ଚମ୍ବଲ ଉପତ୍ୟକାରେ ଉପଦ୍ରବ କରିଆସୁଥିବା ଡକାୟତମାନେ ଯଦି ସ୍ୱତଃପ୍ରବୃତ୍ତ ହୋଇ ଆତ୍ମସମର୍ପଣ କରିବେ, ତେବେ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଜୀବନଯାପନର ସୁଯୋଗ ଦେବାପାଇଁ ନାନାଦି ବ୍ୟବସ୍ଥାର ପ୍ରବର୍ତ୍ତନ ହୋଇଥିଲା । ଦିନେ ମଧ୍ୟପ୍ରଦେଶର ଏକ ପୋଲିସ କ୍ୟାମ୍ପ ଭିତରକୁ ପଶିଆସିଲା ଏକ ଯୁବକ । ଚଦର ଭିତରୁ ବନ୍ଧୁକଟି ବାହାର କରି ତଳେ ଥୋଇଦେଲା ଓ ଅଫିସରଙ୍କୁ ପ୍ରଣାମ କରି କହିଲା "ଆଜ୍ଞା, ମୁଁ ଡାକୁ ଅମୁକ ।' ଆତ୍ମସମର୍ପଣ କରୁଛି । ମୋତେ ଯାହା ଦଣ୍ଡ ଦେବାର ଦିଅନ୍ତୁ । କିନ୍ତୁ ପରବର୍ତ୍ତୀ କାଳରେ ଯେପରି ଶାନ୍ତଶିଷ୍ଟ ଭାବରେ ବଞ୍ଚିପାରିବି ସେ ବ୍ୟବସ୍ଥା କରିଦିଅନ୍ତୁ ।' ଅଫିସର ଖୁସି ହୋଇ ତାଙ୍କ ଟେବୁଲରେ ପଡ଼ିଥିବା ଖାତାଟିଏ ଟାଣିଆଣି ତହିଁରେ ଥିବା ଏକ ଦୀର୍ଘ ତାଲିକା ଏକାଧିକ ଥର ପଢ଼ିଲେ ଓ ଯୁବକଙ୍କୁ ତାର ନାଁ ପୁଣି ଥରେ ପଚାରିଲେ ଓ କହିଲେ "କାହିଁ ଦୁର୍ଦ୍ଧର୍ଷ ଡକାୟତ ତାଲିକାରେ ତ ତମ ନାମ ଦେଖୁନାହିଁ । ତମେ କେତେ ଗୋଟି ହତ୍ୟାକାଣ୍ଡରେ ସଂପୃକ୍ତ? ଯୁବକଟି ଉତ୍ତର ଦେଲା ସେ ଗୋଟିଏ ବି ହତ୍ୟାକାଣ୍ଡରେ ସଂପୃକ୍ତ ନୁହେଁ ଓ ସେ କେବଳ ଲୁଟତରାଜ କରିଥାଏ । ଅଫିସର ଯୁବକଟିକୁ ପୁଣି ଥରେ ଚାହିଁବାରୁ ଯୁବକଟି ଉତ୍ସାହିତ ହୋଇ କହିଲା "ବିଶ୍ୱାସ କରନ୍ତୁ ଆଜ୍ଞା, ମୁଁ ଜମାରୁ ମଣିଷ ମାରିନାହିଁ । କୌଣସି ବି ପୋଲିସ ଖାତାରେ ମୋ ବିରୁଦ୍ଧରେ ସେଭଳି ଅଭିଯୋଗ ଥାଇନପାରେ ।'
ଅଫିସର କହିଲେ– କିଏ କହୁଛି ଅଭିଯୋଗ ଅଛି ବୋଲି? ଅଭିଯୋଗ ନାହିଁ ସେଇଟା ତ ସମସ୍ୟା । ଯୁବକଟି ବୁଝିପାରିଲା ନାହିଁ । ଅଫିସର କହିଲେ– ବାବୁ ତମେ ଡାକୁ ପର୍ଯ୍ୟାୟରେ ଯିବନାହିଁ, ତୁମେ ସାଧାରଣ ଦସ୍ୟୁ ମାତ୍ର । ଦୁର୍ଦ୍ଧର୍ଷ ଡାକୁମାନଙ୍କ ଥଇଥାନ ପାଇଁ ସିନା ବ୍ୟବସ୍ଥାମାନ କରାଯାଇଛି, ଛୋଟିଆ ମୋଟିଆ ଦସ୍ୟୁଙ୍କୁ ସେ ସୁଯୋଗ କାହୁଁ ମିଳିବ, ଅଫିସର ବୁଝାଇଦେଲେ । ଯୁବକ ଅଫିସରକୁ କହିଲେ– ତେବେ କ'ଣ ଆଜ୍ଞା, ସେ ଯୋଗ୍ୟତା ପାଇବାକୁ ହେଲେ ମୋତେ ମଣିଷ ମାରିବାକୁ ହେବ? ଯୁବକଟି ବିଚଳିତ ହୋଇ ପଚାରିଲା । ଅଫିସର ଏହାର ଉତ୍ତର ଦେଇପାରିଲେ ନାହିଁ । ଯୁବକଟି ଗିରଫ ହେଲା ଓ ତା'ର ବିଚାର ଦଣ୍ଡ ହେଲା । କିନ୍ତୁ ଆତ୍ମସମର୍ପଣ ସତ୍ତେ୍ୱ ଦୁର୍ଦ୍ଧର୍ଷ ଡାକୁମାନଙ୍କ ସକାଶେ ଉଦ୍ଦିଷ୍ଟ ସୁବିଧା ସୁଯୋଗ ତାକୁ ମିଳିଲା ନାହିଁ ।
ଜଣେ ସାଧାରଣ ଲୋକ ପରି ଜିତୁ ମୁଣ୍ଡା ବ୍ୟାଙ୍କକୁ ଅନେକ ଥର ଯାଇଥିବ ଓ ତା' ମୃତ ଭଉଣୀର ଉତ୍ତରାଧିକାରୀ ଭାବେ ତା' ଭଉଣୀର ବ୍ୟାଙ୍କ ଖାତାରେ ଥିବା ଧନରାଶି ତାଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରିଥିବ । ସମ୍ଭବତଃ, ସ୍ୱାଭାବିକ ଭାବେ ବ୍ୟାଙ୍କ ତାଙ୍କ ଭଉଣୀର ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ମାଗିଥିବେ ଓ ସେ ତାହା ପେଶ୍ କରିପାରିନଥିବାରୁ ବ୍ୟାଙ୍କ ତାଙ୍କୁ ଟଙ୍କା ଦେଇପାରିନଥିବେ । ସେ ବିଚରା ନିରକ୍ଷର ଆଦିବାସୀ ମଣିଷଟି ଆଇନର ଏହି ସୂକ୍ଷ୍ମ ଆବଶ୍ୟକତା ବୁଝିବ ବା କ'ଣ? ଦିନେ ମଶାଣିରୁ ମୃତ ଭଉଣୀର ଅସ୍ଥି କଙ୍କାଳ ଖୋଳି ଗୋଟିଏ ଅଖାରେ ପୂରାଇ ଖରାରେ ତିନି କିଲୋମିଟର ବାଟ ଚାଲି ଚାଲି ଆସି ବ୍ୟାଙ୍କ ବାରଣ୍ଡାରେ ଅଖାଟିକୁ ଥୋଇଦେଇ ଭଉଣୀ ଯେ ମୃତ, ତା’ର ପ୍ରମାଣ ତା’ର ବୁଦ୍ଧିମତେ ଦେଇଦେଲେ ଓ ଆଶା ଥିଲା ବ୍ୟାଙ୍କ କର୍ତ୍ତୃପକ୍ଷ ତା'ର ପ୍ରାପ୍ୟ ଦେଇଦେବେ । ଅଘଟଣଟି ଘଟିବା ପରେ ବ୍ୟାଙ୍କ ପ୍ରଶାସନ, ରାଜ୍ୟ ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକେ ସମସ୍ତେ ତତ୍ପର ହୋଇପଡ଼ିଲେ ଓ ଦିନେ ଦୁଇଦିନ ମଧ୍ୟରେ ମୃତ୍ୟୁ ପ୍ରମାଣ ପତ୍ର ଓ ଉତ୍ତରାଧିକାର ପ୍ରମାଣପତ୍ର ବାହାରିପଡ଼ିଲା । ଜିତୁ ମୁଣ୍ଡା ତା'ର ଯାହା ପ୍ରାପ୍ୟ ପାଇଲା । କିନ୍ତୁ ଯଦି ସେହି ଅଘଟଣଟି ଘଟାଇ ନଥାଆନ୍ତା, ତେବେ ତା’ର ପ୍ରାପ୍ୟ ପାଇବାକୁ ଆଉ କେତେ ବର୍ଷ ଲାଗିଥାଆନ୍ତା ତାହା କହିହେବ ନାହିଁ ।
