ନୂଆଦିଲ୍ଲୀ : ମଧ୍ୟ ପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଇରାନର ବିମାନ ପ୍ରତିରକ୍ଷା ପ୍ରଣାଳୀ, ବାୟୁସେନା , ନୌସେନା ଓ ଏହାର ନେତୃତ୍ୱ ସଂପୂର୍ଣ୍ଣ ରୂପେ ନଷ୍ଟ କରି ଦିଆ ଯାଇଛି। ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସନ୍ଧ୍ୟାରେ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ବାୟୁ ସେନା, ନୌସେନା ଓ ନେତୃତ୍ୱର ଅନ୍ତ ହୋଇ ସାରିଛି। ସେ କହିଛନ୍ତି ଯେ, ଇରାନର ପରମାଣୁ ତଥା ବାଲିଷ୍ଟିକ୍ ମିସାଇଲ କାର୍ଯ୍ୟକ୍ରମ ଉପରେ ନିରୀକ୍ଷଣତା ଚୁକ୍ତିନାମା ପାଇଁ ଆଲୋଚନା କରିବାକୁ ଦାବି ଏବେ ବହୁତ ବିଳମ୍ୱ ହୋଇ ସାରିଛି।

ଆହୁରି ମଧ୍ୟ ପଢନ୍ତୁ : ଇରାନର ପରମାଣୁ କେନ୍ଦ୍ର ଉପରେ ୟୁଏସ୍-ଇସ୍ରାଏଲର ବୋମା ମାଡ଼ : ରେଡିଏସନର କେତେ ରହିଛି ବିପଦ , ସ୍ପଷ୍ଟ କଲା IAEA

ଏହା ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ସୁରକ୍ଷା ବାହିନୀ ଇରାନର ଖୁବ୍ କ୍ଷତି କରୁଛନ୍ତି, କିନ୍ତୁ ସାମରିକ ଅଭିଯାନର ସବୁଠୁ ତୀବ୍ର ପର୍ଯ୍ୟାୟ ଏବେ ଆରମ୍ଭ ହେବା ବାକି ରହିଛି। ଟ୍ରମ୍ପ ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି , କାର୍ଯ୍ୟାନୁଷ୍ଠାନ ଖୁବ୍ ପ୍ରଭାବଶାଳୀ ଏବଂ ଆମେରିକା ନିଜର ସାମରିକ ଶକ୍ତିର ଉପଯୋଗ କରୁଛି। ସେ ଦାବି କରିଛନ୍ତି ଯେ, ପ୍ରାରମ୍ଭିକ ହମଲାରେ ଆମେରିକା ରାଜନୀତିକ ଓ ସେନାର ମୁଖ୍ୟ ବ୍ୟକ୍ତିଙ୍କ ସହ ୪୯ ଇରାନୀ ନେତାଙ୍କୁ ସମାପ୍ତ କରିଦେଇଛି।

ଟ୍ରମ୍ପ କହିଛନ୍ତି ,ଆଗାମୀ ପର୍ଯ୍ୟାୟ ଶୀଘ୍ର ଆସିବାକୁ ଯାଉଛି। ସେ ଏହାକୁ ବଡ଼ ଲହର ଦର୍ଶାଇ କହିଛନ୍ତି ଯେ, ଆମେ ଏବେସୁଦ୍ଧା ତାଙ୍କୁ ପୂରା ଶକ୍ତିର ସହ ଆକ୍ରମଣ କରିନାହୁଁ। ବଡ଼ କାର୍ଯ୍ୟାନୁଷ୍ଠାନ ଏବେ ବାକି ରହିଛି। ସେ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ, ଇରାନ ଦ୍ୱାରା ବାହାରିନ , ଜାର୍ଡନ , କୁଏତ , କତାର ଓ ସଂଯୁକ୍ତ ଆରବ ଏମିରେଟ୍ ସହ ଆରବ ଦେଶ ଗୁଡ଼ିକ ଉପରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ପରି ଲାଗୁଛି। ଟ୍ରମ୍ପ ଯୁଦ୍ଧର ଅବଧିକୁ ନେଇ କହିଛନ୍ତି ,ସେ ଏହାକୁ ଆଉ ଦୀର୍ଘ କରିବାକୁ ଚାହୁଁ ନାହାନ୍ତି ,ତାଙ୍କର ଅନୁମାନ ଥିଲା ଯେ, ଏହା ପାଖାପାଖି ଚାରି ସପ୍ତାହ ଯାଏ ଚାଲିବ।