କଟକ,୨୦/୦୨: ଆଜିଠୁ କଟକ ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଜାତୀୟ  ସିନିୟର କବାଡ଼ି ଚାମ୍ପିଅନ୍‌ସିପ୍‌ ଆରମ୍ଭ  ହେବ। ଏନେଇ ପ୍ରସ୍ତୁତି ଚୂଡାନ୍ତ  ପର୍ଯ୍ୟାୟରେ ପହଞ୍ଚିଛି । ଷ୍ଟାଡିୟମ୍‌କୁ  ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି ।  

ଗୁରୁବାର ଖେଳାଳି, ଅଫିସିଆଲ୍ସଙ୍କ ସହ ଉଦ୍‌ଘାଟନୀ  କାର୍ଯ୍ୟକ୍ରମର ମାହୋଲରେ କମ୍ପିବ ଜବାହରଲାଲ୍‌ ନେହରୁ ଇନ୍‌ଡୋର  ଷ୍ଟାଡିୟମ୍‌ । ପ୍ରତିଯୋଗିତାରେ ୩୦ଟି  ରାଜ୍ୟ ଓ ୪ ବିଭାଗୀୟ ଦଳ ଅଂଶ  ଗ୍ରହଣ କରିବେ। ରାଜ୍ୟ, ଜାତୀୟ ଓ  ଅନ୍ତର୍ଜାତୀୟ ସ୍ତରର ୪୫୦ରୁ ଅଧିକ ପ୍ରତିଭାବାନ୍‌ ଖେଳାଳି ଏଥିରେ ଭାଗ  ନେଉଛନ୍ତି । ୫୦ରୁ ଅଧିକ ପ୍ରୋ-କବାଡି ଖେଳାଳି ଏଥିରେ ରହିଛନ୍ତି । ସମସ୍ତ ଦଳର ପ୍ରଶିକ୍ଷକ, ପ୍ରବନ୍ଧକ  ମାନଙ୍କ ସହ ପ୍ରତ୍ୟେକ ରାଜ୍ୟ କବାଡି  ସଂଘର ସଭାପତି ଓ ସମ୍ପାଦକ ମାନେ  ମଧ୍ୟ ଯୋଗଦେବେ ବୋଲି କହିଛନ୍ତି  ଓଡ଼ିଶା କବାଡି ସଂଘର ସମ୍ପାଦକ ଅଜୟ  ବେହେରା ।  

୨୦୧୭ ଜୁନିୟର୍‌ କବାଡି  ଆୟୋଜନର ବେଶ୍‌ ସଫଳତା ପରେ  ଓଡିଶା ପୁର୍ନବାର ଆଉ ଏକ ମାଇଲ  ଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ଚଳିତ ବର୍ଷର ଉଦ୍‌ଘାଟନୀ ଉତ୍ସବକୁ  ଚିତ୍ତାକର୍ଷକ ଓ ରଙ୍ଗାରଙ୍ଗ କରାଯିବ । ଉଦ୍‌ଘାଟନୀ ସନ୍ଧ୍ୟା ୫ ଘଟିକା ଠାରୁ ୭  ଘଟିକା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ  ଆୟୋଜିତ ହେବ । ଏହି ସାଂସ୍କୃତିକ  କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ  ବିଶିଷ୍ଟ ବଲିଉଡ୍‌ ତାରକା ତଥା ଜୁନିୟର ବିଗ୍‌ ଶଶୀକାନ୍ତ ପେଡ୍‌ୱାଲ୍‌  (ଡୁପ୍ଲିକେଟ୍‌ ଅଭିତାଭ ବଚ୍ଚନ) ।  

ସେହିପରି ‘ଆମ ଅସ୍ମିତା ଆମର  ଗର୍ବ' ନୃତ୍ୟ ପରିବେଷଣ କରିବେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫେଟ୍‌ ଫାଇଟର୍ସ ଗ୍ରୁପ ଓ ସାଥି । ଚଳିତ ବର୍ଷର ଥିମ୍‌ ସଙ୍ଗ୍‌  ପରିବେଷଣ କରିବେ ସତ୍ୟଜିତ୍‌  ଓ ଆଶୁତୋଷ । ସମସ୍ତ ଦଳର ଆୟୋଜକ ମାନଙ୍କ ଦ୍ୱାରା ଜାତୀୟ ସିନିୟର୍‌ ଟ୍ରଫି ଉନ୍ମୋଚନ କାର୍ଯ୍ୟକ୍ରମ  ଥିବା ବେଳେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର  ମାର୍ଚ୍ଚ ପାଷ୍ଟ୍‌ ଉପର ବାଲିଯାତ୍ରା ପଡିଆ  ଠାରୁ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ  କରାଯିବ । ଏହି ମାର୍ଚ୍ଚ ପାଷ୍ଟ୍‌ରେ ସମସ୍ତ  ଦଳର ଖେଳାଳି ମାନେ ଅଂଶଗ୍ରହଣ  କରିବେ ।