ଆଠ ଦଶ ବର୍ଷ ତଳର କଥା । ଯେତେବେଳେ ଦାନ ମାଝୀ ନାମକ ଜଣେ ବ୍ୟକ୍ତି ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ତା'ର ସ୍ତ୍ରୀର ମୃତ୍ୟୁ ପରେ ସ୍ତ୍ରୀର ମୃତ ଶରୀରକୁ ମୁଣ୍ଡରେ ବୋହି ଦଶ କିଲୋମିଟର ବାଟ ଚାଲି ଚାଲି ତା' ଘରକୁ ଆଣିଥିଲା । ସେହି ଫଟୋ ଓ ଘଟଣା ସେତେବେଳେ ଆମର ସବୁ ଖବରକାଗଜ ଓ ଇଲେକଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା ଓ ଦେଶ ବିଦେଶରେ ଆମ ରାଜ୍ୟ ବଦନାମ ହୋଇଥିଲା । କିନ୍ତୁ ଏହି ଘଟଣା ପରେ ଦାନ ମାଝୀଙ୍କୁ ସରକାରୀ ସହାୟତା ମିଳିବା ସଙ୍ଗେ ସଙ୍ଗେ ଦେଶ ବିଦେଶରୁ ମଧ୍ୟ ଅର୍ଥ ସହାୟତା ମିଳିଲା ।
ଜିତୁ ମୁଣ୍ଡା ଓ ଦାନ ମାଝୀ କ୍ଷେତ୍ରରେ ଯାହା ଘଟିଗଲା ତାହା ଯେକେହି କହିବେ ଯେ ତାହା ଅସ୍ୱାଭାବିକ ଓ ଆଦୌ ଭଲ ହେଲାନାହିଁ । କିନ୍ତୁ ଉଭୟ ସେତକ କରିନଥିଲେ ସମ୍ଭବତଃ ସେମାନେ ଲୋକଲୋଚନକୁ ଆସିପାରିନଥାନ୍ତେ । କିନ୍ତୁ ଏହି ପଦକ୍ଷେପ ଯେ ଏକ ବଡ଼ ଭୁଲ୍ ପଦକ୍ଷେପ ତାହା ଯେକେହି କହିବ । ଦେଖାଯାଏ ଯେ, ଜଣେ କେହି କିଛି ନା କିଛି ବଡ଼ ଧରଣର ଅସ୍ୱାଭାବିକ ଘଟଣା ନ ଘଟାଉଛନ୍ତି ତାଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ । ଏହା ଘଟୁଛି କାହିଁକି ଓ ଏଥିପାଇଁ ଦାୟୀ କିଏ ଯଦି ପ୍ରଶ୍ନ କରାଯାଏ, ତେବେ ଏଥିପାଇଁ ଦାୟୀ କେବଳ ଆମ ପ୍ରଚଳିତ ବ୍ୟବସ୍ଥା । ବର୍ତ୍ତମାନ ଗୋଟେ ସମୟ ଆସିଛି ଯେତେବେଳେ ଲୋକ ସେବାରତ ଅଧିକାରୀମାନେ ବ୍ୟବସ୍ଥା ବାହାରକୁ ଯିବାକୁ ସାହସ କରୁନାହାନ୍ତି ଓ ତାହା ମଧ୍ୟ ସ୍ୱାଭାବିକ କଥା । ବ୍ୟବସ୍ଥା ବାହାରକୁ ଯାଇ ନିଜେ ବିପଦ ଆଡ଼କୁ ଠେଲି ହୋଇଯିବେ ବା କାହିଁକି? ନିଜର ବୁଦ୍ଧି, ବିବେକ ଓ ମାନବିକତା ଅନୁସାରେ କାର୍ଯ୍ୟ କଲେ ହୁଏତ ସମସ୍ୟା ହୋଇପାରେ । କିନ୍ତୁ, ସେମାନେ ବ୍ୟବସ୍ଥାର ପରିସର ମଧ୍ୟରେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି କି? ସମ୍ଭବତଃ ନା ।
