ନୂଆଦିଲ୍ଲୀ,୨୮।୫: କେନିଆର ନକୁରୁ କାଉଣ୍ଟି ସ୍ଥିତ ଗିଲଗିଟ୍‌ର  ଉଟୁମିଶି ଗାର୍ଲ୍ସ ଏକାଡେମୀର ହଷ୍ଟେଲରେ ଲାଗିଥିବା ଭୀଷଣ ଅଗ୍ନିକାଣ୍ଡ ପୁରା ଦେଶକୁ ଦୋହଲାଇ ଦେଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଗୁରୁବାର ଭୋର ସମୟ ପ୍ରାୟ ୩ଟା ୩୦ ମିନିଟରେ ଛାତ୍ରୀଙ୍କ ଡର୍ମିଟୋରୀରେ ନିଆଁ ଲାଗିଯାଇଥିଲା। ଏହି ଅଘଟଣରେ ୧୬ ଜଣ ଛାତ୍ରୀଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇସାରିଛି। ସେଭଳି ଅନ୍ୟ ୭୪ ଜଣ ଆହତ ହୋଇଛି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

କେନିଆ ରେଡକ୍ରସ୍ ଅନୁସାରେ, ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ତୁରନ୍ତ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଟିମ୍ ଓ ମନୋବିଜ୍ଞାନୀ ସହାୟତା ଦିଆଯାଇଥିଲା। ଉଦ୍ଧାର ଅଭିଯାନ ସଙ୍ଗେସଙ୍ଗେ ଆରମ୍ଭ କରାଯାଇଥିଲା। ସେଭଳି ପ୍ରଶାସନ ପୁରା ପରିସରକୁ ନିଜ ନିୟନ୍ତ୍ରଣରେ ନେଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ୧୦ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଉ ୬ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ, ବହୁ ଛାତ୍ରୀଙ୍କ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଆହତଙ୍କ ଚିକିତ୍ସା ସେଣ୍ଟ ଜୋସେଫ୍ ହସ୍ପିଟାଲ ସହିତ ଅନ୍ୟ ଚିକିତ୍ସା କେନ୍ଦ୍ରରେ ଚାଲିଛି।

ଏହି ଦୁଃଖଦ ଘଟଣା ପରେ, କେନିଆର ଶିଶୁ ସେବା ବିଭାଗ ବଞ୍ଚିଥିବା ଛାତ୍ର, ମୃତକଙ୍କ ପରିବାର, ଶିକ୍ଷକ ଏବଂ ରିଲିଫ୍ କର୍ମୀଙ୍କୁ ସହାୟତା କରିବା ପାଇଁ କାଉନସେଲିଂ ବିଶେଷଜ୍ଞଙ୍କୁ ନିୟୋଜିତ କରିବାର ଘୋଷଣା କରିଛି। ବିଭାଗ କହିଛି ଯେ ପ୍ରଭାବିତଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଭାବପ୍ରବଣ ପୁନର୍ବାସ ପାଇଁ ସ୍ୱତନ୍ତ୍ର ମନୋସାମାଜିକ ସହାୟତା ସେବା ଯୋଗାଇ ଦିଆଯିବ।  କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଉଦ୍ଧାର କାର୍ଯ୍ୟ, ଆହତଙ୍କ ଚିକିତ୍ସା ଏବଂ ପ୍ରଭାବିତ ପରିବାରକୁ ସହାୟତା ଉପରେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି। ପ୍ରଶାସନ କହିଛି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ବିସ୍ତୃତ ତଦନ୍ତ ଚାଲିଛି । ଉଦ୍ଧାର କାର୍ଯ୍ୟ, ଆହତଙ୍କ ଚିକିତ୍ସା ଏବଂ ପ୍ରଭାବିତ ପରିବାରକୁ ସହାୟତା ପ୍ରଦାନକୁ ବର୍ତ୍ତମାନ ପ୍ରାଥମିକତା ଦିଆଯାଉଛି। ଏହି ଘଟଣା ସାମ୍ପ୍ରତିକ ବର୍ଷଗୁଡ଼ିକରେ କେନିଆର ସବୁଠାରୁ ଦୁଃଖଦ ସ୍କୁଲ ଅଗ୍ନିକାଣ୍ଡ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି।

ଆହୁରି ପଢନ୍ତୁ : Asia Pacific Security Report: ଭାରତ ଆଗରେ ଦୁଇଗୁଣା ବିପଦ ? ଡରାଉଛି IISS ର ୧୫୦ ପୃଷ୍ଠାର ରିପୋର୍ଟ