ପୁରୀ, ୨୨/୧୧ : ଆସନ୍ତାକାଲି ପ୍ରଥମାଷ୍ଟମୀ ବା ପୋଢୁଆଁ ଅଷ୍ଟମୀ । ଏଥିପାଇଁ ପୁରୀରେ ପହଞ୍ଚିଲା ପୋଢୁଆଁ ଭାର। ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ। ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଆସିଛି ଏହି ଭାର । ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ଭାର ଦିଆଯିବ । 

ପ୍ରକାଶ ଯେ, ମାର୍ଗଶୀର ଅଷ୍ଟମୀ ତିଥିରେ ପଢୁଆଁ ହେବେ ଶ୍ରୀଜିଉ । ତେଣୁ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥିରେ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ଶ୍ରୀମନ୍ଦିରକୁ ପଢୁଆଁ ଭାର ଆସିଥାଏ । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଓ ଅନ୍ୟାନ ପଢୁଆଁ ସାମଗ୍ରୀ ବିଧି ମୁତାବକ ପଠାଯାଇଥାଏ । ପଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି - ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳି, ଘିଅ, ଚନ୍ଦନ କାଠ, କର୍ପୂର, ଅଗୁରୁ, ଯାଈଫଳ, ପାନ, ଗୁଆ, ଅଳେଇଚ, ଲବଙ୍ଗ, ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ।