ନୂଆଦିଲ୍ଲୀ : ଇରାନର ପ୍ରମୁଖ ୟୁରାନିୟମ ସମୃଦ୍ଧକରଣ କେନ୍ଦ୍ର 'ନାଟାଞ୍ଜ' (Natanz) ର ପ୍ରବେଶ ପଥ ଗୁଡ଼ିକ ଉପରେ ବୋମା ମାଡ଼ ହୋଇଥିବା ନେଇ ମଙ୍ଗଳବାର ଦିନ ଜାତିସଂଘର ପରମାଣୁ ୱାଚ୍ଡଗ୍ 'ଆଇଏଇଏ' (IAEA) ସ୍ପଷ୍ଟ କରିଛି। ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣରେ ଏହି ଭୂତଳ ପରମାଣୁ କେନ୍ଦ୍ରର ପ୍ରବେଶ ଦ୍ୱାର ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।
ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (IAEA) ର ସଦ୍ୟତମ ସାଟେଲାଇଟ୍ ଚିତ୍ରକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ଯେ, ନାଟାଞ୍ଜ ସ୍ଥିତ ଭୂତଳ ଇନ୍ଧନ ସମୃଦ୍ଧକରଣ କେନ୍ଦ୍ରର ପ୍ରବେଶ ପଥରେ ଥିବା ବିଲ୍ଡିଂ ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ବୋମା ମାଡ଼ରେ ପ୍ରବେଶ ପଥ ପ୍ରଭାବିତ ହୋଇଥିଲେ ମଧ୍ୟ ମୁଖ୍ୟ ଭୂତଳ କେନ୍ଦ୍ରରେ କୌଣସି ରେଡିଓଲୋଜିକାଲ ପ୍ରଭାବ ବା ବିକିରଣର ଆଶଙ୍କା ନାହିଁ।
ଏହାସହ ମଧ୍ୟ ପଢନ୍ତୁ : ଇରାନ-ଇସ୍ରାଏଲ ସଂଘର୍ଷ ମଧ୍ୟରେ ଭାରତର ରଣନୀତି : ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ବଡ଼ ପଦକ୍ଷେପ
ପୂର୍ବରୁ ଇରାନର ପରମାଣୁ ମୁଖ୍ୟ ମହମ୍ମଦ ଇସଲାମୀ ଆଇଏଇଏ ମୁଖ୍ୟ ରାଫେଲ ଗ୍ରୋସିଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ, ଆମେରିକା ଓ ଇସ୍ରାଏଲ ରବିବାର ଦିନ ନାଟାଞ୍ଜ ଉପରେ ଦୁଇ ଦୁଇ ଥର ଆକ୍ରମଣ କରିଛନ୍ତି।
ଗତ କିଛି ଦିନ ହେବ ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କହିବା ଅନୁସାରେ, ଇରାନକୁ ପରମାଣୁ ବୋମା ତିଆରି କରିବାରୁ ରୋକିବା ପାଇଁ ଏହି ଆକ୍ରମଣ ଜରୁରୀ ଥିଲା। ସେ କହିଥିଲେ -ନିକଟରେ ମିଳିଥିବା ସାଟେଲାଇଟ୍ ଡାଟା ଆଧାରରେ ଆମେ ନିଶ୍ଚିତ କରୁଛୁ ଯେ ନାଟାଞ୍ଜର ପ୍ରବେଶ ପଥରେ କ୍ଷତି ହୋଇଛି। ତେବେ ପରମାଣୁ ସୁରକ୍ଷା ଦୃଷ୍ଟିକୋଣରୁ ବର୍ତ୍ତମାନ କୌଣସି ବିପଦ ନାହିଁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଅପରେସନକୁ ଏପିକ୍ ଫ୍ୟୁରି ନାଁ ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ଅନେକ ସପ୍ତାହ ଯାଏ ଚାଲି ପାରେ। ,ଯାହାର ଉଦ୍ଦେଶ୍ୟ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ନଷ୍ଟ କରିବା ଏବଂ ସମ୍ଭବତଃ ଶାସନ ପରିବର୍ତ୍ତନ କରାଇବା। ନତାଞ୍ଜ ଇରାନର ପ୍ରମୁଖ ୟୁରେନିୟମ ସମ୍ୱର୍ଦ୍ଧନ କେନ୍ଦ୍ର ମଧ୍ୟରୁ ଗୋଟିଏ ,ଯେଉଁଠି ଉଚ୍ଚ ସ୍ତର ଯାଏ ୟୁରେନିୟମ ସମ୍ୱର୍ଦ୍ଧନ କରାଯାଉ ଥିଲା । ଜୁନ୍ ୨୦୨୫ରେ ଇସ୍ରାଏଲ ଓ ଆମେରିକା ପକ୍ଷରୁ କରାଯାଇଥିବା ୧୨ ଦିବସୀୟ ଯୁଦ୍ଧରେ ଏହି ଭୂତଳ କେନ୍ଦ୍ରରେ ଖୁବ୍ କ୍ଷତି ହୋଇଥିଲା। ଯାହାର ଉପର ଭାଗକୁ ନଷ୍ଟ କରିଦିଆ ଯାଇ ଥିଲା। ଭୂତଳ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇଥିଲା।
ଏବେ ଏହି ଯୁଦ୍ଧ ଘଟଣା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ବିଶ୍ୱର ବିଭିନ୍ନ ଦେଶ ଏହି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି, କାରଣ ଏହା ଦ୍ୱାରା ପରିବେଶ ଉପରେ ଭୟଙ୍କର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।