ୱାଶିଂଟନ,୦୮/୧୧: ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ନୂଆ ରାଷ୍ଟ୍ରପତି ହେବେ । ୪ ବର୍ଷର ବ୍ୟବଧାନ ପରେ ସେ ପୁଣି ଦେଶର ‘ବସ୍’ ସାଜିବେ । ଖୁବଶୀଘ୍ର ସେ ନିଜର ନୂଆ ମନ୍ତ୍ରିମଣ୍ଡଳ ଓ ବିଭିନ୍ନ ସଂସ୍ଥାରେ ମୁଖ୍ୟ ନିଯୁକ୍ତ କରିବେ । ଏହାକୁ ନେଇ ବିଭିନ୍ନ ଲୋକଙ୍କ ନାମ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ନାମଗୁଡ଼ିକ ମଧ୍ୟରେ ଭାରତୀୟ ବଂଶୋଦ୍ଭବ କଶ୍ୟପ କାଶ୍ ପଟେଲ୍ ଓ ବିବେକ ରାମାସ୍ୱାମୀଙ୍କ ନାମ ଥିବା କୁହାଯାଉଛି ।
ସୂତ୍ର ମୁତାବକ, ଆମେରିକାର ଗୁଇନ୍ଦା ସଂସ୍ଥା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ମୁଖ୍ୟ ହୋଇପାରନ୍ତି କାଶ୍ ପଟେଲ୍ । ଟ୍ରମ୍ପ୍ଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରେ ଯେଉଁ କେତେଜଣ ବ୍ୟକ୍ତି ଅଛନ୍ତି ସେମାନଙ୍କ ମଧ୍ୟରୁ ପଟେଲ୍ ହିଁ ସିଆଇଏ ମୁଖ୍ୟ ପଦବୀ ଦୌଡ଼ରେ ଆଗୁଆ ଅଛନ୍ତି ।
୧୯୮୦ରେ ନ୍ୟୁୟର୍କର ଗାର୍ଡେନ ସିଟିରେ ଜନ୍ମିତ କାଶ୍ ପଟେଲ୍ଙ୍କ ଗୁଜରାଟୀ ଭାରତୀୟ ପିତାମାତା ପୂର୍ବ ଆଫ୍ରିକାରୁ କାନାଡା ଦେଇ ଆମେରିକା ଆସିଥିଲେ । ସେବେଠାରୁ ସେମାନେ ଆମେରିକାରେ ରହିଆସୁଛନ୍ତି । ଏଠାକାର ନାଗରିକତା ବି ହାସଲ କରିଛନ୍ତି । ଆଇନରେ ଡିଗ୍ରୀ ହାସଲ ପାଇଁ ନ୍ୟୁୟର୍କକୁ ଫେରିବା ପୂର୍ବରୁ କାଶ୍ ପଟେଲ୍ ରିଚମଣ୍ଡ ୟୁନିଭର୍ସିଟିରୁ ସ୍ନାତକ କରିଥିଲେ । ଏଥିସହ ବ୍ରିଟେନ୍ରେ ୟୁନିଭର୍ସିଟି କଲେଜ ଲଣ୍ଡନର ଆଇନ ବିଭାଗରେ ଅନ୍ତର୍ଜାତୀୟ ଆଇନରେ ପ୍ରମାଣପତ୍ର ହାସଲ କରିଥିଲେ । ଏହାପରେ ତାଙ୍କୁ ଲ’ ଫାର୍ମରେ ଚାକିରି ନ ମିଳିବାରୁ ସେ ଓକିଲ ଭାବେ କାର୍ଯ୍ୟ କରିଥିଲେ । ମାୟାମିରେ ସେ ସ୍ଥାନୀୟ ଲୋକ ଓ ସଂଘୀୟ ଅଦାଲତରେ ପ୍ରାୟ ୯ ବର୍ଷ ଧରି କାର୍ଯ୍ୟ କରିଥିଲେ । ୪୪ ବର୍ଷୀୟ ପଟେଲ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ଟ୍ରମ୍ପ୍ଙ୍କ ଆତଙ୍କବାଦ ନିରୋଧୀ ପରାମର୍ଶଦାତା ସାଜିଥିଲେ । ଟ୍ରମ୍ପ୍ଙ୍କ ପୂର୍ବ କାର୍ଯ୍ୟକାଳରେ ସେ କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ସଚିବଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟ କରିଥିଲେ । କିଛିଦିନ ତଳେ ଭାରତକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଚାଲିଥିବା ନକାରାତ୍ମକ ଆଭିମୁଖ୍ୟର କଡ଼ା ଜବାବ ଦେଇଥିଲେ ପଟେଲ । କାଶ୍ଙ୍କ ବ୍ୟତୀତ ବିବେକ ରାମାସ୍ୱାମୀ, ନିକ୍କି ହାଲି, ସଲାଭ୍ ଶାଲି କୁମାର, ବବି ଜିନ୍ଦଲ, ତୁଲସୀ ଗବାଡ ପ୍ରମୁଖ ଭାରତୀୟ ବଂଭୋଦ୍ଭବଙ୍କୁ ଟ୍ରମ୍ପ୍ଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ।