ଭୁବନେଶ୍ୱର,୧୧/୦୫: ଯାଜପୁର ସଦର ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି କଳିନ୍ଦ୍ରା ବାଦ୍ ଗାଁର ନରେନ୍ଦ୍ର ନାୟକଙ୍କ ପୁଅ ଅର୍ଜୁନ ନାୟକ । ଗୁରୁତର ଆହତ ହେଉଛନ୍ତି ଗଗନ ଜେନାଙ୍କ ପୁଅ ଅର୍ଜୁନ ଜେନା ଏବଂ ସୁଦାମ ପଣ୍ଡାଙ୍କ ପୁଅ ସୌମ୍ୟରଞ୍ଜନ ପଣ୍ଡା ।
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତ୍ରିରେ ନଦୀରୁ ବାଲି ନେଇ ଆନଲୋଡ କରି ଟ୍ରାକ୍ଟରଟି ଫେରୁଥିଲା । ଏତିକି ବେଳେ ନଦୀ ବନ୍ଧ ଉପରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ତିନି ଜଣ ଗାଡ଼ି ତଳେ ଚାପି ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ ।