ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ପଢ଼ିବେ ମାଓନେତା ସବ୍ୟସାଚୀ ପଣ୍ଡା, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଆବେଦନ

Published By : Prameya | November 14, 2024 2:43 PM

ବ୍ରହ୍ମପୁର,୧୪/୧୧: ଶିକ୍ଷା  ହେଉଛି ମୌଳିକ ଅଧିକାର । ଏଥିରୁ  କେହି ଯେପରି ବଞ୍ଛିତ ନହୁଏ ସେଥିପ୍ରତି  ସରକାର ସଚେତନ ଓ ଯତ୍ନବାନ।  ଜେଲ୍‌ ଅନ୍ତେବାସୀଙ୍କ କ୍ଷେତ୍ରରେ ଶିକ୍ଷା  ଅଧିକାରକୁ ନିଶ୍ଚିତ କରିବା ପାଇଁ  ସରକାର ସ୍ୱତନ୍ତ୍ର ସୁବିଧା କରିଛନ୍ତି । ଜେଲ୍‌  ଅନ୍ତେବାସୀଙ୍କ ଉଚ୍ଚ ଶିକ୍ଷା ଆଶା ପୂରଣ  ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ମୁକ୍ତ  ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ) ନାମରେ  ଏକ ବିକଳ୍ପ ସୃଷ୍ଟି କରିଛନ୍ତି । ଏହାର ସରଳ  ସିଲାବସ୍‌, ପରୀକ୍ଷା ଶୈଳୀ ଓ ନାମଲେଖା  ସୁବିଧା କାରଣରୁ ଓଏସ୍‌ଓୟୁ ଖୁବ୍‌ କମ  ସମୟ ମଧ୍ୟରେ ଲୋକପ୍ରିୟତା ହାସଲ  କରିଛି । ସେଥିପାଇଁ ଜେଲ୍‌ରେ ଥିବା ବନ୍ଦୀ  ଓ ବିଚାରାଧୀନ ବନ୍ଦୀମାନେ ଓଏସ୍‌ଓୟୁର  ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବାକୁ  ଆଗ୍ରହ ପ୍ରକାଶ କରୁଛନ୍ତି । 

୨୦୨୪-୨୫  ସେସନ୍‌ରେ ପାଠ ପଢ଼ା ପାଇଁ ମାଓନେତା  ସବ୍ୟସାଚୀ ପଣ୍ଡା ଆବେଦନ କରିଛନ୍ତି। ସେ  ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ ସ୍ନାତକୋତ୍ତର  ପାଠ୍ୟକ୍ରମରେ ନାମ ଲେଖାଇବାକୁ  ଆବେଦନ କରିଥିବା ଓଏସ୍‌ଓୟୁ  ଆଞ୍ଚଳିକ ନିର୍ଦ୍ଦେଶିକା ଶୀତଳ ପୂର୍ଣ୍ଣିମା  କହିଛନ୍ତି । ଜେଲ୍‌ ଅନ୍ତେବାସୀଙ୍କ ପାଠ  ପଢ଼ା ସୁବିଧା ପାଇଁ ଓଏସ୍‌ଓୟୁ ବ୍ରହ୍ମପୁର  ମଣ୍ଡଳ କାରାଗାର ଭିତରେ ସ୍ୱତନ୍ତ୍ର ଷ୍ଟଡି  ସେଣ୍ଟର୍‌ ସ୍ଥାପନ କରିଛି । ଏହା ପରଠାରୁ  ଅନ୍ତେବାସୀଙ୍କ ଭିତରେ ପାଠ ପଢ଼ିବାର  ଆଗ୍ରହ ବଢ଼ିଛି ବୋଲି ସେ କହିଛନ୍ତି ।  

