ନୂଆଦିଲ୍ଲୀ : ଆମେରିକା ଏବେ UFO ଏବଂ ଏଲିଅନ୍ସକୁ ନେଇ ଅନେକ ଗୁପ୍ତ ତଥ୍ୟ ସାମ୍ନାକୁ ଆଣିଛି। ଟ୍ରମ୍ପ ପ୍ରଶାସନ ଏଲିଅନ୍ସ ସମ୍ପର୍କିତ ଅନେକ ଫାଇଲ୍ ଶେୟାର କରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ, ଟ୍ରମ୍ପ ଏରିଆ-୫୧ ଏବଂ ଏଲିଅନ୍ସର ସମସ୍ତ ରହସ୍ୟ ଖୋଲୁଛନ୍ତି ନା ଚୀନ୍ କିମ୍ବା ରୁଷ ଭଳି ଶତ୍ରୁ ଦେଶମାନଙ୍କ ଠାରୁ ସୁରକ୍ଷା ଦୃଷ୍ଟିରୁ କିଛି ତଥ୍ୟ ଗୋପନ ରଖୁଛନ୍ତି। ଟ୍ରମ୍ପଙ୍କ ଏହି ଫାଇଲଗୁଡ଼ିକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।
ସମ୍ପୂର୍ଣ୍ଣ ରହସ୍ୟ ଖୋଲିବେନି ଟ୍ରମ୍ପ !
ଏଲିଅନ୍ସ ଉପରେ କାମ କରୁଥିବା ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପ ସମସ୍ତ ରହସ୍ୟ ସାମ୍ନାକୁ ଆଣିବେ ନାହିଁ। ଏରିଆ-୫୧ ର ଦାବି ଉପରେ ନିର୍ମିତ ଡକୁମେଣ୍ଟାରୀ "S4: The Bob Lazar Story"ର ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର ଲୁଇଗି ଭେଣ୍ଡିଟେଲି (Luigi Vendittelli) ଏହାକୁ ନେଇ କିଛି ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଆମେରିକା ସରକାର UFO ସମ୍ପର୍କିତ ସମସ୍ତ ସୂଚନା କେବେବି ସାର୍ବଜନୀନ କରିବେ ନାହିଁ ଏବଂ ଏହା କରିବା ଉଚିତ୍ ମଧ୍ୟ ନୁହେଁ। ସେ କହିଛନ୍ତି,"ଲୋକମାନେ UFO ବିଷୟରେ ଜାଣିବାକୁ ଚାହୁଁଛନ୍ତି, କିନ୍ତୁ ଜାତୀୟ ସୁରକ୍ଷା କାରଣରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ଫାଇଲ୍ ପ୍ରକାଶ କରୁ ନାହାନ୍ତି। ବୋଧହୁଏ ସେଥିପାଇଁ ଟ୍ରମ୍ପ ଏହି ବିଷୟରେ ଖୋଲାଖୋଲି କଥା ହେଉ ନାହାନ୍ତି। ହୋଇପାରେ ସେ ଏମିତି କିଛି ଜାଣିଛନ୍ତି, ଯାହା ଶତ୍ରୁ ଦେଶମାନଙ୍କ ପାଇଁ ରାସ୍ତା ଖୋଲି ଦେଇ ପାରେ।"
ଲୁଇଗି ତାଙ୍କ ଡକୁମେଣ୍ଟାରୀରେ ବବ୍ ଲାଜରଙ୍କ ଦାବିକୁ ପୁଣି ଥରେ ଦେଖାଇଛନ୍ତି। ୧୯୮୯ ମସିହାରେ ଲାଜର ଦାବି କରିଥିଲେ ଯେ, ସରକାର ଏକ ଗୁପ୍ତ ସ୍ଥାନରେ ଏଲିଅନ୍ ସ୍ପେସକ୍ରାଫ୍ଟ ଉପରେ ଗବେଷଣା କରୁଛନ୍ତି। ଯଦିଓ ସରକାର ସବୁବେଳେ ଏହାକୁ ଅସ୍ୱୀକାର କରି ଆସିଛନ୍ତି, କିନ୍ତୁ ଲୁଇଗିଙ୍କ ମତରେ ବିଦେଶୀ ବିପଦରୁ ବଞ୍ଚିବା ପାଇଁ ସରକାରୀ ଗୋପନୀୟତା ଜରୁରୀ।
ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଏକ ର୍ୟାଲିରେ କହିଥିଲେ ଯେ ,ପେଣ୍ଟାଗନର UFO ଷ୍ଟଡି ସମ୍ପର୍କିତ ତଥ୍ୟ ଶୀଘ୍ର ସାମ୍ନାକୁ ଆସିବ। କିନ୍ତୁ ଲୁଇଗିଙ୍କ ମତରେ, ସମସ୍ତ ତଥ୍ୟ ସାର୍ବଜନୀନ ହେଲେ ଚୀନ୍ ଓ ରୁଷ ଭଳି ଦେଶମାନେ ଏହାର ଫାଇଦା ଉଠାଇ ପାରନ୍ତି। ଏହା କେବଳ ଆମେରିକୀୟ ଜନତାଙ୍କ ପାଖକୁ ଯିବ ନାହିଁ, ବରଂ ବିଶ୍ୱର ପ୍ରତିଦ୍ୱନ୍ଦ୍ୱୀ ଦେଶଙ୍କ ପାଖରେ ମଧ୍ୟ ପହଞ୍ଚିବ।
ଏଲିଅନ୍ସଙ୍କ ବିଷୟରେ ଓବାମାଙ୍କ ମତ
ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ରଖି ଥିଲେ। ସେ କହିଥିଲେ ଯେ ସରକାର ରହସ୍ୟ ଲୁଚାଇବାରେ ସେତେଟା ଦକ୍ଷ ନୁହନ୍ତି। ଓବାମାଙ୍କ କହିବା କଥା, ଯଦି ସରକାରଙ୍କ ପାଖରେ ଏଲିଅନ୍ ଜୀବନର ସଠିକ୍ ପ୍ରମାଣ ଥାଆନ୍ତା, ତେବେ ଏହା ବହୁ ଆଗରୁ ଲିକ୍ ହୋଇ ସାରନ୍ତାଣି। ମୁଁ ପ୍ରତିଜ୍ଞା କରୁଛି ଯେ ସେଠାରେ ନିୟୋଜିତ କୌଣସି ଜଣେ ଗାର୍ଡ କୌଣସି ଏଲିଅନ ସହ ସେଲ୍ଫି ନେଇ ନିଶ୍ଚୟ ତାଙ୍କର ଗାର୍ଲଫ୍ରେଣ୍ଡକୁ ପଠାଇ ସାରନ୍ତେଣି।
ଆହୁରି ମଧ୍ୟ ପଢନ୍ତୁ : AI ଆସିଲେ ବି ଚାକିରି ଯିବ ନାହିଁ : ଚୀନ୍ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି