ରାୟଗଡା,୨୭/୦୫: ସୁରକ୍ଷା ବାହିନୀର ନକ୍ସଲ ହଟାଓ ଅଭିଯାନରେ ଥରହର ମାଓ ସଂଗଠନ । ଲଗାତାର ଏନକାଉଣ୍ଟରରେ ଶେଷ ନିଶ୍ବାସ ନେଉଛି ଲାଲ୍ ବାହିନୀ । ଭୟରେ ଜଣେ ପରେ ଜଣେ ନକ୍ସଲ ନେତା ଆତ୍ମସମର୍ପଣ କରୁଛନ୍ତି । ମଙ୍ଗଳବାର ଟପ୍ ମାଓବାଦୀ ବିଜୟ ପୁନେମ ଓରଫ୍ ଅଜୟ ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ତା'ଠାରୁ ଗୋଟିଏ ପିସ୍ତଲ, ଆଠ ରାଉଣ୍ଡ ଅଫୁଟା ଗୁଳି, ୱାକିଟକି ଓ ଘଣ୍ଟା ଜବତ କରିଛି ପୁଲିସ୍ । ଅଜୟର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ବାଟିଗୁଡେମ ଗାଁରେ । ସେ ବାସଧରା-ଘୁମସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ରହିଥିଲା ।
୨୦୦୯ ମସିହାରେ ଅଜୟ ନକ୍ସଲ ସଂଗଠନରେ ମିଶିଥିଲା । ସେ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାରେ ଜଡ଼ିତ ରହିଛି । ତା' ଉପରେ ୪ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସରକାରଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ, ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏକ ସାମ୍ୱାଦିକ ସମ୍ମୀଳନିରେ ଏସପି ସ୍ବାଥୀ ଏସ୍. କୁମାର ସୂଚନା ଦେଇଛନ୍ତି ।