ନୂଆଦିଲ୍ଲୀ, ୮।୯: ଏକାଧିକ ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଲାଗୁ କରିଛନ୍ତି ଆମେରିକା ସରକାର । ଏହି ଦେଶଗୁଡ଼ିକର ଦିଗ୍‌ଜ ଅର୍ଥନୀତିଜ୍ଞଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଟ୍ରମ୍ପ । ଯାହା ଫଳରେ ଟ୍ରମ୍ପ ସରକାରଙ୍କୁ ଏହି ଦେଶଗୁଡ଼ିକୁ ଖୁବ୍‌ଶୀଘ୍ର ବିଲିୟନ ଡଲାର ଫେରେଇବାକୁ ପଡ଼ିପାରେ । ତେବେ ଏସବୁ କିଛି ଆମେରିକାର ସୁପ୍ରିମକୋର୍ଟ ନିଷ୍ପତ୍ତି ଉପରେ ନିର୍ଭର କରେ । ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ସୁପ୍ରିମକୋର୍ଟ ନିଷ୍ପତ୍ତି ଦିଅନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟାପକ ଶୁଳ୍ପ ଲାଗୁ କରି ନିଜ ଅଧିକାରର ସୀମା ଟପିଛନ୍ତି । ତେବେ ଟାରିଫରୁ ମିଳିଥିବା ବିଲିୟନ ଡଲାରର ରୋଜଗାରକୁ ଫେରାଇବାକୁ ବାଧ୍ୟ ହେବ ସଂଯୁକ୍ତ ରାଷ୍ଟ୍ର ଆମେରିକା ।

ଏନବିସି ନ୍ୟୁଜ୍‌ର ଏକ କାର୍ଯ୍ୟକ୍ରମରେ ସୁପ୍ରିମ୍ କୋର୍ଟରେ ଟାରିଫ ମାମଲା ଉପରେ ଅର୍ଥ ସଚିବ ସ୍କଟ୍ ବେସେଣ୍ଟଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, ଯଦି ସର୍ବୋଚ୍ଚ ନ୍ୟାୟାଳୟ ୨୯ ଅଗଷ୍ଟରେ ହୋଇଥିବା ଫେଡେରାଲ କୋର୍ଟର ନିଷ୍ପତ୍ତିକୁ ବଜାୟ ରଖିବେ, ତେବେ କ’ଣ ହେବ ? କହିରଖୁଛୁ କି, ଏହି ଦିନ କୋର୍ଟ କହିଥିଲେ, ଟ୍ରମ୍ପଙ୍କ ଦ୍ୱାରା ରେସିପ୍ରୋକାଲ ଟାରିଫ ଲାଗୁ କରିବା ରାଷ୍ଟ୍ରପତିଙ୍କ ଅଧିକାରର ଉଲଙ୍ଘନ । ସ୍କଟ୍ ବେସେଣ୍ଟ କହିଛନ୍ତି, ‘ଆମକୁ ପାଖାପାଖି ଅଧା ଟାରିଫ ଉପରେ ରିଫଣ୍ଡ କରିବାକୁ ହେବ, ଯାହା ରାଜକୋଷ ପାଇଁ ବଡ଼ କ୍ଷତି ହୋଇପାରେ । ଏଥିପାଇଁ କୌଣସି ପୂର୍ବ ପ୍ରସ୍ତୁତି କରାଯାଇନାହିଁ । ଯଦି ଅଦାଲତ ଏଭଳି ନିଷ୍ପତ୍ତି ନେଉଛନ୍ତି, ତେବେ ଆମେ ମାନିବାକୁ ବାଧ୍ୟ ।‘ ଏହାର ଅର୍ଥ ଯଦି ଆମେରିକା ସୁପ୍ରିମ କୋର୍ଟ ଟ୍ରମ୍ପଙ୍କ ଟାରିଫ୍ ଲଗାଇବା ଅଧିକାରକୁ ବେଆଇନ ବୋଲି ଘୋଷଣା କରନ୍ତି, ତଥାପି ଆମେରିକା ସରକାର ଏକାଧିକ ଦେଶର ଅଧା ଶୁଳ୍କ ହଡ଼ପ କରିବାକୁ ଯୋଜନା କରିଛି । ଗତ କିଛି ମାସରେ ଫେଡେରାଲ ଅପିଲ ଅଦାଲତ ଏହି ନିଷ୍ପତ୍ତି ନେଇଥିଲେ ଯେ, ଅନ୍ତରାଷ୍ଟ୍ରୀୟ ଜରୁରୀକାଳୀନ ଆର୍ଥିକ ଶକ୍ତି ଅଧିନିୟମର ଉପଯୋଗ ରାଷ୍ଟ୍ରପତିଙ୍କୁ ଜରୁରୀକାଳୀନ ଟାରିଫ୍ ଲଗାଇବାକୁ ଅନୁମତି ଦିଏନାହିଁ । ଟ୍ରମ୍ପ ଏ ସମସ୍ତ ଅଧିକାରକୁ ବ୍ୟବହାର କରି ଭାରତ ସମେତ ଏକାଧିକ ଦେଶ ଉପରେ ଟାରିଫ ଲାଗୁ କରିଥିଲେ ।

