ଭୁବନେଶ୍ୱର,୧୩/୦୬: ଜାତୀୟ  ଓଟିଟିରେ ସ୍ଥାନ ପାଇବ ଓଡ଼ିଆ ସିନେମା  "ମାମା ୱେଡ୍ସ ପାପା' । ୨ ବର୍ଷ ତଳେ  ଏହା ଓଡ଼ିଆ ଭାଷାରେ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଣ୍ଟିଥିଲା । ଦମ୍‌ଦାର୍‌  କାହାଣୀ ଏବଂ ସୁନ୍ଦର ଗୀତ ପାଇଁ  ଚର୍ଚ୍ଚାରେ ରହିଥିଲା । ଏହାର ଗୀତକୁ  ଆଜି ବି ଦର୍ଶକ ଗୁଣୁଗୁଣୁ ହୋଇଥାନ୍ତି ।  ବର୍ତ୍ତମାନ ଏହା ଓଟିଟିରେ ରିଲିଜ୍‌ ହେବାକୁ  ଯାଉଛି । ଯାହା ହିନ୍ଦୀ ଭାଷାରେ ଆସିବ ।  ଏହା ଓଡ଼ିଆ ସିନେମା ପାଇଁ ଗର୍ବର  ବିଷୟ । ତେବେ ତା’ ପୂର୍ବରୁ  ଶୁକ୍ରବାର ୧୩ ତାରିଖ ସନ୍ଧ୍ୟା ୫ଟାରେ  ଭୁବନେଶ୍ୱରର ଏକ ମଲ୍ଟିସ୍କ୍ରିନ୍‌ରେ  ଏହାର ସ୍ୱତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ ଯେଉଁଥିରେ ଓଲିଉଡ୍‌ର ବହୁ ପରିଚିତ ଚେହେରା ଯୋଗଦେବାର କାର୍ଯ୍ୟକ୍ରମ  ରହିଛି ।

ଶ୍ରୀହାନ୍‌ ସିନେକ୍ରିଏନ୍ସ ବ୍ୟାନରରେ  ନିର୍ମିତ "ମାମା ୱେଡ୍ସ ପାପା'ର ପ୍ରଯୋଜନା କରିଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି  ଆପ୍ପୁ କାନୁନ୍‌ଗୋ । ସଙ୍ଗୀତ ଦେଇଛନ୍ତି  ଆସାଦ ନିଜାମ୍‌ । ଚିତ୍ର ଉତ୍ତୋଳନ  କରିଛନ୍ତି ନିରଞ୍ଜନ ଦାଶ । ସିନେମାରେ ବଲିଉଡ୍‌ ଅଭିନେତା କୃଷ୍ଣା ଅଭିଷେକ  ପ୍ରଥମ କରି ଓଡ଼ିଆ ସିନେମାରେ  ଅଭିନୟ କରିଛନ୍ତି । ଅଭିଷେକ ରଥ,  ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି  ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ  ଅଭିନୟ କରିଛନ୍ତି । ଗୋଟିଏ କୁନି  ଝିଅ ତା'ର ପାପା-ମାମାଙ୍କର କିଭଳି  ବାହାଘର କରୁଛି ତାକୁ ନେଇ କାହାଣୀ  ଗତିଶୀଳ ହୋଇଛି । ଓଡ଼ିଆରେ ହଲ୍‌ରେ  ରିଲଜ୍‌ ହେବା ପରେ ପ୍ରଯୋଜନା  ସଂସ୍ଥା ପକ୍ଷରୁ ଏହାକୁ ହିନ୍ଦୀ ଭାଷାରେ ରିଲିଜ୍‌ ପାଇଁ ଯୋଜନା ହୋଇଥିଲା, ଯାହା ସଫଳ ହେବାକୁ ଯାଉଛି ।