ଯଦି ବ୍ୟବସ୍ଥାର ପରିଧି ମଧ୍ୟରେ କାର୍ଯ୍ୟ କରୁଥାଆନ୍ତେ ତେବେ ମଧ୍ୟ ଏଭଳି ପରିସ୍ଥିତି ଆଦୌ ଉପୁଜି ନଥାନ୍ତା । କାରଣ, ବ୍ୟବସ୍ଥାରେ ପ୍ରତିଟି ବିଷୟରେ ଆଇନଗତ ବିକଳ୍ପ ବ୍ୟବସ୍ଥା ରହିଛି । ତା' ନହେଇଥିଲେ ହାଡ଼ କଙ୍କାଳ ନେବାର ଦିନେ ଦୁଇଦିନ ମଧ୍ୟରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ହୃଦ୍ବୋଧ କିପରି ହେଲା ଯେ ଜିତୁ ମୁଣ୍ଡାର ଭଉଣୀ ପ୍ରକୃତରେ ମୃତ । ହାଡ଼ କଙ୍କାଳ ତ କଦାପି ଦିନେ ଦୁଇଦିନ ମଧ୍ୟରେ ଏହା ପ୍ରମାଣିତ କରିପାରିବ ନାହିଁ ଯେ ତାହା ଜିତୁ ମୁଣ୍ଡାର ଭଉଣୀର । ସେ ଜିତୁ ମୁଣ୍ଡା ହେଉ କି ଦାନ ମାଝୀ, ଉଭୟଟି କ୍ଷେତ୍ରରେ ଅଘଟଣ ଘଟିବା ପରେ ଯେଉଁ ପ୍ରକ୍ରିୟା ଓ ତତ୍ପରତା ଅନୁସରଣ କରାଗଲା ତାହା ଅଘଟଣ ଘଟିବା ପୂର୍ବରୁ ଯଦି କରାଯାଇଥାଆନ୍ତା ତେବେ ଆମ ରାଜ୍ୟ, ରାଜ୍ୟ ସରକାର ଓ ରାଜ୍ୟବାସୀ ଦୁନିଆରେ ନିନ୍ଦିତ ଓ ଅପମାନିତ ହୋଇନଥାଆନ୍ତେ ।
ଏବେ ଦେଖାଯାଉ ଆମ ପରି ସାଧାରଣ ଲୋକ, ଯେଉଁମାନେ ଏହି ବୀଭତ୍ସ ଦୃଶ୍ୟ ଦେଖି ଆଲୋଚନା କରୁଛେ ଓ ବ୍ୟାଙ୍କ, ସରକାରଙ୍କ ପ୍ରତି ଆମର ବିରକ୍ତି ଭାବ ବ୍ୟକ୍ତ କରୁଛେ ଆମେ କ'ଣ ଏହି ଅଘଟଣକୁ ରୋକି ପାରିନଥାଆନ୍ତେ, ଉଭୟଟି କ୍ଷେତ୍ରରେ ସେମାନଙ୍କ ସମସ୍ୟା ସେଠାକାର ଅନେକେ ଜାଣିଥିବେ । ଅନେକ ଲୋକ ମଧ୍ୟ ନିଶ୍ଚୟ ଦେଖିଥିବେ ଓ ଚାହିଁଥିଲେ ସେଇଠି ଏହି ଅଘଟଣକୁ ରୋକାଯାଇ ପାରିଥାଆନ୍ତା । କିନ୍ତୁ ମୋର କ'ଣ ଯାଉଛି ଭାବି ସମସ୍ତେ ଦେଖଣାହାରୀ ସାଜିଲେ ଓ ଫଟୋ ଉଠାଇ ନିଜ ନିଜ ନାଗରିକ କର୍ତ୍ତବ୍ୟ ସମ୍ପାଦନ କଲେ ବୋଲି ଆତ୍ମସନ୍ତୋଷ ପାଇଲେ ।
