ନୂଆଦିଲ୍ଲୀ,୦୩/୧୧: ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାପୁରରେ ସକାଳୁ ସକାଳୁ ଭୀଷଣ ସଡ଼କ ଦୁର୍ଘଟଣା ହୋଇଛି । ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ୧୮ରୁ ଅଧିକ ଆହତ ହୋଇଛନ୍ତି । ୭୦ ଯାତ୍ରୀଙ୍କୁ ନେଇ ତନ୍ଦୁର ଡିପୋର୍ ବସ୍ଟି ହାଇଦ୍ରାବାଦ ଯାଉଥିଲା । ବୀପରିତ ଦିଗରୁ ଆସୁଥିବା ଗୋଡ଼ି ବୋଝେଇ ଡମ୍ପର ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଯେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ବସ୍ରେ ଅଧିକାଂଶ ଲୋକ ଅଫିସ୍ ଯାଉଥିବାବେଳେ ସେମାନଙ୍କ ମୃତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭରଙ୍କ ଭୁଲ ପାଇଁ ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ।
ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ଚେଭେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚେଭେଲା ନିକଟରେ ଡମ୍ପରଟି ତେଲେଙ୍ଗାନା ସଡ଼କ ପରିବହନ ନିଗମ (TGRTC) ବସ୍ ସହିତ ଧକ୍କା ହୋଇଥିଲା । ଫଳରେ ବସ୍ ଉପରେ ଗୋଡ଼ି ବୋଝେଇ ଟ୍ରକ ଓଲଟି ପଡ଼ିଥିଲା । ଲୋକମାନେ ଚାପି ହୋଇଯାଇଥିଲେ ଘଟଣା ସମ୍ପର୍କରେ ପୁଲିସ୍ କହିଛି ଯେ, ରଙ୍ଗାରେଡ୍ଡୀ ଜିଲ୍ଲାର ଚେଭେଲା ଥାନା ଅନ୍ତର୍ଗତ ଖାନପୁର ଗେଟ୍ ନିକଟରେ ବସ୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଦୁର୍ଘଟଣା ସ୍ଥଳରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାତ୍ରୀମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ଏବଂ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଧାଇଁ ଆସିଥିଲେ । ଭୁଲ ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ବସ୍କୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ୩ଟି JCB ଏକ୍ସକାଭେଟର ବ୍ୟବହାର କରି ଉଦ୍ଧାରକାର୍ଯ୍ୟ କରାଯାଇଥିଲା ।
ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ ପଦକ୍ଷେପ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ କେ ରାମକୃଷ୍ଣ ରାଓ ଏବଂ ପୁଲିସ ମହାନିର୍ଦ୍ଦେଶକ ବି ଶିବଧର ରେଡ୍ଡୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରିବାକୁ ଅଧିକାରୀମାନଙ୍କୁ କରିଛନ୍ତି ।