ଭୁବନେଶ୍ୱର, ୧୯।୩ : ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ୧୯ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଏହି ମେଳାକୁ ମୁଁ ଅନେକବାର ବୁଲିବା ପାଇଁ ଆସିଛି। ଆଜି ଓଡ଼ିଶାର ପ୍ରଧାନ ସେବକ ଭାବେ ମତେ ସୁଯୋଗ ମିଳିଲା ଆପଣଙ୍କ ସହିତ ଏଠାରେ ସାମିଲ ହେବା ପାଇଁ, କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ମୁଁ ଏହାକୁ ହାତଛଡ଼ା କଲିନାହିଁ । ବୁଣାକାର ଓ କାରିଗରମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ହେଉଛି ଆମ କଳାର ଏକ ସ୍ୱତନ୍ତ୍ର ପରିଚୟ । ସମଗ୍ର ଓଡ଼ିଆ ଜାତିକୁ ଏହା କଳାର ଏକତା ସୂତ୍ରରେ ବାନ୍ଧି ରଖିଛି । ଏହା ଓଡ଼ିଆ ଅସ୍ମିତାର ପରିଚୟ ଭାବେ ମଧ୍ୟ ଏକ ଗୌରବମୟ ସ୍ଵାକ୍ଷର ବହନ କରୁଛି । ହସ୍ତକଳା, ହସ୍ତଶିଳ୍ପ, ହସ୍ତତନ୍ତର ପ୍ରସ୍ତୁତ କରିବା ପ୍ରକ୍ରିୟା ଆଜି ମଧ୍ୟ ବେଶୀ କିଛି ବଦଳି ନାହିଁ। ସେଥିପାଇଁ ତ ହାତରେ ପ୍ରସ୍ତୁତ ହସ୍ତକଳା, ହସ୍ତତନ୍ତ ଲୁଗାର ଚାହିଦା ଏବଂ ଆଦର ବହୁତ ଅଧିକ। ଏହାର କାରଣ ହେଉଛି ଆମର ହସ୍ତଶିଳ୍ପୀଙ୍କ ହାତରେ ଥିବା ଯାଦୁର ମୂଲ୍ୟ। ତେଣୁ, ହସ୍ତଶିଳ୍ପ, ହସ୍ତତନ୍ତ ପ୍ରସ୍ତୁତ ଲୁଗାର ଚାହିଦା ସବୁବେଳେ ଥିଲା, ଏବଂ ସବୁବେଳେ ରହିଥିବ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଆମ ଦେଶରେ ଖଦି ଏବଂ ଗ୍ରାମ୍ୟଦ୍ୟୋଗ ଆୟୋଗ ବଜାର ଏବଂ ଶିଳ୍ପୀ ଓ ବୁଣାକାରଙ୍କ ମଧ୍ୟରେ ସେତୁ ଭଳିଆ କାମ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବାର କିଛି ମାସ ଭିତରେ ସମସ୍ତଙ୍କୁ ଖଦି ପିନ୍ଧିବା ପାଇଁ ବାର୍ତ୍ତା ଦେଇଥିଲେ ଏବଂ ନିଜେ ମଧ୍ୟ ଖଦିକୁ ପରିଧାନ ଭାବେ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ଖଦି ପିନ୍ଧିବା ଏକ ଫେସନରେ ବିପ୍ଳବରେ ପରିଣତ ହୋଇଥିଲା ଏବଂ ଆମ ଯୁବ ସମାଜ ମଧ୍ୟ ଆଜି ଖଦି ବହୁଳ ଭାବେ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି।

ହସ୍ତତନ୍ତ, ହସ୍ତଶିଳ୍ପର ବଜାର ଅଛି, ଆଦର ଅଛି। ଏହି କ୍ଷେତ୍ର ଯଦି କିଛି ଆବଶ୍ୟକ କରେ ତାହା ହେଉଛି ପୃଷ୍ଠପୋଷକତା, ବିଶେଷ ଭାବେ ସରକାରୀ ପ୍ରୋତ୍ସାହନ। ମାନନୀୟ ମୋଦୀଜୀ ଏହାକୁ ହୃଦୟଙ୍ଗମ କରି ଏହି କ୍ଷେତ୍ରକୁ ଅଧିକରୁ ଅଧିକ ବଜେଟ ପ୍ରବଧାନ କରିଥିଲେ, ନୂଆ ନୂଆ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ହସ୍ତଶିଳ୍ପ ଓ ହସ୍ତତନ୍ତ ହେଉଛି ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ଅର୍ଥନୀତି ବିକାଶରେ ମା’ ଓ ଭଉଣୀମାନଙ୍କର ବଡ଼ ଭୂମିକା ରହିଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ଓ ଭଉଣୀମାନେ ସଂଘବଦ୍ଧ ହୋଇ ଯେଉଁ କାମରେ ହାତ ଦେଇଛନ୍ତି, ସେହି କାମର ଫଳାଫଳ ସ୍ୱରୂପ ଏହିସବୁ କୃତିତ୍ୱ ଆଜି ବିଭିନ୍ନ ଷ୍ଟଲ୍ ରେ ପ୍ରଦର୍ଶିତ ହେଉଛି। ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ନିକଟରେ ଆମେ ସୁଭଦ୍ରା ସହାୟତା ଯୋଗାଇ ଦେଇଛୁ। ଏହି ସହାୟତା ରାଶି ସେମାନଙ୍କୁ ଏ କ୍ଷେତ୍ରରେ ମଧ୍ୟ ସହାୟକ ହେବ। ଓଡ଼ିଶାର ଅନେକ ହସ୍ତତନ୍ତ ସାମଗ୍ରୀ ଭୌଗୋଳିକ ସୂଚକାଙ୍କ ମାନ୍ୟତା ବା ଜିଆଇଟ୍ୟାଗ ପାଇ ରାଜ୍ୟର ଗୌରବକୁ ବଢାଇଛି ।
