ଚେନ୍ନାଇ, ୦୬|୦୫: ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଓ ଆସାମରେ ବିଜେପି, କେରଳରେ ୟୁଡିଏଫ ବାଜି ମାରିନେଇଥିବା ବେଳେ ତାମିଲନାଡୁରେ କିନ୍ତୁ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭୋଟର ଏମକେ ଷ୍ଟାଲିନଙ୍କ ଡିଏମକେକୁ ପଛରେ ପକାଇ ବିଜୟଙ୍କ ଟିଭିକେ ମୁହାଁ ହୋଇଛନ୍ତି । ୨୦୨୬ ବିଧାନସଭା ନିର୍ବାଚନରେ ଥଲାପତି ବିଜୟଙ୍କ ପାର୍ଟି ଟିଭିକେ ମୋଟ୍ ୧୦୮ଟି ଆସନରେ ବିଜୟୀ ହୋଇଛି । କୁହାଯାଉଛି, ବିଜୟଙ୍କ ଏହି ବିଜୟ ପଛରେ ଜଣେ ଲେଡି ଲକ୍ ଙ୍କ ହାତ ରହିଛି । ତେବେ କିଏ ଏହି ଲେଡି ଲକ୍ ? କାହଁକି ଜୋସେଫ୍ ଚନ୍ଦ୍ରଶେଖର ବିଜୟଙ୍କ ସହ ତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି ?

ବିଜୟଙ୍କ ଲେଡି ଲକ୍ :

ବିଜୟଙ୍କ ଏହି ଲେଡି ଲକ୍ ଆଉ କେହି ନୁହନ୍ତି, ବରଂ ତାମିଲ ବିୟୁଟି କ୍ବିନ୍ ତଥା ଅଭିନେତ୍ରୀ ତ୍ରିଷା କୃଷ୍ଣା । ବିଜୟଙ୍କ ଏତେ ବଡ଼ ବିଜୟ ପଛରେ ତାଙ୍କର ହାତ ଅଛି ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ୍ ମିଡିଆର ସବୁ ପ୍ଲାଟଫର୍ମ ଟ୍ରେଣ୍ଡିଂ କରୁଛନ୍ତି ତ୍ରିଷା । ଏହି ସାଉଥ୍ ଅଭିନେତ୍ରୀଙ୍କ ବିଷୟରେ ଜାଣିବାକୁ ସମସ୍ତେ ବ୍ୟାକୁଳ । କାରଣ ଟିଭିକେର ବିଜୟ ପରେ ତ୍ରିଷାଙ୍କୁ ଜୋସେଫ୍ ବିଜୟଙ୍କ ଘରେ ଦେଖିବାକୁ ମିଳିଥିଲା । ନିର୍ବାଚନରେ ସଫଳତା ପରେ ତୁରନ୍ତ ସେ ତାଙ୍କ ଘରକୁ ୟାଇଥିଲେ । ଏହାଛଡା ତିଲୁମାଲା ମନ୍ଦିରରେ ମଧ୍ୟ ଦୁହେଁ ନଜରକୁ ଆସିଥିଲେ ।   

କିଏ ଏହି ତ୍ରିଷା କୃଷ୍ଣା ?​​​​​​​

ତ୍ରିଷାଙ୍କର କୌଣସି ଭିନ୍ନ ପରିଚୟ ଦରକାର ନାହିଁ। ୧୯୮୩ ମସିହା ମେ’ ୪ ତାରିଖରେ ତାମିଲନାଡ଼ୁର ଚେନ୍ନାଇରେ ତାଙ୍କ ଜନ୍ମ । ସେ ପ୍ରାରମ୍ଭିକ ଶିକ୍ଷା ସିକ୍ରେଡ୍ ହାର୍ଟ ମ୍ୟାଟ୍ରିକ୍ୟୁଲେସନ୍ ସ୍କୁଲରେ ସମାପ୍ତ କରିଥିଲେ। ପରେ ସେ ଚେନ୍ନାଇର ଇଥିରାଜ କଲେଜ୍ ଫର୍ ମହିଳାରୁ ବିଜନେସ୍ ଆଡମିନିଷ୍ଟ୍ରେସନ୍‌ରେ ଗ୍ରାଜୁଏସନ୍ କରିଥିଲେ। ସେ ଏକ କ୍ରିମିନାଲ ସାଇକୋଲୋଜିଷ୍ଟ ହେବାକୁ ଚାହୁଁଥିଲେ, କିନ୍ତୁ ଫିଲ୍ମରେ ଅଫର ମିଳିବା ପରେ ପାଠପଢ଼ା ଛାଡ଼ିଦେଇଥିଲେ।

କଲେଜ୍ ସମୟରୁ ମଡେଲିଂରେ ମନ:
କଲେଜ୍ ସମୟରେ ତ୍ରିଷା ମଡେଲିଂ ଆରମ୍ଭ କରିଥିଲେ। ମଡେଲିଂ କରିବା ସମୟରେ ତାଙ୍କୁ ଫିଲ୍ମରୁ ଅଫର ଆସିଥିଲା । ୧୯୯୯ ମସିହାରେ ସେ ଛୋଟ ଭୂମିକାରେ ତାମିଲ ଫିଲ୍ମରେ ପ୍ରବେଶ କରିଥିଲେ । ପରେ ଧୀରେ ଧୀରେ ସେ ତାମିଲ୍ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଦକ୍ଷିଣ ଭାରତ ସିନେମା ଇଣ୍ଡଷ୍ଟ୍ରିରେ ସେ ଦକ୍ଷିଣ ସୁନ୍ଦରୀ ଭାବେ ବେଶ୍ ପରିଚିତ ।

ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା:
ତ୍ରିଷା ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ୨୦୧୫ ମସିହାରେ ବ୍ୟବସାୟୀ ବରୁଣ ମନିୟାନଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । କୌଣସି କାରଣରୁ ପରେ ସମ୍ପର୍କ ଭାଙ୍ଗି ଯାଇଥିଲା  । ଏକ ସାକ୍ଷାତକାରରେ ଏହି ବିଷୟରେ ତ୍ରିଷା କହିଥିଲେ ଯେ, ସେ ତାଙ୍କୁ ଅଭିନୟ ଛାଡ଼ିବାକୁ କହିଥିଲେ, ଯାହାକୁ ତ୍ରିଷା ବାରଣ କରିଥିଲେ, ପରେ ସମ୍ପର୍କ ଭାଙ୍ଗିଯାଇଥିଲା ।