୨୪-୨୫ ଶିକ୍ଷା ବର୍ଷ ପାଇଁ ନାମଲେଖା  ଆରମ୍ଭ ହୋଇଛି । ସ୍ନାତୋକତ୍ତର  ଇତିହାସ, ରାଜନୀତି ବିଜ୍ଞାନ, ଅର୍ଥନୀତି  ଓ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ ପାଠ୍ୟକ୍ରମ  ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଅକ୍ଟୋବର ୧୦ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆସନ୍ତା ୧୫ରେ ଶେଷ  ହେବ । ଉପରୋକ୍ତ ୪ଟି ପାଠ୍ୟକ୍ରମ  ଭିତରୁ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌  ବିଷୟରେ ପଢ଼ିବାକୁ ମାଓନେତା  ସବ୍ୟସାଚୀ ପଣ୍ଡା ଆବେଦନ କରିଛନ୍ତି । ତାଙ୍କ ସହ ଆଉ ଚାରି ଜଣ ଜେଲ୍‌  ଅନ୍ତେବାସୀ ଏହି ପାଠ୍ୟକ୍ରମରେ ନାମ  ଲେଖାଇବାକୁ ଆବେଦନ କରିଥିବା  ଆଞ୍ଚଳିକ ନିର୍ଦ୍ଦେଶିକା କହିଛନ୍ତି । ନାମ  ଲେଖାଇବା ପରେ ପାଠ ପଢ଼ା ଓ ପରୀକ୍ଷା  ଦେବାରେ ଯେପରି ଅସୁବିଧା ନହୁଏ  ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି  ବୋଲି ସେ କହିଛନ୍ତି । ଏ ସମସ୍ତ ସୁବିଧା  ପାଇଁ ୨୦୨୦ରେ ଓଏସ୍‌ଓୟୁ ଓ ବ୍ରହ୍ମପୁର  ମଣ୍ଡଳ କାରାଗାର ମଧ୍ୟରେ ବୁଝାମଣା  ସ୍ୱାକ୍ଷର ହୋଇଛି । ନାମ ଲେଖାଇଥିବା  ଅନ୍ତେବାସୀଙ୍କୁ ମୁକ୍ତ ବିଶ୍ୱବିଦ୍ୟାଳୟର  ପାଠ୍ୟପୁସ୍ତକ ପ୍ରଦାନ କରାଯାଉଛି ।  ପ୍ରତ୍ୟେକ ସେମିଷ୍ଟର୍‌ରେ ୪ଟି ଅଫ୍‌ଲାଇନ୍‌  କ୍ଲାସ୍‌ କରାଯାଉଛି । ସେମିଷ୍ଟର୍‌ ପରୀକ୍ଷା  ପୂର୍ବରୁ ଅଧ୍ୟାପକମାନେ ଜେଲ୍‌ ପରିସରସ୍ଥ  ଶିକ୍ଷାକେନ୍ଦ୍ରକୁ ଯାଇ ପାଠ ପଢ଼ାଉଛନ୍ତି ।  ପ୍ରତ୍ୟେକ ସମୟରେ ଜେଲ୍‌ କର୍ତ୍ତୃପକ୍ଷଙ୍କ  ଜରିଆରେ ପାଠପଢ଼ା ଓ ପରୀକ୍ଷା  ସଂକ୍ରାନ୍ତ ସୂଚନା ଆଦାନପ୍ରଦାନ ସୁବିଧା  ମଧ୍ୟ ଓଏସ୍‌ଓୟୁ ଯୋଗାଉଛି । ଜେଲ୍‌  କର୍ତ୍ତୃପକ୍ଷଙ୍କ ସହଯୋଗରେ ଅନ୍ତେବାସୀଙ୍କ  ନାମଲେଖା, ପାଠ୍ୟପୁସ୍ତକ ଯୋଗାଣ, ପାଠ  ପଢ଼ା, ପରୀକ୍ଷା ପରିଚାଳନା ଓ ଅନ୍ୟାନ୍ୟ  କାର୍ଯ୍ୟକ୍ରମ ସୁରୁଖୁରୁରେ ହେଉଥିବା  ଆଞ୍ଚଳିକ ନିର୍ଦ୍ଦେଶକା ଶୀତଲ୍‌ କହିଛନ୍ତି ।  

ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଶିକ୍ଷା  ବର୍ଷରେ ୧୧ ଜଣ ଅନ୍ତେବାସୀ ନାମ  ଲେଖାଇଥିଲେ । ସେମାନଙ୍କ ଭିତରେ  ସାମ୍ବାଦିକତା ଓ ଗଣଯୋଗାଯୋଗ,  ଡିପ୍ଲୋମା ଇନ୍‌ ସାଇବର୍‌ ସିକ୍ୟୁରିଟି,  ଡିପ୍ଲୋମା ଇନ୍‌ ଟ୍ରାଇବାଲ୍‌ ଷ୍ଟଡିଜ୍‌ ଏବଂ  ଟୁରିଜିମ୍‌ ମ୍ୟାନେଜ୍‌ମେଣ୍ଟର ସାର୍ଟିଫିକେଟ୍‌  କୋର୍ସରେ ନାମ ଲେଖାଇଥିଲେ । ଦ୍ୱିତୀୟ  ବର୍ଷ ଅର୍ଥାତ ୨୦୨୨ରେ ୧୩ ଜଣ ନୂଆ  କରି ନାମ ଲେଖାଇଥିଲେ । ଏଯାଏଁ  ମୋଟ ୨୪ ଜଣ ଜେଲ୍‌ ଅନ୍ତେବାସୀ  ଓଏସ୍‌ଓୟୁର ବିଭିନ୍ନ ପାଠ୍ୟକ୍ରମରେ  ନାମ ଲେଖାଇଥିବା ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.