ଭୁବନେଶ୍ୱର, ୨୩/୦୪ (ପ୍ରଜ୍ଞା ଚୌଧୁରୀ): କାହାର ପୁଅ ବିଦେଶରେ ତ କାହାର ଗୋଟିଏ ବୋଲି ଝିଅ ବାହା ହେବା ପରେ ତା’ ଦୁନିଆରେ । କାହାର ପରିବାର ବୋଲି କେହି ନାହିଁ । କାହାର ସମସ୍ତେ ଥାଇ ବି ସେ ଏକାକୀ । ଅନେକ ସମ୍ପତ୍ତି, ବନ୍ଧୁ ପରିଜନ, ସନ୍ତାନ ଥାଇ ମଧ୍ୟ ଅଲୋଡ଼ା ନିଃସଙ୍ଗ ଜୀବନ କାଟୁଛନ୍ତି ବୟୋଜ୍ୟେଷ୍ଠ । ଦିନକୁ ଦିନ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେମାନଙ୍କ ମାନସିକ, ସ୍ୱାସ୍ଥ୍ୟ ଓ ସୁରକ୍ଷା ଏକ ଏବେ ଏକ ଆହ୍ୱାନ ହୋଇଛି । ବ୍ୟସ୍ତବହୁଳ ସମାଜରେ ବୟୋଜ୍ୟେଷ୍ଠଙ୍କୁ ବୋଝ ବୋଲି କେହି ଚିନ୍ତା କରୁଥିବା ବେଳେ ଏହା ଯୁବବର୍ଗଙ୍କ ପାଇଁ ସେବାକ୍ଷେତ୍ର ଭଳି ଏକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଜରାଗ୍ରସ୍ତଙ୍କ ଯତ୍ନକାରୀ ଭାବରେ ବେକାର ଯୁବବର୍ଗଙ୍କୁ ତାଲିମ ଦେବା ଲାଗି ସରକାର ପଦକ୍ଷେପ ନେଇଛନ୍ତି।

୨୦୧୧ ଜନଗଣନା ଅନୁଯାୟୀ, ରାଜ୍ୟରେ ମୋଟ ଜନସଂଖ୍ୟାର ୯.୫% ଅର୍ଥାତ୍ ୩୯.୮ ଲକ୍ଷ ବରିଷ୍ଠ ନାଗରିକ ଥିଲେ । ଆକଳନ ଅନୁଯାୟୀ, ବର୍ତ୍ତମାନ ଏହା ୧୩.୮% ବୃଦ୍ଧି ପାଇ ୬୨.୬୯ ଲକ୍ଷରେ ପହଞ୍ଚିଛି। ୨୦୩୧ ସୁଦ୍ଧା ଏହା ୧୫.୮%କୁ ବୃଦ୍ଧି ପାଇଥିବ। ସେହିପରି ୨୦୩୬ ସୁଦ୍ଧା ଏହା ୧୭ ପ୍ରତିଶତ ଅର୍ଥାତ୍ ପ୍ରାୟ ୧ କୋଟି ହେବ ବୋଲି ଅନୁମାନ କରାଯାଉଛି । ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହାର ସମାଧାନ କରିବା ଲାଗି ତାଲିମପ୍ରାପ୍ତ ପେସାଦାର ସୃଷ୍ଟି କରିବା ଲାଗି ରାଜ୍ୟରେ ‘ଜେରିଆରିଟ୍ରିକ୍ କେୟାରଗିଭର୍ସ ଟ୍ରେନିଂ ପ୍ରୋଗ୍ରାମ’ ଆରମ୍ଭ ହୋଇଛି।

ଅସହାୟ ବୟୋଜ୍ୟେଷ୍ଠ ଏବଂ ବେକାରୀ ଉଭୟ ଯନ୍ତ୍ରଣାଦାୟକ । ଏଣୁ ଯୁବବର୍ଗଙ୍କୁ ତାଲିମ୍ ଦେଇ ଜରାଗ୍ରସ୍ତଙ୍କ ସେବାଯତ୍ନରେ ନିୟୋଜିତ କରିବାକୁ ଏଭଳି ଯୋଜନା କରାଯାଇଛି । ମାତ୍ର ୩ ମାସର ପ୍ରଶିକ୍ଷଣରେ ଜଣେ ଯୁବକ ରୋଜଗାରକ୍ଷମ ହୋଇପାରିବେ । ଯୁବକଯୁବତୀ, ବିଧବା ତଥା ଏକାକୀ ମହିଳା ମଧ୍ୟ ଏଭଳି ପ୍ରଶିକ୍ଷଣ ନେଇପାରିବେ । ରାଜ୍ୟର ୪ ଜୋନ୍ ଭୁବନେଶ୍ୱର, ରାଉରକେଲା, ବାରିପଦା ଏବଂ ବ୍ରହ୍ମପୁରେ ଏହି ତାଲିମ୍ ଦିଆଯାଉଛି । ଥରକୁ ୧୦୦ ଜଣଙ୍କୁ ଆବାସିକ ମୋଡ୍ରେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି । ଏଥିପାଇଁ ସର୍ବମୋଟ ୨ କୋଟି ୨୨ ଲକ୍ଷ ୫୪ ହଜାର ୩୮୯ ଖର୍ଚ୍ଚ ହେବ । ଏହି ତାଲିମପ୍ରାପ୍ତ ଯତ୍ନକାରୀମାନେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକରେ କାର୍ଯ୍ୟ କରିପାରିବେ ।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ଡିଫେନ୍ସ(ଏନ୍ଆଇଏସଡି) ଦ୍ୱାରା ଅନୁମୋଦିତ ପ୍ରଶିକ୍ଷଣ ପାଠ୍ୟକ୍ରମ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨୫୦ରୁ ଊର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତି ମଧ୍ୟ ଦିଆଗଲାଣି। ପେସାଦାର ଯତ୍ନକାରୀମାନେ ବୟୋଜ୍ୟେଷ୍ଠଙ୍କୁ ଦୈନନ୍ଦିନ କାର୍ଯ୍ୟକଳାପରେ ସହାୟତା ସହିତ ବେଡ୍ସୋର୍ରେ ପୀଡ଼ିତଙ୍କ ଯତ୍ନ ସେବା, ପ୍ରାଥମିକ ଚିକିତ୍ସା, କ୍ଷତ ପରିଚାଳନା, ସ୍ୱଚ୍ଛତା, ପରାମର୍ଶ ଏବଂ ଡିମ୍ନେସିଆ ଆଦିର ଯତ୍ନ ନେବେ। ଆବଶ୍ୟକସ୍ଥଳେ ଫିଜିଓଥେରାପି, ମାଲିସ୍ ଏବଂ ଯୋଗାଭ୍ୟାସ ମଧ୍ୟ କରାଇବେ । ଏହି ସବୁ ଦିଗରେ ପ୍ରଶିକ୍ଷାର୍ଥୀଙ୍କୁ ପାଠ୍ୟକ୍ରମ ଆଧାରରେ ତାଲିମ ଦିଆଯାଉଛି।

ଏହି ଖବରଟିକୁ ପଢନ୍ତୁ- ୮ ବିଭାଗର ୮ପ୍ରସ୍ତାବରେ କ୍ୟାବିନେଟ ମୋହର, କାଠଯୋଡ଼ିରେ ନୂଆ ସେତୁକୁ ମଞ୍ଜୁରୀ