ରାଜ୍ୟରେ ହସ୍ତଶିଳ୍ପର ବିକାଶ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ହସ୍ତଶିଳ୍ପର ପ୍ରୋତ୍ସାହନ ପାଇଁ ଆମେ ୫୨ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖିଛୁ । ସେହିପରି ବୟନ ଶିଳ୍ପର ପ୍ରୋତ୍ସାହନ ପାଇଁ ୧ ଶହ ୨୨ କୋଟି ଏବଂ ହସ୍ତତନ୍ତ ଶିଳ୍ପ ପ୍ରୋତ୍ସାହନ ପାଇଁ ମଧ୍ୟ ୧ ଶହ ୨୨ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଚଳିତ ବର୍ଷ ୬ ହଜାର କାରିଗରଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦେବାର ଯୋଜନା ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୯ଟି ହସ୍ତଶିଳ୍ପ ଉତ୍ପାଦକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ଆବେଦନ କରାଯିବ । ଏହା ସହିତ ୫୫୦ ଜଣ କାରିଗରଙ୍କୁ ‘‘ୱାର୍କ ସେଡ୍ ନିର୍ମାଣ’’ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏଥି ସହିତ ୧୦୦ କାରିଗରଙ୍କୁ ନିଜସ୍ୱ ଉତ୍ପାଦନ ୟୁନିଟ ସ୍ଥାପନ ପାଇଁ ବ୍ୟାଙ୍କ ଫାଇନାନ୍ସ ଓ ମାର୍ଜିନ ମନି ଯୋଗାଇ ଦିଆଯିବ। କଣ୍ଟିଲୋ, ପିପିଲି, ବାଲିଯୋର, ହୀରାକୁଦ ଅଞ୍ଚଳ, କଟକ ଓ କୋଟପାଡ଼କୁ ଐତିହ୍ୟ କ୍ରାଫ୍ଟ ଏବଂ ବୁଣାକାର ଗ୍ରାମ ଭାବେ ବିକଶିତ କରାଯିବା ସହ ପର୍ଯ୍ୟଟନକୁ ହସ୍ତଶିଳ୍ପ ସହ ଯୋଡ଼ିବା ଉପରେ ଗୁରୁତ୍ଵ ଦେଇ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି କରାଯିବ । ଏହି ମେଳା, ଓଡ଼ିଶା ତଥା ଅନ୍ୟ ରାଜ୍ୟର କାରିଗର ଓ ବୁଣାକାରମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ସହ ଜୀବିକା ଅର୍ଜନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି ବୋଲି ସେ କହିଥିଲେ। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଷ୍ଟଲଗୁଡ଼ିକ ବୁଲି ଦେଖିଥିଲେ ।
କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଲେ ଯେ, ଏ ମାଟିର ପ୍ରତ୍ୟେକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ରହିଛି ଏକ ନିଆରା ଆକର୍ଷଣ ଏବଂ ଭିନ୍ନ କାହାଣୀ। ଏହା ଆମ ସଂସ୍କୃତିର ପରିଚୟ ଓ ଓଡ଼ିଆ ଅସ୍ମିତାର ଗରିମାମୟ ଚମକ୍। ବୁଣାକାର ଓ କାରିଗରଙ୍କ ଆର୍ଥିକ ସ୍ୱଚ୍ଛଳତା ଦିଗରେ ଏ ମେଳା ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମହିଳା ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଓ ଜୀବନଜୀବିକାର ସୁରକ୍ଷା ପାଇଁ ଏହି ମେଳା ଉତ୍ସର୍ଗୀକୃତ।
କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ୍ ତାପସ କୁମାର ସ୍ୱାଗତ ଭାଷଣ ଦେଇଥିଲେ । ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରଣତି ଛୋଟରାୟ ଉପସ୍ଥିତ ଥିଲେ ।
ସୂଚନା ଥାଉକି, ଏହି ମେଳା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୩ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ମେଳାରେ ୧୫ରୁ ଅଧିକ ରାଜ୍ୟର କାରିଗର ଏବଂ ବୁଣାକାର ଅଂଶଗ୍ରହଣ କରୁଛନ୍ତି । ଚଳିତବର୍ଷ ଏହି ମେଳାରେ ୬୫୦ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି ଏବଂ ଏହା ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ଆୟୋଜନ ହୋଇଛି ।