ନୂଆଦିଲ୍ଲୀ, ୦୨/୦୫ : ପାଗଳଙ୍କ ହାତରେ ଦେଇ ହେବନି ଆଟମ୍ ବମ୍ ସ୍ଵିଚ୍। ଇରାନକୁ ଯେକୌଣସି ରିସ୍ଥିତିରେ ପରମାଣୁ ଅସ୍ତ୍ର ହାତେଇବାକୁ ଦେବୁ ନାହିଁ। ପରମାଣୁ କାର୍ଯ୍ୟକ୍ରମ ନେଇ ତେହରାନ ଉପରେ ଜୋରଦାର୍ ବର୍ଷିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଫ୍ଲୋରିଡାର ଏକ ସ୍କୁଲରେ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ନ୍ୟୁକ୍ଲିଆର୍ ବମ୍ ହାସଲ କରେ ତାହେଲେ ସେ ପ୍ରଥମେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବ। ମଧ୍ୟପ୍ରାଚ୍ୟ ଏବଂ ୟୁରୋପ ପୁରା ଖଣ୍ଡ ଖଣ୍ଡ ହୋଇଯିବ। ପରବର୍ତ୍ତୀ ଟାର୍ଗେଟ୍ ଆମେରିକା ହେବ। ଆମେ ଏଭଳି ପାଗଳଙ୍କ ହାତରେ ପରମାଣୁ ଅସ୍ତ୍ର ରହିବାକୁ ଦେବୁ ନାହିଁ।

ପରମାଣୁ ଅସ୍ତ୍ର ନେଇ ନୋ କମ୍ପରମାଇଜ୍

ଟ୍ରମ୍ପ କହିଛନ୍ତି ଯେ, ପରମାଣୁ ଅସ୍ତ୍ର ନେଇ ନୋ କମ୍ପରମାଇଜ୍। ଇରାନକୁ କୌଣସି ମୂଲ୍ୟରେ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଦିଆଯିବ ନାହିଁ। ଆମେରିକା ବି-୨ ବମବର୍ଷକ ବିମାନ ଦ୍ଵାରା ଇରାନର ପରମାଣୁ ଘାଟୀକୁ ନଷ୍ଟଭ୍ରଷ୍ଟ କରିଦେଇଛି। ଇରାନର ମେରୁଦଣ୍ଡ ଭାଙ୍ଗି ଦେଇଛି। ଇରାନରେ ଏବେ ନୌସେନା, ବାୟୁସେନା ଏବଂ ରାଡାର ସିଷ୍ଟମ ନାହିଁ। ବିମାନ ପ୍ରତିରୋଧୀ ଉପକରଣର ମଧ୍ୟ ଅଭାବ ପଡ଼ିଲାଣି। ଇରାନର ନେତୃତ୍ୱ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଛି ଏବଂ ସେମାନଙ୍କର କୌଣସି ନେତା ନାହାନ୍ତି। ତେବେ ଇରାନ ଉପରେ ଆଗକୁ ଆହୁରି ଭୀଷଣ ଆକ୍ରମଣ ହେବକି ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ଯେ, 'ମାନବିକତା ଦୃଷ୍ଟିରୁ ମୁଁ ଏହା କରିବାକୁ ଚାହୁଁନାହିଁ, କିନ୍ତୁ ଆମେ ଏପରି ଏକ ଚୁକ୍ତି ଚାହୁଁ ଯାହା ସମସ୍ୟାକୁ ମୂଳରୁ ଦୂର କରିଦେବ।'

ଆମେରିକା ପଛକୁ ହଟିବ ନାହିଁ

ଇରାନ ସହିତ ଚାଲିଥିବା ଆଲୋଚନା ଉପରେ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଇରାନ ସହିତ ଚୁକ୍ତି କରିବାକୁ ଆମେରିକା ଚାହୁଁନାହିଁ। ଇରାନ ସମ୍ପ୍ରତି ଏକ ନୂତନ ପ୍ରସ୍ତାବ ଦେଇଛି, କିନ୍ତୁ ଟ୍ରମ୍ପ ଏଥିରେ ସନ୍ତୁଷ୍ଟ ନୁହଁନ୍ତି। ଆମେରିକାର ରାଷ୍ଟ୍ରପତି ଇରାନର ନେତୃତ୍ୱ ଭିତରେ ଥିବା ଆଭ୍ୟନ୍ତରୀଣ ମତଭେଦକୁ ମଧ୍ୟ ଇଙ୍ଗିତ କରି କହିଛନ୍ତି ଯେ ଏହି ବିଭାଜନ ଆଲୋଚନା ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ସେ କହିଛନ୍ତି ଯେ, ଆମେରିକା ଏହି ସଂଘର୍ଷରୁ ଶୀଘ୍ର ଓହରିବ ନାହିଁ। ନହେଲେ ତିନି ବର୍ଷ ପରେ ପୁଣି ସମାନ ସମସ୍ୟା ଉପୁଯିବ।

ଏହି ଖବରଟିକୁ ପଢନ୍ତୁ- ଇରାନରେ ମୃତ୍ୟୁର ତାଣ୍ଡବ: ବୋମା ନିଷ୍କ୍ରିୟ ବେଳେ ଅଘଟଣ, ୧୪ ସେନାଙ୍କ ଜୀବନ ନେଲା ଭୟଙ୍କର ବିସ୍ଫୋରଣ