ଟାରିଫ୍ ଆକାରରେ କେତେ ଟଙ୍କା ଆଦାୟ କରିଛି ଟ୍ରମ୍ପ ପ୍ରଶାସନ:

କହିରଖୁ କି, ଟ୍ରମ୍ପଙ୍କ ଆକ୍ରାମକ ବ୍ୟାପାର ନୀତିରେ ୧୮୦ରୁ ଅଧିକ ଦେଶ ଉପରେ ୧୦%ରୁ ୫୦% ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିଛି । ଯେଉଁଥିରେ ଭାରତ, ଚୀନ, କାନାଡ଼ା ଓ ବ୍ରାଜିଲ ଭଳି ଦେଶ ସାମିଲ ଅଛନ୍ତି । ଭାରତ ଉପରେ ଟ୍ରମ୍ପ ୫୦% ଟାରିଫ ଲାଗୁ କରିଛନ୍ତି । ଏକ ରିପୋର୍ଟ ଅନୁସାରେ, ଟ୍ରମ୍ପ ସରକାର କେବଳ ଚଳିତ ଅଗଷ୍ଟ ମାସରେ ଟାରିଫରୁ ୩୧ ବିଲିୟନ ଡଲାର ରୋଜଗାର କରିଛି । ଭାରତ ଉପରେ ୭ ଅଗଷ୍ଟ ୨୦୨୫ରୁ ୨୫% ଏବଂ ୨୭ ଅଗଷ୍ଟରୁ ଆଉ ୨୫% ଲାଗୁ କରି ୫୦% ଟାରିଫ ଲାଗୁ କରିଛି ।

ସୁପ୍ରିମକୋର୍ଟରେ କେବେ ହୋଇଥିଲା ଶୁଣାଣି ?

ଟ୍ରମ୍ପ ପ୍ରଶାସନ ୪ ଡିସେମ୍ୱର ୨୦୨୫ରେ ସୁପ୍ରିମକୋର୍ଟରେ ଏକ ଅପିଲ ଆବେଦନ କରିଥିଲେ । ଯେଉଁଥିରେ ଜରୁରୀକାଳୀନ ଆର୍ଥିକ ଶକ୍ତି ଆଇନ ଅନ୍ତର୍ଗତ ଲଗାଯାଇଥିବା ଟାରିଫକୁ ବୈଧ ଘୋଷଣା କରିବାକୁ ଦାବି କରାଯାଇଥିଲା । ସଲିସିଟର ଜେନେରାଲ ଡି ଜନ୍ ସାୟର କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ଏହି ମାମଲାର ଶୁଣାଣି ନଭେମ୍ୱର ୨୦୨୫ ପୂର୍ବ ସପ୍ତାହରୁ ଆରମ୍ଭ ହେବ । କହିରଖୁ କି, ସୁପ୍ରିମକୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣାଣିର ଶେଷ ତାରିଖ ଘୋଷଣା କରିନାହାନ୍ତି ।