ନୂଆଦିଲ୍ଲୀ,୨।୧୦: ଦେଶରେ ରେଲଓ୍ବେ ଟ୍ରାକ୍କୁ ଟାର୍ଗେଟ କରିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଝାଡଖଣ୍ଡରେ ରେଲଓ୍ବେ ଟ୍ରାକ୍କ ଦୁର୍ବତ୍ତଙ୍କ ଟାର୍ଗେଟ। କୋଇଲା ବୋଝେଇ ପାଇଁ ବିଛା ଯାଇଥିବା ଏମ୍ଜିଆର ଟ୍ରାକ୍କୁ ଗତ ମଙ୍ଗଳବାର ରାତିରେ ବୋମରେ ଉଡାଇ ଦେଇଛନ୍ତି କିଛି ଅସାମାଜିକ ବ୍ୟକ୍ତି। ଏହାଦ୍ବାରା କୋଇଲା ଲୋଡ୍ କରୁଥିବା ମାଲଗାଡି ଚଳାଚଳ ବନ୍ଦ ହୋଇଛି। ଏହି ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି। ଏହା ଏକ ବହୁତ ବଡ ଷଡଯନ୍ତ୍ର ବୋଲି କୁହାଯାଉଛି। କାରଣ ବିସ୍ଫୋରଣରେ ରେଲଓ୍ବେ ଟ୍ରାକ୍ର ଭଗ୍ନାଂବଶେଷ ୪୦ ମିଟର ଦୂରରେ ଯାଇ ପଡିଥିଲା।
କେବଳ ସେତିକି ନୁହେଁ କାନୁପରରେ ମଧ୍ୟ ବଡ ଧରଣର ଅଘଟଣ କରିବାକୁ ହୋଇଥିଲା ଚେଷ୍ଟା। ଅମ୍ବିୟାପୁର ରେଲଓ୍ବେ ଷ୍ଟେସନ୍ ନିକଟରେ ଥିବା ଟ୍ରାକ୍ରୁ ବୁଧବାର ସକାଳେ ଏକ ଗ୍ୟାସ୍ ସିଲିଣ୍ଡର ପଡିଥିବା ବେଳେ ତାକୁ ଜବତ କରାଯାଇଛି। ଇଟଓ୍ବାରୁ କାନପୁର ଯାଉଥିବା ମାଲଗାଡି ଚାଳକ ଷ୍ଟେସନ୍ ମାଷ୍ଟରଙ୍କୁ ଏହାର ସୂଚନା ;ଦଇଥିଲେ। ଘଟଣାସ୍ଥଳରେ ଜିଆରି ପୋଲିସ ପହଁଞ୍ଚି ସିଲିଣ୍ଡରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ରାଜସ୍ଥାନ ଓ କାନପୁର ପରେ ରାଜସ୍ଥାନର ହନୁମାନଗଡ଼ ଜଙ୍କସନ୍ ରେଲୱେ ଷ୍ଟେସନ ସମେତ ରାଜ୍ୟର ବିଭିନ୍ନ ଷ୍ଟେସନକୁ ଉଡ଼ାଇଦେବାକୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ହନୁମାନଗଡ଼ ଜଙ୍କସନ୍ ରେଲୱେ ଷ୍ଟେସନ ଅଧିକ୍ଷକଙ୍କ ହାତରେ ଆଜି ଜଣେ ଅଜ୍ଞାତ ବ୍ୟକ୍ତି ଏକ ଚିଠି ଧରାଇଦେଲା। ଏହାପରେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚିଠିରେ ରାଜ୍ୟର ବିଭିନ୍ନ ରେଲଓ୍ବେ ଷ୍ଟେସନ୍କୁ ଟାର୍ଗେଟ କରିବା ନେଇ ଧମକ ଦିଆଯାଇଛି। ଏହାପରେ ଷ୍ଟେସନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।