  ପ୍ରଶାସନ ତତ୍ପର ହୋଇଉଠିଛି । ଜିଲ୍ଲାପାଳ ଆଦିତ୍ୟ  ଗୋୟଲ ସଭାସ୍ଥଳ ପ୍ରସ୍ତୁତି ତଦାରଖ କରୁଥିବା ବେଳେ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ସୁରକ୍ଷା  ଉପରେ ବିଶେଷ ଧ୍ୟାନ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ  ସୁରକ୍ଷା ପାଇଁ ୪ ଏଏସ୍‌ପି, ୧୨ ଡିଏସପି, ୩୫  ଇନ୍ସପେକ୍ଟର, ୧୨୦ ଏସ୍‌ଆଇ ଓ ଏଏସଆଇଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସମୁଦାୟ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । 

କିଏ କେଉଁଠି ବାଣ୍ଟିବେ 

କଥା ଦେଇ କଥା ରଖିଲେ ସରକାର । କୃଷକଙ୍କ  ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାନ କ୍ୱିଣ୍ଟାଲ ପିଛା ଇନ୍‌ପୁଟ ସହାୟତା ରାଜ୍ୟ ସରକାର ପ୍ରଦାନ କରିବେ । ଓଡ଼ିଆ ଅସ୍ମିତାକୁ ପାଥେୟ କରି ରାଜ୍ୟରେ ଗଠିତ ସରକାର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ଐତିହାସିକ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟବ୍ୟାପୀ ଚାଷୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି । ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ୱଲପୁରରେ  ମନ୍ତ୍ରୀ ରବିନାରାୟଣ ନାଏକ, ଖୋର୍ଦ୍ଧାରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗଞ୍ଜାମରେ ମନ୍ତ୍ରୀ ବିଭୂତି  ଭୂଷଣ ଜେନା, କଳାହାଣ୍ଡିରେ ମନ୍ତ୍ରୀ ଡ. ମୁକେଶ  ମହାଲିଙ୍ଗ, କୋରାପୁଟରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,  ବାଲେଶ୍ୱରରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ,  କନ୍ଧମାଳରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,  ଜଗତ୍‌ସିଂହପୁରରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଭଦ୍ରକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେବେ । ଅନ୍ୟ ଜିଲ୍ଲାରେ ସମ୍ପୃକ୍ତ ସାଂସଦ ଏବଂ ବିଧାୟକ  ଉପସ୍ଥିତ ରହିବେ । ରାଜ୍ୟ ସରକାର ଖରିଫ୍‌ ଧାନ  ସଂଗ୍ରହରେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଉଛନ୍ତି ।  ଧାନକିଣା ପୂର୍ବରୁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ  ଦିଆଯାଉଛି । ମଣ୍ଡିରେ ସର୍ବନିମ୍ନ ସୁବିଧା ଉପଲବ୍ଧ  କରାଯାଉଛି । ନୋଡାଲ ଅଫିସର ଧାନକିଣା  ଉପରେ ନଜର ରଖୁଛନ୍ତି । ବାହାର ରାଜ୍ୟର  ଧାନ ଓଡ଼ିଶାକୁ ଯେପରି ପ୍ରବେଶ ନ କରିବ  ସେଥିଲାଗି ଟାସ୍କଫୋର୍ସ ଗଠନ କରାଯାଇଛି । କୌଣସି ଅଭିଯୋଗ ଥିଲେ ଚାଷୀମାନେ ୧୯୬୭କୁ ଯୋଗାଯୋଗ କରି ସମସ୍ୟା ଜଣାଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.