ଇସଲାମାବାଦ: ପାକିସ୍ତାନରେ ଟମାଟୋ କିଲୋ ୬୦୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଟମାଟୋ କିଲୋ ୫୦-୧୦୦ ଟଙ୍କାରେ ବିକ୍ରି ହେଉଥିଲା । ଏହାର ଅର୍ଥ ହେଉଛି, ଟମାଟୋ ମୂଲ୍ୟ ପ୍ରାୟ ୪୦୦% ବୃଦ୍ଧି ପାଇଛି । ତେବେ ପାକିସ୍ତାନୀ ଟଙ୍କାରେ ଟମାଟୋର ମୂଲ୍ୟ ଏବେ ୬୦୦ ଟଙ୍କା । ଆଫଗାନିସ୍ତାନ ସହିତ ଉତ୍ତେଜନା ଯୋଗୁଁ ଟମାଟୋର ମୂଲ୍ୟ ବୃଦ୍ଧି ପାଇଛି। ଅକ୍ଟୋବର ୧୧ ତାରିଖରୁ ତୋରଖମ ଏବଂ ଚମନ ସୀମାରେ କ୍ରସିଂ ବନ୍ଦ କରିଦିଆଯାଇଛି । ଫଳରେ ବାଣିଜ୍ୟ ବାଧାପ୍ରାପ୍ତ ହୋଇଛି।
ଆଫଗାନିସ୍ତାନରୁ ଆସୁଥିବା ଟମାଟୋ ଟ୍ରକଗୁଡ଼ିକ ଫସି ରହିଛି । କରାଚୀ, ଲାହୋର ଏବଂ ଇସଲାମାବାଦ ଭଳି ସହରରେ ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ୱରେ ପ୍ରାୟ ୫୦୦୦ କଣ୍ଟେନର ଫସି ରହିଥିବା ଜଣାପଡ଼ିଛି । ସେପଟେ ସ୍ଥାନୀୟ ଉତ୍ପାଦନରେ କ୍ଷତି ହୋଇଥିବାରୁ ପାକିସ୍ତାନରେ ଟମାଟୋ ଦରରେ ଲଗାମ ଲାଗିପାରୁନି । ଖାଇବର ପଖତୁନଖ୍ୱା, ବେଲୁଚିସ୍ତାନ ଏବଂ ସିନ୍ଧରେ ବର୍ଷା ଓ ବନ୍ୟା ଫସଲକୁ କ୍ଷତି ପହଞ୍ଚାଇଛି। ଏହା ବ୍ୟତୀତ, ଏଭଳି ପାଗ ଯୋଗୁ ଟମାଟୋ ସଠିକଥ ସମୟରେ ଅମଳ ହୋଇପାରୁ ନାହିଁ । ଲାହୋରର ବାଦାମି ବାଗ ବଜାରକୁ ପୂର୍ବରୁ ୩୦ଟି ଟମାଟୋ ଟ୍ରକ୍ ଆସୁଥିଲା । କିନ୍ତୁ ଏବେ କେବଳ ୧୫-୨୦ ଟି ଟମାଟୋ ଟ୍ରକ୍ ଆସୁଛି ।
ସେହିଭଳି ବେଲୁଚିସ୍ତାନରେ ଟମାଟୋ ଉତ୍ପାଦନ ହ୍ରାସ ପାଉଛି, ଏବଂ ଇରାନରୁ ଆମଦାନୀ ମଧ୍ୟ ହ୍ରାସ ପାଇଛି। ଏହା ଚାହିଦା-ଯୋଗାଣ ମଧ୍ୟରେ ବ୍ୟବଧାନକୁ ଆହୁରି ବୃଦ୍ଧି କରିଛି। କିଛି ସ୍ଥାନରେ ପାଇକାରୀ ଏବଂ ଖୁଚୁରା ବ୍ୟବସାୟୀ ମୂଲ୍ୟ ବୃଦ୍ଧି କରିଛନ୍ତି । କିଛି ସ୍ଥାନରେ ଖୁଚୁରା ମୂଲ୍ୟ ପାଇକାରୀ ମୂଲ୍ୟ ଅପେକ୍ଷା ଦୁଇଗୁଣ ହୋଇଛି ।
ପୂର୍ବରୁ ଜୁଲାଇ ୨୦୨୩ରେ ପାକିସ୍ତାନରେ ମଇଦାର ମୂଲ୍ୟ ୩୨୦ ଟଙ୍କା ପ୍ରତି କିଲୋରେ ପହଞ୍ଚିଥିଲା । କରାଚୀରେ ଏକ ୨୦ କିଲୋଗ୍ରାମର ମଇଦାର ବ୍ୟାଗ ୩,୨୦୦୦ ଟଙ୍କାରେ ପହଞ୍ଚିଥିଲା, ଯାହା ପାକିସ୍ତାନର ୫୮ ବର୍ଷର ଇତିହାସରେ ସର୍ବୋଚ୍ଚ ମୂଲ୍ୟ ଥିଲା। ଏହାକୁ "ବିଶ୍ୱର ସବୁଠାରୁ ମହଙ୍ଗା ମଇଦା" ବୋଲି କୁହାଯାଉଥିଲା। ଏହି ସମୟରେ, ପାକିସ୍ତାନର ଖୁଚୁରା ବଜାରରେ ଚିନିର ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୧୬୦ ଟଙ୍କାରେ ପହଞ୍ଚିଥିଲା।