୨୬ ମାର୍ଚ୍ଚ, ୧୯୯୩ରେ "ନ୍ୟୁୟର୍କ ଟାଇମ୍ସ' ପତ୍ରିକାର ପୃଷ୍ଠା-୩ରେ ଏପରି ଏକ ହୃଦୟ ବିଦାରକ ଫଟୋ ଛପା ଯାଇଥିଲା ଯାହା ସମଗ୍ର ବିଶ୍ୱକୁ ହତଚକିତ କରି ରଖିଦେଇଥିଲା, ଯାହାର ଶୀର୍ଷକ ଥିଲା "ଶାଗୁଣା ଓ ଶିଶୁଟିଏ' । ଏହି ଛବିଟି ସୁଦାନର ଥିଲା ଯେଉଁଠି ଦୁର୍ଭିକ୍ଷ ଓ ଅନାହାର ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଥିଲେ । ଏହି ଛବିଟି ଏକ ଅତି ଛୋଟ ଶିଶୁକନ୍ୟାର ଥିଲା ଯେ କି, ଅନାହାର ଯୋଗୁଁ ଏତେ ଦୁର୍ବଳ ହୋଇଯାଇଥିଲା ଯେ, ତା' ଶରୀରର ହାଡ଼ କଙ୍କାଳଗୁଡ଼ିକ ସ୍ପଷ୍ଟ ରୂପେ ଦେଖାଯାଉଥିଲା ଓ ଝିଅଟିର ଏତିକି ଶକ୍ତି ବି ନଥିଲା ଯେ ସେ ଅଳ୍ପ କେତେ ମିଟର ଦୂରତାରେ ଥିବା ଜାତିସଂଘର ଆହାର କେନ୍ଦ୍ରରେ ପହଞ୍ଚି ପାରିବ । ସେ ଥକିକି ଆଣ୍ଠୁ ମାଡ଼ି ମୁଣ୍ଡ ତଳକୁ କରି ବସିଛି ଓ ଶିଶୁ କନ୍ୟାଟିର ଠିକ୍ ପଛକୁ ଏକ ଶାଗୁଣା ଶିଶୁ କନ୍ୟାଟିର ମରଣକୁ ଅପେକ୍ଷା କରିଛି ।
ଏହି ଫଟୋଟିକୁ ଉଠାଇଥିଲେ କେବିନ୍ କାର୍ଟର ନାମକ ଜଣେ ଫଟୋଗ୍ରାଫର । କେବିନ୍ କାର୍ଟର ଶିଶୁ କନ୍ୟାଟିକୁ ବଞ୍ଚାଇବାକୁ ନିକଟସ୍ଥ ଆଧାର କେନ୍ଦ୍ରକୁ ନେବାରେ ସହାୟତା ନକରି ଏହି ଫଟୋ ଉଠାଇ ଚାଲି ଆସିଥିଲେ । ଅବଶ୍ୟ ଏହି ଫଟୋ ଉଠାଇଥିବାରୁ କେବିନ୍ କାର୍ଟରଙ୍କୁ ବହୁତ ଗୁଡ଼ିଏ ଆୱାର୍ଡ଼ ମିଳିଥିଲା । କିନ୍ତୁ ଯେତେବେଳେ ଉକ୍ତ ଫଟୋଗ୍ରାଫର ତାଙ୍କ ଭୁଲ୍ ବୁଝିପାରିଲେ, ସେ ଆତ୍ମଗ୍ଳାନିରେ ଏପରି ଏକ ଚରମ ପଦକ୍ଷେପ ନେଲେ ଯାହା ମଧ୍ୟ ଏକ ବଡ଼ ଭୁଲ୍ ଥିଲା । ଏହି ତିନିଟିଯାକ ଘଟଣା ଏହା ପ୍ରତିପାଦିତ କରୁଛି ଯେ, ଯେକେହି କିଛି ଅସ୍ୱାଭାବିକ ଘଟଣା ଘଟାଉଛନ୍ତି ସେମାନେ ତୁରନ୍ତ ତାହାର ସୁଫଳ ପାଉଛନ୍ତି । କିନ୍ତୁ ଯେଉଁମାନେ ସ୍ୱାଭାବିକ ଆଚରଣ କରୁଛନ୍ତି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ । ସମୟ ଆସିଲାଣି ସାଧାରଣ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି ଓ ନିଜ ନିଜ ସମସ୍ୟାର ସମାଧାନ ପାଇଁ ଯେକୌଣସି ଉପାୟ ଅବଲମ୍ବନ କରିବାକୁ ଦ୍ୱିଧା କରୁନାହାନ୍ତି, ଯାହାକି ଆଦୌ ସଭ୍ୟ ସମାଜ ପାଇଁ ଶୁଭଙ୍କର ନୁହେଁ । କିନ୍ତୁ କରିବେ ବା କ'ଣ?